ନୂଆପଡ଼ାରେ ସୁଭଦ୍ରା ଶକ୍ତି ମହିଳା ସଶକ୍ତିକରଣ ସଚେତନତା ଶୋଭାଯାତ୍ରା ଆୟୋଜିତ।
ନୂଆପଡ଼ା, ୧୬/୦୪ ( ପରମେଶ୍ୱର ମେହେର ) : ନୂଆପଡ଼ା ଜିଲ୍ଲା ପ୍ରଶାସନ ଓ ମିଶନ ଶକ୍ତି ବିଭାଗ ଆନୁକୂଳ୍ୟରେ ଆଜି ‘ନାରୀ ଶକ୍ତି ବନ୍ଦନ ଅଧିନିୟମ’ ବିଷୟରେ ଜିଲ୍ଲାସ୍ତରୀୟ ସୁଭଦ୍ରା ଶକ୍ତି ମହିଳା ସଶକ୍ତିକରଣ ସଚେତନତା ଶୋଭାଯାତ୍ରା ଆୟୋଜିତ ହୋଇଯାଇଛି। ଜିଲ୍ଲାପାଳ ମଧୁସୁଦନ ଦାଶ ଏହି ଶୋଭାଯାତ୍ରାକୁ ମୁଖ୍ୟାଳୟ ପରିସରରୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଶୋଭାଯାତ୍ରାରେ ଶତାଧିକ ସ୍ୱୟଂସହାୟକ ଗୋଷ୍ଠୀ (SHG), କମ୍ୟୁନିଟି ସପୋର୍ଟ ଷ୍ଟାଫ ଓ ଫେଡେରେସନ ସଦସ୍ୟମାନେ ଭାଗ ନେଇଥିଲେ। ପରେ ସଦ୍ଭାବନା ସଭାଗୃହ ପରିସରରେ ଏକ ସଭା ଆୟୋଜିତ ହୋଇଥିଲା। ସଭାରେ ଜିଲ୍ଲାପାଳଙ୍କ ସହ ମୁଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ, ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ଶ୍ରୀମତୀ ଏସ୍. ଗୀତା, ମିଶନ ଶକ୍ତି ଜିଲ୍ଲା ପ୍ରକଳ୍ପ ସଂଯୋଜକ ସୁନୀଲ କୁମାର ମଲ୍ଲିକ ସହିତ ଅନ୍ୟାନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ। ଏହି ଅବସରରେ କିଛି “ଲକ୍ଷପତି ଦିଦି” ତାଙ୍କ ସଫଳତାର କାହାଣୀ ବର୍ଣ୍ଣନା କରିଥିଲେ। ସେମାନେ କିପରି ମିଶନ ଶକ୍ତି ମାଧ୍ୟମରେ ସଶକ୍ତ ଓ ସ୍ୱାବଳମ୍ବୀ ହୋଇ ସମାଜରେ ନିଜସ୍ୱ ପରିଚୟ ସୃଷ୍ଟି କରିପାରିଛନ୍ତି, ତାହା ଉପସ୍ଥାପନ କରିଥିଲେ। ଜିଲ୍ଲାପାଳ ତାଙ୍କ ଉଦ୍ବୋଧନରେ SHG ମହିଳାମାନେ କେବଳ “ଲକ୍ଷପତି ଦିଦି” ନୁହେଁ, ବରଂ ଆଗାମୀଦିନରେ “ଶିଳ୍ପପତି” ଭାବେ ମଧ୍ୟ ଆତ୍ମପ୍ରକାଶ କରିବେ ବୋଲି ଆଶା ବ୍ୟକ୍ତ କରିଥିଲେ। ସେ ମହିଳାମାନଙ୍କୁ ଋଣକୁ ପୁଞ୍ଜି କରି ଆଗକୁ ବଢ଼ି ସଶକ୍ତ ହେବା ସହ ସମାଜକୁ ସଶକ୍ତ କରିବାକୁ ଆହ୍ୱାନ ଦେଇଥିଲେ। ଚଳିତ ଆର୍ଥିକ ବର୍ଷରେ SHG ମାନଙ୍କୁ ଋଣ ପ୍ରଦାନ କ୍ଷେତ୍ରରେ ଜିଲ୍ଲା ପ୍ରଶାସନ ଉଲ୍ଲେଖନୀୟ ସଫଳତା ହାସଲ କରିଥିବା ସେ କହିଥିଲେ। SHG ମହିଳାମାନଙ୍କ ସଫଳତାକୁ ସେ ଜିଲ୍ଲା ପ୍ରଶାସନର ସଫଳତା ବୋଲି ବର୍ଣ୍ଣନା କରିଥିଲେ। ଶେଷରେ ମିଶନ ଶକ୍ତି ଜିଲ୍ଲା ପ୍ରକଳ୍ପ ସଂଯୋଜକ ଧନ୍ୟବାଦ ଅର୍ପଣ କରିଥିଲେ।