ସିନାପାଲିରେ ବ୍ଲକ୍ ସ୍ତରୀୟ ଷ୍ଟାଡିଅମ୍-କମ୍-ସ୍ପୋର୍ଟସ୍ କମ୍ପ୍ଲେକ୍ସ ପାଇଁ ଜମି ରୂପାନ୍ତର ଦାବି
ସିନାପାଲି, ୨୫/୦୫ ( ପରମେଶ୍ୱର ମେହେର ) : ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକରେ ବ୍ଲକ୍ ସ୍ତରୀୟ ଷ୍ଟାଡିଅମ୍-କମ୍-ସ୍ପୋର୍ଟସ୍ କମ୍ପ୍ଲେକ୍ସ ନିର୍ମାଣ ପାଇଁ ଆବଶ୍ୟକ ଜମି ଯୋଗାଣ ଓ ଗ୍ରାମ୍ୟ ଜଙ୍ଗଲ ଯୋଗ୍ୟ ଜମିର ରୂପାନ୍ତର କରିବାକୁ ଦାବି ଜୋରଦାର ହୋଇଛି। ଏନେଇ ସିନାପାଲି ବ୍ଲକର କ୍ରୀଡ଼ାବିତ, ଯୁବକ ଓ ସାଧାରଣ ଜନସାଧାରଣଙ୍କ ପକ୍ଷରୁ ନୂଆପଡ଼ା ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ଦାବିପତ୍ରରେ ଉଲ୍ଲେଖ ରହିଛି ଯେ, ଓଡ଼ିଶା ସରକାର ରାଜ୍ୟର ସମସ୍ତ ୩୧୪ଟି ବ୍ଲକରେ ବହୁମୁଖୀ କ୍ରୀଡ଼ା ଷ୍ଟାଡିୟମ୍ ନିର୍ମାଣ ପାଇଁ ୪,୧୨୪ କୋଟି ଟଙ୍କାର ବୃହତ ପ୍ରକଳ୍ପକୁ ମଞ୍ଜୁରୀ ଦେଇଛନ୍ତି। କିନ୍ତୁ ସିନାପାଲି ବ୍ଲକରେ ଆବଶ୍ୟକୀୟ ସରକାରୀ ଜମିର ଅଭାବ ହେତୁ ଏହି ପ୍ରକଳ୍ପ ଏପର୍ଯ୍ୟନ୍ତ ଅନୁମୋଦନ ପାଇପାରି ନାହିଁ। ଜିଲ୍ଲାର ଅନ୍ୟାନ୍ୟ ବ୍ଲକରେ ଜମି ଚିହ୍ନଟ ହୋଇଥିବା ବେଳେ କେବଳ ସିନାପାଲିରେ ଏହା ବିଳମ୍ବିତ ହେଉଥିବାରୁ ସ୍ଥାନୀୟ ଯୁବମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ତହସିଲଦାର, ସିନାପାଲିଙ୍କ ପତ୍ର ସଂଖ୍ୟା 847 ତାରିଖ 17.03.2026 ଅନୁଯାୟୀ, ମୌଜା କାପସି ଓ ସରଧାପୁରରେ ପ୍ରାୟ ୮ ଏକର ସରକାରୀ ଜମି ଚିହ୍ନଟ କରାଯାଇଛି। ଏଥିରେ କାପସି ମୌଜାର ପ୍ଲଟ୍ ନଂ 591 ଓ 593 ରେ 6.35 ଏକର ଆବାଦ ଯୋଗ୍ୟ ଅନାବାଦୀ ଜମି ଏବଂ ସରଧାପୁର ମୌଜାର ପ୍ଲଟ୍ ନଂ 245, 246 ଓ 247 ରେ 1.65 ଏକର ଉନ୍ନତ ଯୋଜନା ଯୋଗ୍ୟ ଜମି ରହିଛି। ତେବେ ପ୍ରକଳ୍ପ ନିୟମାବଳୀ ଅନୁଯାୟୀ ବିଭାଗୀୟ ଅନୁମୋଦନ ପାଇଁ ନ୍ୟୁନତମ 10 ଏକର ଜମି ଆବଶ୍ୟକ ଥିବାରୁ, ସଂଲଗ୍ନ ଗ୍ରାମ୍ୟ ଜଙ୍ଗଲ ଯୋଗ୍ୟ ଜମିକୁ ମଧ୍ୟ ପ୍ରକଳ୍ପରେ ସମ୍ମିଳିତ କରିବାକୁ ଦାବି ହୋଇଛି। ଏହି ଅନୁସାରେ କାପସି ମୌଜାର ପ୍ଲଟ୍ ନଂ 1224 ରେ ଥିବା 2.30 ଏକର ଗ୍ରାମ୍ୟ ଜଙ୍ଗଲ ଯୋଗ୍ୟ ଜମିର ରୂପାନ୍ତର କରି ଷ୍ଟାଡିଅମ୍ ପ୍ରକଳ୍ପରେ ଅନ୍ତର୍ଭୁକ୍ତ କରିବାକୁ ଅନୁରୋଧ କରାଯାଇଛି। ସ୍ଥାନୀୟ ଯୁବକ ଓ କ୍ରୀଡ଼ାପ୍ରେମୀମାନେ କହିଛନ୍ତି ଯେ, ସିନାପାଲି ପରି ପଛୁଆ ଅଞ୍ଚଳରେ ଏକ ଆଧୁନିକ ସ୍ପୋର୍ଟସ୍ କମ୍ପ୍ଲେକ୍ସ ସ୍ଥାପିତ ହେଲେ ଯୁବପିଢ଼ି କ୍ରୀଡ଼ା ମାଧ୍ୟମରେ ନୂତନ ସୁଯୋଗ ପାଇପାରିବେ ଓ ଅଞ୍ଚଳର କ୍ରୀଡ଼ା ଭିତ୍ତିଭୂମିର ବିକାଶ ହେବ।