ନବରଙ୍ଗପୁର ଜିଲ୍ଲାରେ 'ଓଡ଼ିଆ ପକ୍ଷ - ୨୦୨୬' ଅବସରରେ "ଆସ ବହିଟିଏ କିଣିବା" ଦିବସ ପାଳନ
ନବରଙ୍ଗପୁର, ୦୯/୦୪ ( ଶେଖର ଖୁରା ) : ଆଜି ସ୍ଥାନୀୟ ମହିଳା ମହାବିଦ୍ୟାଳୟ ଠାରେ "ଆସ ବହିଟିଏ କିଣିବା"ଅତ୍ୟନ୍ତ ଉତ୍ସାହର ସହ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାର ସମସ୍ତ ବ୍ଲକ ଏବଂ ବିଶେଷ କରି ସମସ୍ତ ମହାବିଦ୍ୟାଳୟରେ ଏହି ଅଭିଯାନ ଆରମ୍ଭ ହୋଇଥିବା ବେଳେ ନବରଙ୍ଗପୁର ମହିଳା ମହାବିଦ୍ୟାଳୟଠାରେ ମୁଖ୍ୟ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି ଉତ୍ସବରେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ତପନ ଖୁଣ୍ଟିଆ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ମନୋଜ କୁମାର ବେହେରା, ଜିଲ୍ଲା ସଂସ୍କୃତି ଅଧିକାରୀ ଘାସିଆ ହରିଜନ, ପ୍ରକଳ୍ପ ଅଧିକାରୀ( ଜରୁରୀ ବିଭାଗ) ହିମାଂଶୁ ପଟ୍ଟନାୟକ, ମୁଖ୍ୟ ବକ୍ତା ଭାବେ ପୂର୍ବତନ ଉଦ୍ଘୋଷକ ଆକାଶବାଣୀ ଜୟପୁରର ଉଦୟ ଶଙ୍କର ଜାନୀ, ମହିଳା ମହାବିଦ୍ୟାଳୟର ଅଧ୍ୟକ୍ଷା ମାଲେଶ୍ୱରି ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ଅଧ୍ୟାପିକା ଶ୍ରୀମତୀ ସଂଯୁକ୍ତା ପଣ୍ଡା କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ। ଅତିଥିମାନଙ୍କ ଦ୍ୱାରା ଦୀପ ପ୍ରଜ୍ୱଳନ ପରେ ଆଧୁନିକ ସମାଜରେ ବହି ପଢ଼ିବାର ଗୁରୁତ୍ୱ ଏବଂ ଛାତ୍ରୀ ମାନଙ୍କ ମଧ୍ୟରେ ପଠନ ଅଭ୍ୟାସ ବୃଦ୍ଧି କରିବା ପାଇଁ ପରାମର୍ଶ ପ୍ରଦାନ କରାଯାଇଥିଲା। ଶିକ୍ଷାର୍ଥୀମାନଙ୍କୁ ପୁସ୍ତକ ପ୍ରତି ଆକୃଷ୍ଟ କରିବା ପାଇଁ ବିଭିନ୍ନ ସାଂସ୍କୃତିକ ପୁସ୍ତକ, ଉତ୍କଳ ପ୍ରସଙ୍ଗ, ଓଡ଼ିଶା ରିଭ୍ୟୁ,ଓଡ଼ିଆ ପତ୍ରପତ୍ରିକା, ଗଳ୍ପ, କବିତା ଏବଂ ଜର୍ଣ୍ଣାଲ୍ ଆଦି ପ୍ରଦର୍ଶିତ କରାଯାଇଥିଲା। କାର୍ଯ୍ୟକ୍ରମର ଶେଷ ଭାଗରେ ଛାତ୍ରଛାତ୍ରୀମାନେ ନିଜ ପସନ୍ଦର ବହି କିଣିବା ସହ ଅତିଥିମାନଙ୍କ ଦ୍ୱାରା ବହୁମୂଲ୍ୟ ପୁସ୍ତକ ବଣ୍ଟନ କରାଯାଇଥିଲା। ଏହି ଅଭିଯାନ ଜିଲ୍ଲାର ବୌଦ୍ଧିକ ବିକାଶ ଓ ଓଡ଼ିଆ ଭାଷା ପ୍ରୀତିକୁ ଆହୁରି ସମୃଦ୍ଧ କରିବ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି।କାର୍ଯ୍ୟକ୍ରମ ରୂପାୟନ ରେ ମହାବିଦ୍ୟାଳୟର ଅଧ୍ୟାପକ ଅଧ୍ୟାପିକା,ଛାତ୍ରୀଗଣ ଏବଂ ଜିଲ୍ଲା ସଂସ୍କୃତି କାର୍ଯ୍ୟଲୟର କର୍ମଚାରୀ ଆତ୍ମପ୍ରକାଶ ସାହୁ, ଏ .ସନ୍ତୋଷ ସହଯୋଗ କରିଥିଲେ।