ନୂଆପଡ଼ାରେ ଦେବାର ଆଦର୍ଶ କଲୋନୀର ଲୋକାର୍ପଣ; ୧୫ ହିତାଧିକାରୀଙ୍କ ଗୃହ ପ୍ରବେଶ।
ନୂଆପଡ଼ା, ୧୪/୦୪ ( ପରମେଶ୍ୱର ମେହେର ) : ନୂଆପଡ଼ା ଜିଲ୍ଲାରେ ବାସହୀନ ଲୋକଙ୍କ ଥଇଥାନ ପାଇଁ ନବନିର୍ମିତ ଦେବାର ଆଦର୍ଶ କଲୋନୀର ଶୁଭ ଲୋକାର୍ପଣ ଆଜି ମାନ୍ୟବର ବିଧାୟକ ଜୟ ଧୋଲକିଆ ଓ ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଶୁଭ କରକମଳରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ, ସାଂସଦ ପ୍ରତିନିଧି ପ୍ରେମ ଅଗ୍ରୱାଲ ଓ ଏନଏସି ନିର୍ବାହୀ ଅଧିକାରୀ ସନ୍ଦୀପ କୁମାର ଚନ୍ଦ୍ରକାର ପ୍ରମୁଖ ଉପସ୍ଥିତ ଥିଲେ। ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅଧୀନରେ ନିର୍ମିତ ଏହି ଆଦର୍ଶ କଲୋନୀରେ ୧୫ଗୋଟି ପକ୍କା ଘର ନିର୍ମାଣ କରାଯାଇଛି। ଲୋକାର୍ପଣ ଅବସରରେ ମାନ୍ୟବର ବିଧାୟକ ଓ ଜିଲ୍ଲାପାଳଙ୍କ ଉପସ୍ଥିତିରେ ହିତାଧିକାରୀ ପରିବାରଙ୍କ ଦ୍ୱାରା ଗୃହ ପ୍ରବେଶ କାର୍ଯ୍ୟକ୍ରମ ସଂପନ୍ନ ହୋଇଥିଲା। ଘର ପାଇବା ପରେ ହିତାଧିକାରୀମାନଙ୍କ ମଧ୍ୟରେ ଆନନ୍ଦ ଓ ଉତ୍ସାହ ଦେଖିବାକୁ ମିଳିଥିଲା। ଏହି କଲୋନୀରେ ବିଦ୍ୟୁତ ସଂଯୋଗ, ପାନୀୟ ଜଳ ବ୍ୟବସ୍ଥା ଓ ଶୌଚାଳୟ ସହ ସମସ୍ତ ମୌଳିକ ସୁବିଧା ସୁନିଶ୍ଚିତ କରାଯାଇଛି। ଏକଲବ୍ୟ ମଡେଲ ଆବାସିକ ବିଦ୍ୟାଳୟ ନିକଟରେ ଅବସ୍ଥିତ ଏହି କଲୋନୀକୁ ଯାତାୟାତ ପାଇଁ ସଂଯୋଗ ସଡ଼କ ମଧ୍ୟ ନିର୍ମାଣ କରାଯାଇଛି। ହିତାଧିକାରୀମାନଙ୍କ ସହ ଆଲୋଚନା କରି ଜିଲ୍ଲାପାଳ ସେମାନଙ୍କୁ ଆଗାମୀ ସାତ ଦିନ ମଧ୍ୟରେ ନୂତନ ଘରରେ ବସବାସ ଆରମ୍ଭ କରିବାକୁ ପରାମର୍ଶ ଦେଇଥିଲେ। ଏହି ଅବସରରେ ଜଣେ ହିତାଧିକାରୀ ନିଜ ଅନୁଭବ ବ୍ୟକ୍ତ କରି ପ୍ରଶାସନକୁ ଧନ୍ୟବାଦ ଜଣାଇଥିଲେ। ସେ କହିଥିଲେ ଯେ, ଏହି କଲୋନୀରେ ସମସ୍ତ ମୌଳିକ ସୁବିଧା ଉପଲବ୍ଧ ଥିବାରୁ ସେମାନେ ଏଠାରେ ଭଲ ଭାବରେ ବସବାସ କରିପାରିବେ। ମାନ୍ୟବର ବିଧାୟକ ନିଜ ଅଭିଭାଷଣରେ କହିଥିଲେ ଯେ, ଏହି କଲୋନୀ ହିତାଧିକାରୀମାନଙ୍କ ଦୀର୍ଘଦିନର ସ୍ୱପ୍ନକୁ ସାକାର କରିଛି। ସେ ଏହାକୁ ସମ୍ଭବ କରିବାରେ ଜିଲ୍ଲା ପ୍ରଶାସନ, ଏନଏସି ଓ ସମସ୍ତ ସମ୍ପୃକ୍ତ କର୍ମଚାରୀଙ୍କ ପ୍ରୟାସକୁ ପ୍ରଶଂସା କରି ଧନ୍ୟବାଦ ଜଣାଇଥିଲେ। ପରବର୍ତ୍ତୀ କାର୍ଯ୍ୟକ୍ରମ ଭାବେ ଆଦର୍ଶ ପୋଲିସ ଥାନାରେ ଅତିଥିମାନଙ୍କ ଦ୍ୱାରା ଜଳଛତ୍ରର ଶୁଭାରମ୍ଭ କରାଯାଇଥିଲା। ଗ୍ରୀଷ୍ମ ଋତୁରେ ସାଧାରଣ ଲୋକଙ୍କ ପାଇଁ ପାନୀୟ ଜଳ ବ୍ୟବସ୍ଥା ନିମନ୍ତେ ଏହା ଆରମ୍ଭ କରାଯାଇଥିବା ବେଳେ ସ୍ଥାନୀୟ ନାଗରିକମାନେ ଏହାକୁ ସ୍ୱାଗତ କରିଥିଲେ।