Hot Posts

6/recent/ticker-posts

ନୂଆପଡାରେ ସିବିଏସଇ ଦଶମ ଶ୍ରେଣୀ ପରୀକ୍ଷାରେ ଉଲ୍ଲେଖନୀୟ ପ୍ରଦର୍ଶନ: ୧୦ ଟପ୍ପର ଛାତ୍ରଛାତ୍ରୀଙ୍କୁ ଜିଲ୍ଲା ପ୍ରଶାସନଙ୍କ ପକ୍ଷରୁ ସମ୍ବର୍ଦ୍ଧନା।

ନୂଆପଡା, ୧୭/୦୪ ( ପରମେଶ୍ୱର ମେହେର ) : ସିବିଏସଇ ଦଶମ ଶ୍ରେଣୀ–୨୦୨୬ର ପରୀକ୍ଷାରେ ଏବର୍ଷ ନୂଆପଡା ଜିଲ୍ଲାର ଛାତ୍ରଛାତ୍ରୀମାନେ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି। ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଉତ୍କୃଷ୍ଟ ଫଳାଫଳ ହାସଲ କରି ସ୍କୁଲ ଏବଂ ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି। ସମଗ୍ର ଶିକ୍ଷା, ନୂଆପଡାର ଆନୁକୂଳ୍ୟରେ ଦଶମ ଶ୍ରେଣୀ ଟପ୍ପରମାନଙ୍କ ପାଇଁ ଆଜି ଜିଲ୍ଲାସ୍ତରୀୟ ସମ୍ବର୍ଦ୍ଧନା ସଭା ମୁଖ୍ୟାଳୟର ସ୍ଥାନୀୟ କନଫରେନ୍ସ ହଲରେ ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ଏହି ପରୀକ୍ଷାରେ ପିଏମ୍ ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ, ଖରିଆରର ଛାତ୍ରୀ ଆରୁଷି ଶୁକ୍ଳା ୪୯୧ ମାର୍କ (୯୮.୨%) ସହ ଜିଲ୍ଲା ଟପ୍ପର ହୋଇଥିବାବେଳେ, ସେହି ବିଦ୍ୟାଳୟର ମଧୁସ୍ମିତା ମହାନ୍ତି ଓ ପ୍ରତିକ୍ଷା କୁମ୍ଭାର ୪୮୭ ମାର୍କ (୯୭.୪%) ସହ ଯୁଗ୍ମ ଭାବେ ଦ୍ୱିତୀୟ ସ୍ଥାନ ଅଧିକାର କରିଥିଲେ। ସେହିପରି ପିଏମ୍ ଶ୍ରୀ ଜବାହର ନବୋଦୟ ବିଦ୍ୟାଳୟ, ତରବୋଡର ସମୀକ୍ଷା ପି. ସବର ୪୮୨ (୯୬.୩୩%), ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ନେଗିପାଲିର ଯୋଗେଶ କେଉଟ ୪୮୨ (୯୬.୪%), ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ବାଡିର ପ୍ରିୟାଂଶି ସାହୁ ୪୮୭ (୯୭.୪%), ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ଝାଗରାହିର ପ୍ରାଚୀ ଜୈନ ୪୭୫ (୯୫%), ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ତିମାନପୁରର କୁମକୁମ ଟାଣ୍ଡି ୪୭୭ (୯୫.୪%), ଓଡ଼ିଶା ଆଦର୍ଶ ବିଦ୍ୟାଳୟ, କେଶରାଜପୁରର ସୁଭ୍ରାନ ଶେଖର ପଣ୍ଡା ୪୬୯ (୯୩.୮%) ଓ ଏକଲବ୍ୟ ମଡେଲ ଆବାସିକ ବିଦ୍ୟାଳୟ, ନୂଆପଡାର ପ୍ରେରଣା ସେଠ ୪୫୦ (୯୦%) ମାର୍କ ରଖି ସ୍ୱତନ୍ତ୍ର ସଫଳତା ଅଧିଗତ କରିଥିଲେ। ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଜିଲ୍ଲାପାଳଙ୍କ ସହ ଅତିରିକ୍ତ ଜିଲ୍ଲାପାଳ ସୁବାଷ ଚନ୍ଦ୍ର ରଇତ, ମୁଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ, ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଶାନ୍ତ କୁମାର ମହାନ୍ତି ସହ ଅନ୍ୟାନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ। ସମ୍ମାନିତ ଛାତ୍ରଛାତ୍ରୀମାନେ ନିଜ ସଫଳତାର ଯାତ୍ରା ବିଷୟରେ ଅନୁଭବ ବାଣ୍ଟି, ଦୃଢ଼ ପରିଶ୍ରମ, ଶିକ୍ଷକମାନଙ୍କ ମାର୍ଗଦର୍ଶନ ଓ ଅଭିଭାବକମାନଙ୍କ ପ୍ରେରଣାକୁ ସେମାନଙ୍କ ସଫଳତାର ମୂଳ ମନ୍ତ୍ର ବୋଲି କହିଥିଲେ। ଏହି ଅବସରରେ ଜିଲ୍ଲାପାଳ କହିଥିଲେ ଯେ, ଆଜି ନବୋଦୟ ବିଦ୍ୟାଳୟ, କେନ୍ଦ୍ରୀୟ ବିଦ୍ୟାଳୟ ଓ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ୧୦ ଜଣ କୃତି ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା କରାଯାଇଛି। ଏହି ସମ୍ବର୍ଦ୍ଧନା ସେମାନଙ୍କୁ ଆଗାମୀ ଦିନରେ ଆହୁରି ଉତ୍କୃଷ୍ଟ ପ୍ରଦର୍ଶନ ପାଇଁ ଉତ୍ସାହିତ କରିବ। ସେହିପରି ଜିଲ୍ଲାରେ ଶିକ୍ଷାର ଗୁଣାତ୍ମକ ଉନ୍ନତି ପାଇଁ ନିଆଯାଇଥିବା ପଦକ୍ଷେପ ଓ ଦୃଷ୍ଟିକୋଣ ବିଷୟରେ ସେ ଉଲ୍ଲେଖ କରିଥିଲେ।ଏହି ସମ୍ବର୍ଦ୍ଧନା ସଭା ଛାତ୍ରଛାତ୍ରୀମାନଙ୍କୁ ଆଗାମୀ ଦିନରେ ଆହୁରି ଉତ୍ତମ ପ୍ରଦର୍ଶନ ପାଇଁ ପ୍ରେରଣା ଯୋଗାଇବା ସହ ଜିଲ୍ଲାରେ ଶିକ୍ଷାର ଗୁଣାତ୍ମକ ଉନ୍ନତିକୁ ଏକ ନୂତନ ଦିଗ ଦେଇଛି।