ନୂଆପଡ଼ା, ୦୪/୦୪ ( ପରମେଶ୍ୱର ମେହେର ) : ଏ ସଂସାରରେ ଜୀବନ ଜୀବନ୍ତ ରହିବା ପାଇଁ ମଣିଷକୁ କେତେ ଦୁଃଖ, କେତେ କଷ୍ଟ ସହିବାକୁ ପଡେ ତାହାର ଏକ ଜୀବନ୍ତ ଉଦାହରଣ ହେଉଛନ୍ତି ନୂଆପଡ଼ା ଜିଲ୍ଲାର ସିନାପାଲି ଅଞ୍ଚଳର ଅଭାଗୀ ଝିଅ ପ୍ରେମଶିଲା ମେହେର । ତାଙ୍କ ଜୀବନ କଥା କେବଳ ଏକ ଘଟଣା ନୁହେଁ, ଏହା ଆମ ସମାଜର କଠୋର ସତ୍ୟକୁ ଆଇନା ଦେଖାଏ । ପ୍ରେମସିଲା ଛୋଟବେଳୁ ଜୀବନର ଅସହ୍ୟ ଦୁଃଖର ସ୍ଵାଦ ନେଇଛନ୍ତି । ବୟସ ହେବା ପୂର୍ବରୁ ବାପା ମାଆଙ୍କୁ ହାରାଇ ସେ ଏକାକୀ ଜୀବନରେ ପଡ଼ିଗଲେ । ଯେଉଁ ବୟସରେ ଶିଶୁମାନେ ସ୍ନେହ ଓ ସୁରକ୍ଷା ଚାହାଁନ୍ତି, ସେଠାରେ ପ୍ରେମସିଲା ପାଇଁ ଥିଲା କେବଳ ଅନିଶ୍ଚିତତା ଓ ଦୁଃଖର ଅନ୍ଧକାର। ସେଦିନଠାରୁ ସେ ଘରେ ଘରେ ମାଗି ଖାଇ ଜୀବନ କାଟୁଛନ୍ତି । ମୁଠେ ଭାତ ପାଇଁ ତାଙ୍କର ସଂଘର୍ଷ ଆଜିପର୍ଯ୍ୟନ୍ତ ଚାଲିଛି । କିନ୍ତୁ ଭାଗ୍ୟ ଏଠାରେ ମଧ୍ୟ ତାଙ୍କୁ ଛାଡ଼ି ଦେଲା ନାହିଁ। କିଛି ଦିନ ପୂର୍ବରୁ ରୋଷେଇ କରୁଥିବା ସମୟରେ ହଠାତ୍ ନିଆଁ ଲାଗିଯିବାରୁ ତାଙ୍କ ଗୋଡ଼ ଗୁରୁତର ଭାବେ ଜଳିଗଲା । ଏବେ ସେ ଚାଲିବାକୁ ମଧ୍ୟ ଅସମର୍ଥ । ଯେଉଁ ଝିଅ ଏପର୍ଯ୍ୟନ୍ତ ନିଜ ଜୀବନ ସହ ଲଢ଼ୁଥିଲେ, ସେ ଆଜି ଶଯ୍ୟାଶାୟୀ ହୋଇ ପଡ଼ିଛନ୍ତି । ସମାଜର କିଛି ସଚେତନ ଓ ଦୟାଳୁ ଲୋକ ଆଗକୁ ଆସି ତାଙ୍କ ଅବସ୍ଥାକୁ ସୋସିଆଲ ମିଡିଆରେ ପ୍ରକାଶ କରିବା ପରେ ଏହା ଭାଇରଲ ହେଲା । ତାହା ପରେ କିଛିହୃଦୟବାନ ଲୋକେ ନିଜ ସମ୍ଭବ ଅନୁସାରେ ସାହାଯ୍ୟର ହାତ ବଢ଼ାଇଲେ କେହି ୧୦୦ ଟଙ୍କା,କେହି ୩୦୦,କେହି ୫୦୦,କେହି ୨୦୦,କେହି ୧୦୦୦ । ଏହି ସାହାଯ୍ୟ ସାନ ହେଲେ ମଧ୍ୟ ମାନବତାର ଏକ ବଡ଼ ଉଦାହରଣ । ତାଙ୍କ ନିଜ କେହି ନଥୁବାରୁ ଗାଁର ଆଶା ଦିଦି ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଇଛନ୍ତି । ଏହି ସମୟରେ ପ୍ରଶାସନ ମଧ୍ୟ କିଛି ପଦକ୍ଷେପ ନେଇଥିବା କଥା ଜଣାପଡ଼ୁଛି । ସିନାପାଲି ବିଡିଓ କାର୍ମୀ ଓରାମ ଜିଲ୍ଲା ସ୍ଵାସ୍ଥ୍ୟ ଅଧିକାରୀଙ୍କ ସହ କଥା ହୋଇ ଜଣାଇଛନ୍ତି ଯେ, ପ୍ରେମଶିଲାଙ୍କ ଚିକିତ୍ସା ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରୟାସ କରାଯାଉଛି । ଆବଶ୍ୟକ ପଡ଼ିଲେ ତାଙ୍କୁ ଆଗକୁ ଉଚ୍ଚ ସ୍ତରୀୟ ଚିକିତ୍ସା ଓ ସର୍ଜରୀ ପାଇଁ ପଠାଯିବ ବୋଲି ମଧ୍ୟ ସେ କହିଛନ୍ତି । ଏହା ସହିତ ସେ ଆଉ କହିଛନ୍ତି ଯେ, ଯେଉଁ ଆଶା ଦିଦି ପ୍ରେମଶିଲାଙ୍କ ସହିତ ଯାଇଛନ୍ତି, ତାଙ୍କ ସହ ମଧ୍ୟ ପ୍ରଶାସନର କଥା ହୋଇଛି । ଯଦି ପ୍ରେମସିଲାଙ୍କ ସହ କୌଣସି ସମ୍ପର୍କୀୟ ଲୋକ ଯିବେ, ତାହେଲେ ତାଙ୍କର ଖାଇବା-ପିଇବା ସହିତ ସମସ୍ତ ଖର୍ଚ୍ଚ ପ୍ରଶାସନ ବହନ କରିବ, ଏବଂ କୌଣସି ଅସୁବିଧା ହେବନିବୋଲି ନିଶ୍ଚିତ କରାଯାଇଛି । ଏହା ସହିତ ସିନାପାଲି ବିଡିଓ କାର୍ମୀ ଓରାମ ଏବଂ ସଦର ସରପଞ୍ଚ ସୁନିତା ମେହେର ଏକ ଆଶ୍ଵାସନ ଦେଇ କହିଛନ୍ତି ଯେ, ପ୍ରେମଶିଲା ଚିକିତ୍ସାରେ ସୁସ୍ଥ ହୋଇ ଘରକୁ ଫେରିଲେ, ତାଙ୍କୁ ତୁରନ୍ତ ଏକ ଅର୍ଯ୍ୟୋଦୟ କାର୍ଡ ପ୍ରଦାନ କରାଯିବ । ଏହି ପଦକ୍ଷେପ ତାଙ୍କ ଆଗାମୀ ଜୀବନରେ ଖାଦ୍ୟ ସୁରକ୍ଷା ଓ ନିମ୍ନତମ ଜୀବନ ନିର୍ବାହ ପାଇଁ ଏକ ଭରସା ହିସାବରେ କାମ କରିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି । କିନ୍ତୁ ଏହାଠାରୁ ଅଧିକ ଦୁଃଖଦ ଓ ହୃଦୟବିଦାରକ ସତ୍ୟ ହେଉଛି ଆଜିପର୍ଯ୍ୟନ୍ତ ପ୍ରେମଶିଲାଙ୍କ ସହିତ ଯିବା ପାଇଁ କୌଣସି ସମ୍ପର୍କୀୟ ଆଗକୁ ଆସିନାହାନ୍ତି । ଏହା କେବଳ ଏକ ଝିଅର ଦୁର୍ଦ୍ଦଶା ନୁହେଁ, ଏହା ଆମ ସମାଜର ସମ୍ପର୍କ ଓ ମାନବତାର ଅବସ୍ଥାକୁ ପ୍ରଶ୍ନ କରୁଛି । ଏବେ ପ୍ରଶ୍ନ ହେଉଛି ସରକାରୀ ସହାୟତା ନାମରେ ଭତ୍ତା ୧୦୦୦ ଟଙ୍କା ଓ ୫ କେଜି ଚାଉଳ ପାଉଛନ୍ତି । ଆମେ ଏକ ସମୂହ ଭାବେ ତାଙ୍କୁ ନୂତନ ଜୀବନ ଦେବାକୁ ଆଗକୁ ଆସିବା ଦରକାର ? ଏହି ସମୟର ଆବଶ୍ୟକ‌ତା ହେଉଛି ପ୍ରେମଶିଲା ଙ୍କୁ କେବଳ ତୁରନ୍ତ ଚିକିତ୍ସା ନୁହେଁ, ଏକ ସ୍ଥାୟୀ ସୁରକ୍ଷା ଦିଆଯାଉ ।