Hot Posts

6/recent/ticker-posts

ଆସିକା ଏସଡିପିଓ ବଟି ଆଦାୟ ପାଇଁ ନିଲମ୍ବିତ

ଭଞ୍ଜନଗର, ୧୪/୦୫ ( ଜୟକୃଷ୍ଣ ପଟ୍ଟନାୟକ ) : ଗଞ୍ଜାମ ଜିଲ୍ଲା ଆସିକା ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ସନ୍ତୋଷ କୁମାର ଜେନା ଥିଲେ ।ଯାହାକୁ ନେଇ ଦିନେ ଆସିକା ଥାନା ଓ ଅଞ୍ଚଳବାସୀ ଗର୍ବ କରୁଥିଲେ।ଆଜି ବାବୁଙ୍କ କଳା କାରନାମା ଲାଗି ସମସ୍ତେ ବଦନାମ।ବାବୁଙ୍କ ନାମରେ ସୁନା ବ୍ୟବସାୟୀ, ବାଲି ମାଫିଆ ଓ ମଦ ବ୍ୟବସାୟୀଙ୍କ ଠାରୁ ବଟି ଆଦାୟ ଭଳି ସଙ୍ଗୀନ ଅଭିଯୋଗ ଆସିଛି।ଯାହା ଫଳରେ ତାଙ୍କୁ ଶୃଙ୍ଖଳା ଗତ କାର୍ଯ୍ୟାନୁଷ୍ଠାନ ସ୍ବରୂପ ବର୍ତ୍ତମାନ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି।ଏହି ସମୟରେ ସେ ବ୍ରହ୍ମପୁର ଦକ୍ଷିଣାଞ୍ଚଳ ଆଇଜିଙ୍କ କାର୍ଯ୍ୟାଳୟ ରେ ଉପସ୍ଥିତ ରହି କାର୍ଯ୍ୟ ସମ୍ପାଦନ କରିବେ। ଗଞ୍ଜାମ ଜିଲ୍ଲାର ଆସିକା ଅଞ୍ଚଳ ସର୍ବଦା ରାଜନୈତିକ ହିଂସା, ବ୍ୟବସାୟିକ ଶତ୍ରୁତା, ମଦ କାରବାର, ବାଲି ମାଫିଆଙ୍କୁ ନେଇ ଅନେକ ଅପରାଧିକ କାର୍ଯ୍ୟକଳାପ ପାଇଁ ଚର୍ଚ୍ଚାରେ ଥିବା ବେଳେ ଏହାକୁ ନିୟନ୍ତ୍ରଣ କରିବା ପାଇଁ ଆସିକାରେ ନୂତନ ଥାନା ଅଧିକାରୀ ଭାବେ ସନ୍ତୋଷ କୁମାର ଜେନା ଯୋଗ ଦେଇଥିଲେ।ସେହି ସମୟରେ ଜଣେ କର୍ତ୍ତବ୍ୟନିଷ୍ଠ ଅଧିକାରୀ ଭାବେ ଅପରାଧୀଙ୍କୁ ଦମନ କରିବାରେ ସଫଳ ହୋଇ ବେଶ ପ୍ରଶଂସିତ ହୋଇଥିଲେ।ଅପରାଧୀ ମାନେ ସାବାଡ଼ ହେବାରୁ ଆସିକା ବାସୀ ମଧ୍ୟ ବେଶ ଶାନ୍ତିରେ ଦିନ କାଟୁଥିଲେ।ଏଠାରୁ ଶ୍ରୀ ଜେନାଙ୍କର ରାଉରକେଲା ବଦଳି ଆଦେଶ ଆସିବା ପରେ ସ୍ଥାନୀୟ ଜନସାଧାରଣ ଏହାକୁ ଦୃଢ଼ ବିରୋଧ କରି ତାଙ୍କର ବଦଳି ବାତିଲ କରିବାକୁ ଉପରିସ୍ଥ ଅଧିକାରୀଙ୍କୁ ମଧ୍ୟ ଜଣାଇଥିଲେ।ହେଲେ ଜିଲ୍ଲା ପାର ବଦଳି ଆଦେଶ ରୋକିବାକୁ ପୋଲିସ ବିଭାଗ ଅଗ୍ରାହ୍ୟ କରିବାରୁ ଶେଷରେ ତାଙ୍କର ରାଉରକେଲା ବଦଳି ହୋଇଥିଲା।ଶ୍ରୀ ଜେନାଙ୍କ ବିଦାୟ ସମୟରେ ତାଙ୍କୁ ଭଲ ପାଉଥିବା ବହୁଲୋକ ଅଶ୍ରୁଳ ନୟନରେ ବିଦାୟ ଦେଇଥିଲେ।ଏହାପରେ କିଛି ବର୍ଷ କେତେକ ସ୍ଥାନରେ କାର୍ଯ୍ୟ କରି ଶ୍ରୀ ଜେନା ପଦୋନ୍ନତି ପାଇ ପୁଣିଥରେ ଗଞ୍ଜାମ ପୋଲିସ ଜିଲ୍ଲାରେ ଆସିକା ଏସଡିପିଓ ଭାବେ କାର୍ଯ୍ୟରେ ଯୋଗ ଦେଇଥିଲେ।ହେଲେ ଏଠାରେ ପୂର୍ବ ପରି କାର୍ଯ୍ୟରେ ତାଙ୍କର ଆଗ୍ରହ ନଥିଲା। ଲୋକଙ୍କୁ ସୁରକ୍ଷା ଦେବା ବଦଳରେ ସେ ବିଭିନ୍ନ ଉପାୟରେ ହଇରାଣ କରିବା ସହ ତଳ କର୍ମଚାରୀଙ୍କ ଦ୍ଵାରା ବଟି ଆଦାୟରେ ଲାଗି ପଡ଼ିଥିଲେ। ଏଭଳି ସ୍ଥିତିରେ ଶ୍ରୀ ଜେନାଙ୍କ ବିରୁଦ୍ଧରେ ବିଭିନ୍ନ ଅଭିଯୋଗକୁ ଭିତ୍ତିକରି ତାଙ୍କୁ କାର୍ଯ୍ୟରୁ ନିଲମ୍ବନ କରାଯାଇଛି।ତାଙ୍କ ସ୍ଥାନରେ ଗିରିଜା ପଟ୍ଟନାୟକଙ୍କୁ ନୂତନ ଦାୟିତ୍ୱ ପ୍ରଦାନ କରାଯାଇଛି।