ଓଡ଼ିଶା ସିଭିଲ ସର୍ଭିସ୍ ପରୀକ୍ଷାରେ କନ୍ଧମାଳର କୃତି: ୧୬୬ ରେଙ୍କରେ ସଫଳ ହେଲେ ଆଦିବାସୀ ଝିଅ ଡାଇସି କହଁର ,କୁଇ ସମାଜ ପାଇଁ ଗର୍ବର ମୁହୂର୍ତ୍ତ,
ଫୁଲବାଣୀ, ୨୭/୦୫ (ଅଚ୍ୟୁତ ଜାନୀ) : ଓଡ଼ିଶା ପବ୍ଲିକ ସର୍ଭିସ କମିଶନ (ଓପିଏସସି) ପକ୍ଷରୁ ପ୍ରକାଶିତ ଓଡ଼ିଶା ସିଭିଲ ସର୍ଭିସ୍ (ଓସିଏସ) ପରୀକ୍ଷା-୨୦୨୪ ର ଫଳାଫଳରେ କନ୍ଧମାଳ ଜିଲ୍ଲା ପାଇଁ ଆସିଛି ଗର୍ବ ଓ ଗୌରବର ଖବର । ଫିରିଙ୍ଗିଆ ବ୍ଲକ ଅନ୍ତର୍ଗତ ଗୋଛାପଡା ଗ୍ରାମର ଆଦିବାସୀ ଝିଅ ଡାଇସି କହଁର ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷାରେ ୧୬୬ତମ ରେଙ୍କ ହାସଲ କରି ସଫଳତାର ନୂଆ ଅଧ୍ୟାୟ ଲେଖିଛନ୍ତି। ଡାଇସିଙ୍କ ଏହି ସଫଳତା କେବଳ ତାଙ୍କ ପରିବାର ପାଇଁ ନୁହେଁ, ସମଗ୍ର କନ୍ଧମାଳ ଜିଲ୍ଲା ଏବଂ କୁଇ ସମାଜ ପାଇଁ ଗର୍ବର ବିଷୟ ହୋଇପଡ଼ିଛି। ଅନୁନ୍ନତ ଅଞ୍ଚଳରୁ ଆସି ନିଜ ଅଦମ୍ୟ ପରିଶ୍ରମ, ଅଧ୍ୟବସାୟ ଓ ଦୃଢ଼ ସଂକଳ୍ପ ବଳରେ ସେ ଏହି କୃତିତ୍ୱ ହାସଲ କରିଥିବାରୁ ଯୁବପିଢ଼ୀଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିଛନ୍ତି। ସୂଚନା ଅନୁସାରେ, ଡାଇସି କହଁରଙ୍କ ପିତା ଡା. ନିରଦ ଚନ୍ଦ୍ର କହଁର କୁଇ ଭାଷା ସାହିତ୍ୟ ସମିତିର ସାଧାରଣ ସମ୍ପାଦକ ଭାବେ ଜଣାଶୁଣା ଥିବା ବେଳେ ବର୍ତ୍ତମାନ କଳାହାଣ୍ଡି ଜିଲ୍ଲାରେ ଜିଲ୍ଲା ପ୍ରାଣୀ ସମ୍ପଦ ଅଧିକାରୀ ଭାବେ କାର୍ଯ୍ୟରତ ଅଛନ୍ତି। ମାତା ନଳିନୀ କହଁରଙ୍କ ଉତ୍ସାହ ଓ ପରିବାରର ସମର୍ଥନ ଡାଇସିଙ୍କ ସଫଳତାରେ ମୂଳ ଭୂମିକା ନେଇଥିବା କୁହାଯାଉଛି। ନିଜ ପରିବେଶରେ ବଢ଼ି ଉଠିଥିବା ଡାଇସି ଛାତ୍ରଜୀବନରୁ ମେଧାବୀ ଭାବେ ପରିଚିତ ଥିଲେ। ଉଚ୍ଚ ଲକ୍ଷ୍ୟ ନିର୍ଦ୍ଧାରଣ କରି ନିରନ୍ତର ପରିଶ୍ରମ ଦ୍ୱାରା ସେ ଆଜି ରାଜ୍ୟ ପ୍ରଶାସନିକ ସେବାରେ ନିଜ ସ୍ଥାନ ସୁନିଶ୍ଚିତ କରିପାରିଛନ୍ତି। ତାଙ୍କ ସଫଳତା ଆଦିବାସୀ ଅଞ୍ଚଳର ଛାତ୍ରଛାତ୍ରୀଙ୍କ ମନରେ ନୂତନ ଆଶା ଓ ଆତ୍ମବିଶ୍ୱାସ ସୃଷ୍ଟି କରିଛି। ଫଳ ପ୍ରକାଶ ପାଇବା ପରେ କନ୍ଧମାଳ ଜିଲ୍ଲା ସମେତ ବିଭିନ୍ନ ସାମାଜିକ ଓ ସାଂସ୍କୃତିକ ସଂଗଠନ, କୁଇ ସମାଜର ବୁଦ୍ଧିଜୀବୀ, ଶିକ୍ଷାବିତ୍ ଓ ସ୍ଥାନୀୟ ଜନପ୍ରତିନିଧିମାନେ ଡାଇସିଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି। ସୋସିଆଲ ମିଡିଆରେ ମଧ୍ୟ ତାଙ୍କ ସଫଳତାକୁ ନେଇ ଶୁଭେଚ୍ଛାର ସୁଅ ଛୁଟିଛି। ସ୍ଥାନୀୟ ବୁଦ୍ଧିଜୀବୀମାନଙ୍କ ମତରେ, ଡାଇସି କହଁରଙ୍କ ଏହି କୃତିତ୍ୱ ଆଦିବାସୀ ଅଞ୍ଚଳର ଝିଅମାନଙ୍କ ପାଇଁ ଏକ ସକାରାତ୍ମକ ସନ୍ଦେଶ। ସୁଯୋଗ ଓ ଦୃଢ଼ ଇଚ୍ଛାଶକ୍ତି ଥିଲେ ଗ୍ରାମାଞ୍ଚଳର ଛାତ୍ରଛାତ୍ରୀମାନେ ମଧ୍ୟ ରାଜ୍ୟ ଓ ଦେଶସ୍ତରରେ ନିଜ ପ୍ରତିଭା ପ୍ରମାଣ କରିପାରିବେ ବୋଲି ଡାଇସିଙ୍କ ସଫଳତା ପୁଣିଥରେ ସାବ୍ୟସ୍ତ କରିଛି।