ଫୁଫୁଗାଁ ସରପଞ୍ଚଙ୍କ ବିୟୋଗରେ ଶୋକସଭା ଅନୁଷ୍ଠିତ |
ଝରିଗାଁ, ୨୧/୦୫ (ନକୁଲ ଭତରା) : ନବରଙ୍ଗପୁର ଜିଲ୍ଲା ଝରିଗାଁ ଅନ୍ତର୍ଗତ ଫୁଫୁଗାଁ ପଂଚାୟତର ସରପଞ୍ଚ ଚୈତନ୍ୟ ଗଣ୍ଡଙ୍କ ଗତ 18ତାରିଖ ଦେହାନ୍ତ ଘଘଟିଥିବା ବେଳେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି |ସେ ଜଣେ ମିଷ୍ଟଭାଷୀ, ମେଲାମୀ, ପରୋପକାରୀ ଓ ଧର୍ମପରାୟଣ ବ୍ୟକ୍ତି ହେବା ସହିତ ବିଜେଡି ଦଳର ଜଣେ ବରିଷ୍ଠ କର୍ମୀଥିଲେ |କୌଣସି ଏକ କାରଣ ପାଇଁ ସେ ସୋମବାର ଦିନ ସକାଳେ ଗାଁ ନିକଟରେ ଥିବା ଏକ ଜଙ୍ଗଲ ମଧ୍ୟରେ ଝୁଲିପଡ଼ିଥିଲେ |ଏହି ଆତ୍ମହତ୍ୟା ଖବର ଅଞ୍ଚଳ ବାସିଙ୍କୁ ମର୍ମାହତ କରିବା ସହିତ ବିଚଳିତ କରିଦେଇଛି |ତାଙ୍କ ପ୍ରିୟଜଣ, ବନ୍ଧୁବାନ୍ଧବ, ସାଙ୍ଗସାଥୀ ସମସ୍ତେ ସରପଞ୍ଚଙ୍କ ବାସ ଭବନରେ ପହଂଚି ଶେଷ ଦର୍ଶନ କରିବା ସହିତ ଅନ୍ତିମ ବିଦାୟ ଜଣେଇଥିଲେ |ବୁଧବାର ଦିନ ପଂଚାୟତ କାର୍ଯ୍ୟାଳୟ ଠାରେ ପଂଚାୟତ ପକ୍ଷରୁ ଏକ ଶୋକସଭାର ଆୟୋଜନ କରାଯାଇଥିଲା |ଏହି କାର୍ଯ୍ୟକ୍ରମରେ ପଂଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ମନୁରାମ ଭତରା,ହିସାବ ରକ୍ଷକ ମୁକେଶ ସାହୁ,ନାଏବ ସରପଞ୍ଚ ସୁଭଦ୍ରା ସାନ୍ତା, ସମିତି ସଭ୍ୟ ମନବୋଧ ସାନ୍ତା,ଲଳିତ ତିୱାରୀ, ସତ୍ୟନାରାୟଣ ଜେନା, ଦିବାକର ମାଝୀ,ପ୍ରଦୀପ ଭତ୍ରା, ଜି ମୋହନ ରାଓ, ପଦ୍ମନ ମାଝୀ, ଦୁରସାଇ ଗଣ୍ଡ, ଧନୁର୍ଜୟ ନାୟକ, ସୂରଜ ସାମଲ ଏବଂ ସମସ୍ତ ୱାର୍ଡ ସଭ୍ୟ ସଭ୍ୟାଙ୍କ ସମେତ ପଞ୍ଚାୟତର ସମସ୍ତ , ଅଙ୍ଗନବାଡି କର୍ମୀ, ଆଶା କର୍ମୀ, ଏସଏଚଜି ମହିଳା ଓ ପଂଚାୟତର ଜନସାଧାରଣ ଶତାଧିକ ସଂଖ୍ୟାରେ ଯୋଗଦେଇ ବ୍ୟାନେର ଧରି ଗ୍ରାମ ପରିକ୍ରମା କରିବା ସହିତ "ଫୁଫୁଗାଁ ସରପଞ୍ଚ ଚୈତନ୍ୟ ଗଣ୍ଡ ଅମର ରହେ "ନାରା ଦେଇଥିଲେ |ପରେ ପଂଚାୟତ କାର୍ଯ୍ୟାଳୟରେ ପହଂଚି ସରପଞ୍ଚଙ୍କ ଫୋଟୋଚିତ୍ର ସମ୍ମୁଖରେ କ୍ୟାଣ୍ଡେଲ ଓ ଧୂପକାଠି ପ୍ରଜ୍ବଳନ କରିବା ସହିତ ସରପଞ୍ଚଙ୍କ ଆତ୍ମାର ସଦଗତି ପାଇଁ ନିରବ ପ୍ରାର୍ଥନା କରିଥିଲେ ଓ ପୁଷ୍ପାଞ୍ଜଳି ଅର୍ପଣ କରି ଶେଷ ପ୍ରଣାମ କରିଥିବା ଦେଖିବାକୁ ମିଳିଥିଲା |