Hot Posts

6/recent/ticker-posts

ବିପଦସଙ୍କୁଳ ଅବସ୍ଥାରେ ଅଙ୍ଗନବାଡ଼ି କେନ୍ଦ୍ର

ଝରିଗାଁ, ୦୭/୦୪ (ନକୁଳ ଭତ୍ରା) : ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ବକଡାବେଡା ପଞ୍ଚାୟତର ମଝିଆ(କ) ଓ ମଝିଆ(ଖ) ଗ୍ରାମର ଅଙ୍ଗନବାଡ଼ି କେନ୍ଦ୍ର ବହୁ ଅବ୍ୟବସ୍ଥା ମଧ୍ୟରେ ଗତି କରୁଛି । ମଝିଆ(କ) ଗ୍ରାମର ଅଙ୍ଗନବାଡ଼ି କେନ୍ଦ୍ର ଗୃହର ବିଭିନ୍ନ ସ୍ଥାନରେ କାନ୍ଥ ଫାଟ ସୃଷ୍ଟି ହୋଇଛି। ଯେ କୌଣସି ମୁହୂର୍ତ୍ତରେ ଅଘଟଣ ଘଟିବାର ଆଶଙ୍କା ରହିଥିଲେ ମଧ୍ୟ କେନ୍ଦ୍ର ଗୃହରେ ପିଲାମାନଙ୍କୁ ପ୍ରାକ୍ ଶିକ୍ଷା ପ୍ରଦାନ କରାଯାଉଛି । କେନ୍ଦ୍ରରେ ସମୁଦାୟ ୪୯ଜଣ ଶିଶୁ ଅଧ୍ୟୟନ କରୁଛନ୍ତି ବୋଲି ଅଙ୍ଗନବାଡ଼ି କର୍ମୀ ଉର୍ମିଳା ଭତ୍ରା କହିଛନ୍ତି। ପାନୀୟ ଜଳ ପାଇଁ ନଳକୂପ ନଥିବା ବେଳେ ନିର୍ମାଣ ହୋଇଥିବା ଶୌଚାଳୟ ଭୁସୁଡ଼ି ପଡ଼ିଛି । ରୋଷେଇ ଗୃହ ରହିଥିଲେ ମଧ୍ୟ ଭଙ୍ଗିରୁଛି ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି। ପିଲାମାନଙ୍କ ପାଇଁ ରୋଷେଇ ବାହାରେ କରାଯାଉଛି। ଏ ବିଷୟରେ ବିଭାଗୀୟ କର୍ତ୍ତୃପକ୍ଷଙ୍କଠାରେ ଅଭିଯୋଗ କରାଯାଇଥିଲେ ମଧ୍ୟ କେହି ଧ୍ୟାନ ଦେଉନାହାନ୍ତି ବୋଲି ଗ୍ରାମବାସୀ କହିଛନ୍ତି । ସେହିପରି ମଝିଆ(ଖ) ଗ୍ରାମର ଅଙ୍ଗନବାଡ଼ି କେନ୍ଦ୍ରରେ ୨୭ଜଣ ପିଲା ଅଧ୍ୟୟନ କରୁଛନ୍ତି। ଏଠାକାର ଗୃହର ସିମେଣ୍ଟ ଖସି ଫାଉଣ୍ଡେସନ ଲେବଲର ରୋଡ ସବୁ ବାହାରି ଯାଇଛି । ଗୃହ ଭିତରେ ବିଭିନ୍ନ ସ୍ଥାନରେ ବଡ ବଡ ଫାଟ ସୃଷ୍ଟି ହୋଇଛି । ସାମାନ୍ୟ ବର୍ଷା ହେଲେ ଛାତରୁ ପାଣି ଗଲୁଛି । ଫଳରେ ଗୃହ ଭିତରେ ପିଲାମାନଙ୍କୁ ବସିବା ସମ୍ଭବ ହୋଇପାରୁନାହିଁ । ଏହା ବ୍ୟତୀତ ନଳକୂପ ଓ ଶୌଚାଳୟର ବ୍ୟବସ୍ଥା ନଥିବାରୁ ପିଲାମାନ ଖୋଲାରେ ଶୌଚ ହେବା ସହ ପାନୀୟ ଜଳ ପାଇଁ ସହାୟକଙ୍କୁ ଅନ୍ୟ ସ୍ଥାନରୁ ପାଣି ସଂଗ୍ରହ କରିବାକୁ ପଡିଛି ବୋଲି ଅଭିଯୋଗ ହୋଇଛି। ପିଲାମାନଙ୍କୁ ବିପଦସଙ୍କୁଳ ଅବସ୍ଥାରେ ପାଠ ପଢ଼ାଉଛନ୍ତି ବୋଲି ଅଙ୍ଗନବାଡ଼ି କର୍ମୀ ରତନା ମାଝୀ କହିଛନ୍ତି । ଏନେଇ ଝରିଗାଁ ସିଡିପିଓଙ୍କୁ ଫୋନ କରାଯାଇଥିଲେ ମଧ୍ୟ ଯୋଗାଯୋଗ ହୋଇପାରିନାହିଁ । ତେଣୁ ପ୍ରଶାସନ ଅଙ୍ଗନବାଡ଼ି କେନ୍ଦ୍ରର ସମସ୍ୟା ପ୍ରତି ପଦକ୍ଷେପ ନେବାକୁ ଦାବି ହୋଇଛି ।