କ୍ଷେତରେ ମୁଗ ଚାଷର ସମ୍ଭାର : ବିକ୍ରି ବଟା ପାଇଁ କୌଣସି ସୁବିଧା ନାହିଁ
ବାଲିଆପାଳ, ୯/୪ ( ସନ୍ୟାସୀ ବେହେରା ) : ଚଳିତ ବର୍ଷ ଅନୁକୂଳ ପାଗ ଯୋଗୁଁ ବାଲିଆପାଳ ଅଞ୍ଚଳରେ ପ୍ରଚୁର ପରିମାଣରେ ମୁଗ, ବିରି ଚାଷ ହୋଇଛି। ଆଉ କେଇ ଦିନ ପରେ କ୍ଷେତରୁ ମୁଗ ଅମଳ ହେବ। ଏବେ ଚାଷ କ୍ଷେତରେ ସମ୍ଭାର ଭାଙ୍ଗୁଛି। ରବି ଋତୁରେ ବାଲିଆପାଳ ଅଞ୍ଚଳରେ ସାଧାରଣତଃ ମୁଗ ଓ ବିରି ଚାଷ ହୋଇ ଥାଏ। ଖରିଫ ଧାନ ଚାଷ ଅମଳ ପରେ ଚାଷୀ ବିଲରେ ମୁଗ ବିରି ଚାଷ କରିଥାନ୍ତି। ଚାଷ ପାଇଁ କମ ଜଳ ସେଚନ ସାଙ୍ଗକୁ କମ ସାର ଓ କୀଟ ନାଶକ ଆବଶ୍ୟକ ପଡେ। ବାଲିଆପାଳ ବ୍ଲକର ସୁବର୍ଣ୍ଣ ରେଖା ନଦୀ ଅବବାହିକା କୁମ୍ଭାରୀ, ନିଖିରା, ଶ୍ରୀରାମପୁର, ଦେଭୋଗ, ଅସ୍ତି, ବାଲିଆପାଳ, ବିଷ୍ଣୁପୁର, ଜାମକୁଣ୍ଡା, ମଧୁପୁରା, ଦେଉଳା, କୁଣ୍ଡୁଳି, ବଣିଆଡିହା, ପଞ୍ଚୁପାଲି, ବଳରାମପୁର, ବାଲିକୁଟି ଆଦି ପଞ୍ଚାୟତରେ ୩୦ ରୁ ୪୦ ପ୍ରତିଶତ ଜମିରେ ମୁଗ ଓ ବିରି ଚାଷ ହୋଇଛି। ଏହାର ବିକ୍ରି ବଟା ପାଇଁ ସରକାରୀ ସ୍ତରରେ କୌଣସି ମଣ୍ଡି ନ ଥିବାରୁ ଚାଷୀମାନେ ବିଶେଷ ଭାବେ ଫାଇଦା ପାଇ ପାରନ୍ତି ନାହିଁ। ପଶ୍ଚିମ ବଙ୍ଗ, ଆନ୍ଧ୍ର ର ବେପାରୀ ମାନେ ଅମଳ ସମୟରେ ଆସି ଖୁବ ଫାଇଦା ଉଠାନ୍ତି। ସରକାର ଏଥି ପ୍ରତି ଦୃଷ୍ଟି ଦେବାକୁ ଚାଷୀ ମହଲରୁ ଦାବି ହୋଇଛି।