ଲାଇନପଡାରେ ଦ୍ୱାଦଶବାର୍ଷିକ ଅଷ୍ଟସମ୍ଭୁ ମିଳନ ପାଇଁ ଶୁଭଖୁଣ୍ଟି ସ୍ଥାପନ
ଚକାପାଦ, ୦୨/୦୪ (ଅଚ୍ୟୁତ ଜାନୀ) : କନ୍ଧମାଳ ଜିଲ୍ଲାର ଚକାପାଦ ବ୍ଲକ ଅନ୍ତର୍ଗତ କୁସୁମେଣ୍ଡି ପଞ୍ଚାୟତର କୁସୁମେଣ୍ଡି ଗ୍ରାମରେ ବୁଧବାର ଦିନ ବରଡ଼ା ବାଲୁଙ୍କେଶ୍ୱର ବାବାଙ୍କ ନିଜସ୍ୱ ଜମିରେ ଦ୍ୱାଦଶବାର୍ଷିକ ଅଷ୍ଟସମ୍ଭୁ ମିଳନ ଉତ୍ସବ ପାଇଁ ଶୁଭଖୁଣ୍ଟି ସ୍ଥାପନ କାର୍ଯ୍ୟ ସମ୍ପନ୍ନ ହୋଇଛି।ଏହି ଧାର୍ମିକ କାର୍ଯ୍ୟକ୍ରମରେ ପୂରୋହିତ କାଳନ୍ଦୀ ଦାସଙ୍କ ନେତୃତ୍ୱରେ କର୍ତ୍ତା ପର୍ଶୁରାମ ସାହୁ, କମିଟି ସଭାପତି ସରୋଜ ଭୋଇ, ଉପସଭାପତି ତାରିଣୀ ବେହେରା, ସମ୍ପାଦକ ରାଜେନ୍ଦ୍ର ନାରାୟଣ ବେହେରା, ସହସମ୍ପାଦକ ସଂଜିତ ନାୟକ, କୋଷାଧ୍ୟକ୍ଷ ସନ୍ତୋଷ ଭୋଇ ସହିତ ଅନ୍ୟାନ୍ୟ କମିଟି ସଦସ୍ୟ ଓ ସ୍ଥାନୀୟ ଗ୍ରାମବାସୀମାନେ ଉପସ୍ଥିତ ଥିଲେ।ଆସନ୍ତା ୬ ଏପ୍ରିଲ ୨୦୨୬ (ସୋମବାର) ଦିନ ଏହି ଅଷ୍ଟସମ୍ଭୁ ମିଳନ ଉତ୍ସବ ଅନୁଷ୍ଠିତ ହେବ। ଏଥିରେ ବାବା ବରଡ଼ା ବାଲୁଙ୍କେଶ୍ୱର (ମଳିକଗାଁ), ବାବା ଯୋଗେଶ୍ୱର (ବାରେଗୁଡା), ବାବା ଗୁପ୍ତେଶ୍ୱର (ଉକୁସଗାଣ୍ଡା), ବାବା ମହେଶ୍ୱର (ସରଧାପୁର), ବାବା ଗୋକୁଳେଶ୍ୱର (ଜାମପାଲି), ବାବା ଚମ୍ପେଶ୍ୱର (କରଡ଼ି), ବାବା ସିଦ୍ଧେଶ୍ୱର (ବନ୍ଧାପଥର) ଓ ବାବା ମିଳିକାର୍ଜୁନ (ଖଣ୍ଡପଡା) ସହ ଅଷ୍ଟସମ୍ଭୁ ଦେବଦେବୀମାନେ ଯୋଗଦେବେ।କାର୍ଯ୍ୟକ୍ରମ ଅନୁଯାୟୀ ପ୍ରଥମେ ବରଡ଼ା ବାଲୁଙ୍କେଶ୍ୱର ବିଦ୍ୟାଳୟ ନିକଟରୁ ଅଷ୍ଟସମ୍ଭୁଙ୍କୁ ବରଣ କରାଯିବ। ପରେ ନଗର ଭ୍ରମଣ, ଲାଇନପଡା ମେଳଣ ପଡିଆରେ ବନ୍ଦନା ଓ ଧୂଳିଦଣ୍ଡ, ଭଣ୍ଡାରୀମୁଣ୍ଡା ପୋଖରୀ ଜଳଘାଟ ପୂଜା ହେବ। ସନ୍ଧ୍ୟା ୬ଟାରେ କୁସୁମେଣ୍ଡିରେ ଅଷ୍ଟସମ୍ଭୁ ମିଳନ ଉତ୍ସବ ଓ ରାତି ୧୨ଟାରେ ଅଗ୍ନିଦଣ୍ଡ ଅନୁଷ୍ଠିତ ହେବ। ପରବର୍ତ୍ତୀ ଦିନ ୭ ଏପ୍ରିଲ (ମଙ୍ଗଳବାର) ସକାଳ ୬ଟା ୩୦ ମିନିଟ୍ରେ ମେଳାଣି କାର୍ଯ୍ୟ ସମ୍ପନ୍ନ କରାଯିବ ବୋଲି କମିଟି ପକ୍ଷରୁ ସୂଚନା ମିଳିଛି।ଏହି ଉତ୍ସବକୁ ନେଇ ଅଞ୍ଚଳରେ ଧାର୍ମିକ ଉତ୍ସାହ ଓ ଆନନ୍ଦର ପରିବେଶ ଦେଖାଯାଉଛି।