Hot Posts

6/recent/ticker-posts

ଖଜୁରୀପଡାରେ ପ୍ରଥମଥର ପାଳିତ ବ୍ଲକ ସ୍ତରୀୟ ଉତ୍କଳ ଦିବସ

ଖଜୁରୀପଡା, ୦୨/୦୪ (ଅଚ୍ୟୁତ ଜାନୀ) : କନ୍ଧମାଳ ଜିଲ୍ଲାର ଖଜୁରୀପଡା ବ୍ଲକ ଅନ୍ତର୍ଗତ କଲ୍ୟାଣ ମଣ୍ଡପ ପ୍ରାଙ୍ଗଣରେ ବୁଧବାର ଦିନ ପ୍ରଥମଥର ପାଇଁ ବ୍ଲକ ସ୍ତରୀୟ ଉତ୍କଳ ଦିବସ ଗମ୍ଭୀର ଓ ଉତ୍ସାହମୟ ପରିବେଶରେ ପାଳିତ ହୋଇଛି। ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ଶୁଭ ଦତ୍ତାତ୍ରେୟ ବାହିନୀପତିଙ୍କ ନେତୃତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଭିନ୍ନ ଶ୍ରେଣୀର ଅତିଥିମାନଙ୍କ ଉପସ୍ଥିତି ଦେଖିବାକୁ ମିଳିଥିଲା। ଏଥିରେ ପଞ୍ଚାୟତ ସମିତି ଅଧ୍ୟକ୍ଷା ସୁଶ୍ରୀ ଅନିମା କହଁର ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ଜିଲ୍ଲା ପରିଷଦ ସଭ୍ୟା ଶ୍ରୀମତୀ ଉର୍ବଶୀ ଦିଗାଲ, ସରପଞ୍ଚ ମନୋରଞ୍ଜନୀ ଯାନୀ, ବିଧାୟକ ପ୍ରତିନିଧି ଅନନ୍ତ କୁମାର ଦିଗାଲ, ସମିତିସଭ୍ୟ ଶୁକଦେବ ସେଠୀ ଓ ବରିଷ୍ଠ ଶିକ୍ଷକ ସୁଧୀର ପ୍ରଧାନ ଅତିଥି ଭାବେ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମର ଆରମ୍ଭରେ ଓଡ଼ିଶାର ବୀର ପୁତ୍ରମାନଙ୍କ ଛବିରେ ପୁଷ୍ପମାଲ୍ୟ ଅର୍ପଣ ସହ ପ୍ରଦୀପ ପ୍ରଜ୍ଜ୍ୱଳନ କରାଯାଇଥିଲା। ପରେ ‘ବନ୍ଦେ ଉତ୍କଳ ଜନନୀ’ ସମୂହ ଗାନ ମାଧ୍ୟମରେ ପରିବେଶକୁ ଦେଶପ୍ରେମର ଭାବନାରେ ଭରି ଦିଆଯାଇଥିଲା।ଅତିଥିମାନଙ୍କ ଅଭିଭାଷଣ ପରେ ଛାତ୍ରୀ ଶୁଭଶ୍ରୀ ବେହେରା ଉତ୍କଳ ଦିବସର ଗୁରୁତ୍ୱ ଉପରେ ଉଦ୍ବୋଧନ ଦେଇଥିଲେ। ଏହାପରେ ଛାତ୍ରୀ ସାଗରୀକା ଗଣ୍ଡାଙ୍କ ଦେଶାତ୍ମକ ସଙ୍ଗୀତ ପ୍ରଦର୍ଶନ ସଭାର ମାହୋଲକୁ ଆହୁରି ଉତ୍ସାହିତ କରିଥିଲା।ଏହି ଅବସରରେ ଅଞ୍ଚଳର ଯୁବଗୋଷ୍ଠୀ, ମହିଳା ସଂଘ, ବୁଦ୍ଧିଜୀବୀ ଓ ଶିକ୍ଷକ-ଶିକ୍ଷୟିତ୍ରୀମାନଙ୍କ ସହ ବାଳିକା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଓ ସରକାରୀ ଉଚ୍ଚ ବିଦ୍ୟାଳୟର ଅନେକ ଛାତ୍ରଛାତ୍ରୀ ଯୋଗଦେଇଥିଲେ।ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀ ମନୋଜ କୁମାର ସାହୁ କାର୍ଯ୍ୟକ୍ରମକୁ ସୁନ୍ଦର ଭାବେ ପରିଚାଳନା କରିଥିବା ବେଳେ ଶେଷରେ ଧନ୍ୟବାଦ ଜଣାଇଥିଲେ। ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ରାଜେଶ ମୁର୍ମୁ, ବିଏଫଟି ରଞ୍ଜନ ସେଠୀ, ଡିଇଓ ଆମର ବାରିକ ଓ ପିଇଓ ଜଗନ୍ନାଥ ରଣା ସହିତ ଅନ୍ୟାନ୍ୟ କର୍ମଚାରୀମାନେ ମଧ୍ୟ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ। ପ୍ରଥମଥର ଏପରି ବ୍ଲକ ସ୍ତରୀୟ ଆୟୋଜନ ହେବାରୁ ଖଜୁରୀପଡା ଅଞ୍ଚଳରେ ଖୁସି ଓ ଗୌରବର ପରିବେଶ ଦେଖିବାକୁ ମିଳିଥିଲା।