ଚଟିଆଗୁଡାରେ ମାଁ ବେଲାରାଣୀ ଯାତ୍ରା ଉତ୍ସବର ଭବ୍ୟ ସମାପନ, ଶେଷ ସନ୍ଧ୍ୟା ହେଲା ରଙ୍ଗୀନ
ନୂଆପଡା, ୦୭/୦୪ ( ବନ ବିହାରି ମେହେର ) : ସିନାପାଲି ବ୍ଲକ ଅନ୍ତର୍ଗତ ଚଟିଆଗୁଡାରେ ଆୟୋଜିତ ମାଁ ବେଲାରାଣୀ ଯାତ୍ରା ଉତ୍ସବ ତିନି ଦିନ ଧରି ଚାଲିଥିବା ପରେ ଭବ୍ୟ ସାଂସ୍କୃତିକ ସମାରୋହ ମଧ୍ୟରେ ସଫଳତାର ସହ ସମାପନ ହୋଇଛି। ଅଞ୍ଚଳର ସଂସ୍କୃତି, ପରମ୍ପରା ଓ ଐତିହ୍ୟକୁ ଉଜାଗର କରିବା ଲକ୍ଷ୍ୟରେ ଏହି ଉତ୍ସବର ଆୟୋଜନ କରାଯାଇଥିଲା। ଉଦଘାଟନ ଦିନ ସକାଳ ୯ଟାରେ ମାଁ ବେଲାରାଣୀଙ୍କ ପୀଠରୁ ବିଶାଳ ମଶାଲ ଶୋଭାଯାତ୍ରା ବାହାରି ମହୁଲପଡ଼ା, ସାଗୁନଭାଡ଼ି ଓ ଚଟିଆଗୁଡା ଗ୍ରାମ ପରିକ୍ରମା କରି ଯାତ୍ରା ପଡିଆରେ ପହଞ୍ଚିଥିଲା। ଏହି ଶୋଭାଯାତ୍ରାରେ ଘୁମୁରା, ରାମକାଠି ଆଦି ପାରମ୍ପରିକ ନୃତ୍ୟ ଦଳ ସହ ଅନେକ ଗ୍ରାମବାସୀ ଯୋଗଦେଇ ଅଞ୍ଚଳକୁ ଉତ୍ସବମୟ ପରିବେଶରେ ଭରିଦେଇଥିଲେ। ଯାତ୍ରା ଉତ୍ସବ ପଡିଆରେ ସିନାପାଲି ବିଡିଓ କାର୍ମୀ ଓରାମ ଓ ଦେବୀ ପୂଜକ ଗିରିଶ ଚନ୍ଦ୍ର ମାଝୀଙ୍କ ଉପସ୍ଥିତିରେ ଉଦଘାଟନ କାର୍ଯ୍ୟ ସମ୍ପନ୍ନ ହୋଇଥିଲା। ଏହି ଉତ୍ସବ ଅଞ୍ଚଳବାସୀଙ୍କୁ ଏକତାର ସୂତ୍ରରେ ବାନ୍ଧି ରଖିବା ସହ ଲୋକସଂସ୍କୃତି ଓ ପରମ୍ପରାକୁ ଜୀବନ୍ତ ରଖିବାରେ ମୁଖ୍ୟ ଭୂମିକା ନେଇଛି। ଶେଷ ସନ୍ଧ୍ୟାରେ ଆୟୋଜିତ ସାଂସ୍କୃତିକ ସଭା ପ୍ରସନ୍ନ କୁମାର ମାଝୀଙ୍କ ସଭାପତିତ୍ୱରେ ହୋଇଥିଲା। ମୁଖ୍ୟ ଅତିଥି ଭାବେ ଖଡ଼ିଆଳ ବିଧାୟକ ଅଧୀରାଜ ମୋହନ ପାଣିଗ୍ରାହୀ ଯୋଗଦେଇଥିଲେ। ସମ୍ମାନୀତ ଅତିଥି ଭାବେ ଖୁଟୁରାମ ସୁନାନୀ ଓ କାମେଶ୍ୱର ତାଣ୍ଡି ମଞ୍ଚାସୀନ ରହିଥିଲେ। ସଭାର ଆରମ୍ଭରେ ବିଷ୍ଣୁଚରଣ ହୋତା ଅତିଥିମାନଙ୍କୁ ସ୍ୱାଗତ କରିଥିବା ବେଳେ, ସିନାପାଲି ସ୍ୱର ସଙ୍ଗମ କଳା ପରିଷଦ ଦ୍ୱାରା ମଙ୍ଗଳାଚରଣ ସଙ୍ଗୀତ ପ୍ରସ୍ତୁତ ହୋଇଥିଲା। ଦେବେଶ ହଂସ ବୀବରଣୀ ପାଠ କରିଥିବା ବେଳେ ରୋହିତ ତାଣ୍ଡି କାର୍ଯ୍ୟକ୍ରମ ସଂଚାଳନା କରିଥିଲେ ଓ ଶେଷରେ ଶୋଭାରାମ ମହାନନ୍ଦ ଧନ୍ୟବାଦ ଜ୍ଞାପନ କରିଥିଲେ। ଶେଷରେ ତୁଷୁରାର ଖୁଡୁକା ନାଚ, ବଜାଶାଳ ନୃତ୍ୟ, ରାମକାଠି ନୃତ୍ୟ ସହ ଷ୍ଟାର ନାଇଟ୍ରେ ରୁକୁ ସୁନାଙ୍କ ଆକର୍ଷଣୀୟ ପ୍ରଦର୍ଶନ ଦର୍ଶକମାନଙ୍କୁ ଦୀର୍ଘ ସମୟ ଧରି ମନୋମୁଗ୍ଧ କରିରଖିଥିଲା। ଏହା ସହିତ ମାଁ ବେଲାରାଣୀ ଯାତ୍ରା ଉତ୍ସବର ଏବେର ସଂସ୍କରଣ ରଙ୍ଗୀନ ଭାବରେ ସମାପ୍ତ ହୋଇଛି।