ଆମ ରୁଚି, ଆମ ଖାଦ୍ୟ : ଫୁଲବାଣୀରେ ପାରମ୍ପରିକ ଖାଦ୍ୟ ମେଳାରେ ଜମିଲା ରଙ୍ଗ
ଫୁଲବାଣୀ, ୧୪/୦୪ (ଅଚ୍ୟୁତ ଜାନୀ) : ଓଡ଼ିଆ ପକ୍ଷ–୨୦୨୬ ପାଳନ ଅବସରରେ ମଙ୍ଗଳବାର ଦିନ ଜିଲ୍ଲା ସଂସ୍କୃତି କାର୍ଯ୍ୟାଳୟ, ଫୁଲବାଣୀ ପକ୍ଷରୁ “ଆମ ରୁଚି, ଆମ ଖାଦ୍ୟ” ଶୀର୍ଷକରେ ପାରମ୍ପରିକ ଖାଦ୍ୟ ମେଳା ଆୟୋଜିତ ହୋଇଥିଲା। ଏହି ଅବସରରେ ଫୁଲବାଣୀ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରଶାସକ ତଥା ସଂସ୍କୃତି ଅଧିକାରୀ ଗଦାଧର ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଖାଦ୍ୟ ମେଳାକୁ ଉଦ୍ଘାଟନ କରିଥିଲେ।ସମ୍ମାନନୀୟ ଅତିଥି ଭାବେ ଜିଲ୍ଲା ସହରାଞ୍ଚଳ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ପ୍ରବୀଣ କୁମାର ବାଣୁଆ, ଉପଜିଲ୍ଲାପାଳ ଭିକାରି ସାହୁ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୌମ୍ୟରଞ୍ଜନ ପାତ୍ର, ଏପିଡି ନରେନ୍ଦ୍ର କୁମାର ନାୟକ, ଉପଖଣ୍ଡ ପୋଲିସ ଅଧିକାରୀ ଶୁଭ୍ରାଜିତ ବିଶ୍ୱାଳ, ଜିଲ୍ଲା ଖାଦ୍ୟ ନିରାପତ୍ତା ଅଧିକାରୀ ସତ୍ୟବ୍ରତ ଷେଣ୍ଢ ଓ ଓଏସିଏଫଓ ସ୍ୱତାଲୀନା ସାହୁ ପ୍ରମୁଖ ଯୋଗଦେଇଥିଲେ।ଏହି ଖାଦ୍ୟ ମେଳାରେ ଜିଲ୍ଲାର ବିଭିନ୍ନ ବ୍ଲକରୁ ୧୨ଟି ସ୍ୱୟଂ ସହାୟକ ଗୋଷ୍ଠୀ ଅଂଶଗ୍ରହଣ କରି ପାରମ୍ପରିକ ଓ ସ୍ୱାସ୍ଥ୍ୟକର ଖାଦ୍ୟ ପ୍ରସ୍ତୁତ କରିଥିଲେ। ମାଣ୍ଡିଆ ସୂପ, ଚାଉମିନ, ପିଠା, କାକରା ଇତ୍ୟାଦି ଖାଦ୍ୟ ପ୍ରଦର୍ଶନୀ ଏବଂ ସ୍ୱାଦରେ ଦର୍ଶକମାନଙ୍କ ଆକର୍ଷଣ କେନ୍ଦ୍ରବିନ୍ଦୁ ହୋଇଥିଲା।ପ୍ରତିଯୋଗିତାରେ ରାଇକିଆ ବ୍ଲକର ସତ୍ୟଜ୍ୟୋତି ସ୍ୱୟଂ ସହାୟକ ଗୋଷ୍ଠୀ ପ୍ରଥମ ସ୍ଥାନ ଅଧିକାର କରି ୧୫ ହଜାର ଟଙ୍କା ପୁରସ୍କାର ପାଇଥିବା ବେଳେ, ଫୁଲବାଣୀ ପୌର ପରିଷଦର ଜନନୀ ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ୱିତୀୟ ସ୍ଥାନ ଅଧିକାର କରି ୧୦ ହଜାର ଟଙ୍କା ଓ ସୁକନ୍ୟା ସ୍ୱୟଂ ସହାୟକ ଗୋଷ୍ଠୀ ତୃତୀୟ ସ୍ଥାନ ଅଧିକାର କରି ୫ ହଜାର ଟଙ୍କା ସହ ମାନପତ୍ର ପାଇଥିଲେ।ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ବିଭାଗୀୟ ଅଧିକାରୀ, ସ୍ଥାନୀୟ ବୁଦ୍ଧିଜୀବୀ ଓ ଗଣମାଧ୍ୟମ ପ୍ରତିନିଧିମାନଙ୍କର ସକ୍ରିୟ ଉପସ୍ଥିତି ଦେଖାଯାଇଥିଲା। ଓଡ଼ିଆ ପାରମ୍ପରିକ ଖାଦ୍ୟର ପ୍ରଚାର ପ୍ରସାର ସହ ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କୁ ଉତ୍ସାହିତ କରିବାରେ ଏହି ମେଳା ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ମତ ପ୍ରକାଶ ପାଇଥିଲା।