Hot Posts

6/recent/ticker-posts

ପଣା ସଂକ୍ରାନ୍ତିରେ ଓଡ଼ିଆ ପକ୍ଷର ଭବ୍ୟ ଉଦଯାପନ : ଫୁଲବାଣୀରେ ନବବର୍ଷ ଓ ସମ୍ବର୍ଦ୍ଧନା ପର୍ବ ଉତ୍ସାହମୟ

ଫୁଲବାଣୀ,  ୧୪/୦୪ (ଅଚ୍ୟୁତ ଜାନୀ) : କନ୍ଧମାଳ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସଂସ୍କୃତି ପରିଷଦର ମିଳିତ ଆନୁକୂଳ୍ୟରେ ସ୍ଥାନୀୟ ଜିଲ୍ଲା ସଂସ୍କୃତି କାର୍ଯ୍ୟାଳୟ ପରିସରରେ ଓଡ଼ିଆ ନବବର୍ଷ ଓ ସମ୍ବର୍ଦ୍ଧନା ପର୍ବ ଉତ୍ସାହ ଓ ଆନନ୍ଦର ସହ ପାଳିତ ହୋଇଯାଇଛି। ଗତ ଅପ୍ରିଲ ୧ ତାରିଖଠାରୁ ଆରମ୍ଭ ହୋଇଥିବା “ଓଡ଼ିଆ ପକ୍ଷ–୨୦୨୬” ଉତ୍ସବ ପବିତ୍ର ପଣା ସଂକ୍ରାନ୍ତି ଅବସରରେ ଏକ ଭବ୍ୟ ସମାରୋହରେ ଉଦଯାପିତ ହୋଇଥିଲା।ଏହି କାର୍ଯ୍ୟକ୍ରମରେ କନ୍ଧମାଳ ଜିଲ୍ଲାପାଳ ଶ୍ରୀ ବେଦଭୂଷଣ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଓଡ଼ିଆ ଅସ୍ମିତା, ଭାଷା ଓ ସଂସ୍କୃତିର ସୁରକ୍ଷା ଓ ପ୍ରଚାର ଉପରେ ଗୁରୁତ୍ୱ ଆରୋପ କରିଥିଲେ। ସମ୍ମାନିତ ଅତିଥି ଭାବେ ଆରକ୍ଷୀ ଅଧୀକ୍ଷକ ହରିଶ ବି.ସି., ଅତିରିକ୍ତ ଜିଲ୍ଲାପାଳ କୁଶଳ ଚନ୍ଦ୍ର ନାୟକ, ଜିଲ୍ଲା ପରିଷଦର ସିଇଓ ଶମ୍ଭୁନାଥ ନନ୍ଦୀ, ଜିଲ୍ଲା ସହରାଞ୍ଚଳ ଉନ୍ନୟନ ସଂସ୍ଥାର ପିଡି ପ୍ରବୀଣ କୁମାର ବାଣୁଆ ଓ ଉପଖଣ୍ଡ ପୋଲିସ ଅଧିକାରୀ ଶୁଭ୍ରଜିତ ବିଶ୍ୱାଳ ଉପସ୍ଥିତ ରହି ଜିଲ୍ଲାବାସୀଙ୍କୁ ଓଡ଼ିଆ ନବବର୍ଷର ଶୁଭେଚ୍ଛା ଜଣାଇବା ସହ ସାମାଜିକ ସମ୍ମିଳନ ଓ ସଦଭାବନା ରକ୍ଷା ପାଇଁ ଆହ୍ୱାନ କରିଥିଲେ।ଓଡ଼ିଆ ପାରମ୍ପରିକ ଐତିହ୍ୟକୁ ଜୀବନ୍ତ ରଖିବା ଉଦ୍ଦେଶ୍ୟରେ ଝୋଟି ଓ ମୁରୁଜ ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ଏଥିରେ ବହୁ ପ୍ରତିଯୋଗୀ ଅଂଶଗ୍ରହଣ କରିଥିବା ବେଳେ କୃତୀମାନଙ୍କୁ ମାନପତ୍ର ପ୍ରଦାନ କରି ସମ୍ମାନିତ କରାଯାଇଥିଲା।ଏହାସହ ଜିଲ୍ଲାରେ ମାଓ ଦମନ କ୍ଷେତ୍ରରେ ଉଲ୍ଲେଖନୀୟ ସେବା ପାଇଁ ସୁରକ୍ଷା ଯବାନମାନଙ୍କୁ ମଧ୍ୟ ଅତିଥିମାନଙ୍କ ଦ୍ୱାରା ସମ୍ମାନିତ କରାଯାଇଥିଲା। କାର୍ଯ୍ୟକ୍ରମ ଶେଷରେ ବିଭିନ୍ନ କ୍ଷେତ୍ରରେ ସ୍ୱତନ୍ତ୍ର ଅବଦାନ ରଖିଥିବା ବ୍ୟକ୍ତିବିଶେଷଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା।ମହାବିଷୁବ ସଂକ୍ରାନ୍ତି ଅବସରରେ ଆଗନ୍ତୁକ ଅତିଥି ଓ ସାଧାରଣ ଲୋକଙ୍କୁ ପାରମ୍ପରିକ ପଣା ବଣ୍ଟନ କରାଯାଇଥିଲା। ଫୁଲବାଣୀ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରଶାସକ ତଥା ଜିଲ୍ଲା ସଂସ୍କୃତି ଅଧିକାରୀ ଗଦାଧର ପାତ୍ର କାର୍ଯ୍ୟକ୍ରମଟିକୁ ସୁଚାରୁ ଭାବେ ପରିଚାଳନା କରିଥିବା ସହ ଶେଷରେ ଧନ୍ୟବାଦ ଜଣାଇଥିଲେ।ଏହି ଅବସରରେ ଜିଲ୍ଲାର ବିଭିନ୍ନ ବିଭାଗୀୟ ଅଧିକାରୀ, ବୁଦ୍ଧିଜୀବୀ, କଳାକାର, ସ୍ଥାନୀୟ ଜନସାଧାରଣ ଓ ଗଣମାଧ୍ୟମ ପ୍ରତିନିଧିମାନଙ୍କର ଉଲ୍ଲେଖନୀୟ ଉପସ୍ଥିତି ଦେଖାଯାଇଥିଲା।