କନ୍ଧମାଳରେ ଗୌରବମୟ ଭାବେ ପାଳିତ ହେଲା ୯୧ତମ ଓଡ଼ିଶା ଦିବସ
ଫୁଲବାଣୀ, ୦୨/୦୪ (ଅଚ୍ୟୁତ ଜାନୀ) : ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ସ୍ମୃତିରେ କନ୍ଧମାଳ ଜିଲ୍ଲା ପ୍ରଶାସନ ପକ୍ଷରୁ ୯୧ତମ ଓଡ଼ିଶା ଦିବସ ୨୦୨୬ ଅତ୍ୟନ୍ତ ଗୌରବ ଓ ଉତ୍ସାହର ସହ ପାଳିତ ହୋଇଛି । ସକାଳ ସମୟରେ ଜିଲ୍ଲାପାଳ ଶ୍ରୀ ବେଦଭୂଷଣ, ବରିଷ୍ଠ ଅଧିକାରୀ ଓ ବିଶିଷ୍ଟ ବ୍ୟକ୍ତିବିଶେଷମାନେ ଓଡ଼ିଶାର ବରପୁତ୍ରମାନଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।ସନ୍ଧ୍ୟାବେଳେ ଫୁଲବାଣୀ ସ୍ଥିତ ଜିଲ୍ଲା ସଂସ୍କୃତି ଭବନ ସମ୍ମିଳନୀ କକ୍ଷରେ ଆୟୋଜିତ ଅନୁଷ୍ଠାନରେ ଜିଲ୍ଲାପାଳ ଶ୍ରୀ ବେଦଭୂଷଣ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ ମାଧ୍ୟମରେ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ସମ୍ମାନିତ ଅତିଥି ଭାବେ ଆରକ୍ଷୀ ଅଧିକ୍ଷକ ଶ୍ରୀ ହରିଶ ବି.ସି., ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଶ୍ରୀ ଭକ୍ତବନ୍ଧୁ ଜନାର୍ଦ୍ଦନ ଦଳେଇ, ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ଶମ୍ଭୁନାଥ ନନ୍ଦୀ, ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ପ୍ରବୀଣ କୁମାର ବାଣୁଆ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀ ରାଜେନ୍ଦ୍ର ପ୍ରସାଦ ଓ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ରାଜେଶ କୁମାର ସ୍ୱାଇଁ ଉପସ୍ଥିତ ଥିଲେ।ତାଙ୍କ ଅଭିଭାଷଣରେ ଜିଲ୍ଲାପାଳ କହିଥିଲେ ଯେ, ଓଡ଼ିଶାର କଳା, ସଂସ୍କୃତି ଓ ଅସ୍ମିତାକୁ ଅକ୍ଷୁଣ୍ଣ ରଖିବା ସହ କନ୍ଧମାଳ ଭଳି ଆଦିବାସୀ ବହୁଳ ଜିଲ୍ଲାର ସମଗ୍ର ବିକାଶ ପାଇଁ ସମସ୍ତଙ୍କ ସମିଳିତ ପ୍ରୟାସ ଆବଶ୍ୟକ। ସେ ଆଗାମୀ ଜନଗଣନାରେ ନିର୍ଭୁଲ ତଥ୍ୟ ପ୍ରଦାନ କରିବାକୁ ସମସ୍ତ ନାଗରିକଙ୍କୁ ଆହ୍ୱାନ ଜଣାଇଥିଲେ। ଅନ୍ୟ ଅତିଥିମାନେ ତାଙ୍କ ଅଭିଭାଷଣରେ ଓଡ଼ିଶାର ସମୃଦ୍ଧ ଇତିହାସ ଓ କନ୍ଧମାଳର ସ୍ୱତନ୍ତ୍ର ପରିଚୟ ଉପରେ ଆଲୋକପାତ କରିଥିଲେ।ଏହି ଅବସରରେ ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ଅତିନିଏଲ ନାଇକାଙ୍କ ସହ ଜିଲ୍ଲାର ବିଭିନ୍ନ ବିଭାଗୀୟ ଅଧିକାରୀ, ବୁଦ୍ଧିଜୀବୀ, ସାମ୍ବାଦିକ, ଛାତ୍ରଛାତ୍ରୀ ଓ ଶିକ୍ଷକମାନେ ବଡ଼ ସଂଖ୍ୟାରେ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମରେ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଦେଶଭକ୍ତିପୂର୍ଣ୍ଣ ସଂଗୀତ ଓ ଓଡ଼ିଶୀ ନୃତ୍ୟ ପ୍ରଦର୍ଶନ କରିଥିଲେ, ଯାହା ଉପସ୍ଥିତ ସଭ୍ୟମାନଙ୍କୁ ମନମୁଗ୍ଧ କରିଥିଲା ।ଶେଷରେ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା, ଫୁଲବାଣୀର ପ୍ରକଳ୍ପ ପ୍ରଶାସକ ଏବଂ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ଗଦାଧର ପାତ୍ର ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ।