Hot Posts

6/recent/ticker-posts

ନୂଆପଡ଼ା ନଗର ପାଳିକାରେ ସ୍ୱ-ଗଣନା ସଚେତନତା କାର୍ଯ୍ୟକ୍ରମ ଆୟୋଜିତ।

ନୂଆପଡ଼ା, ୧୧/୦୪ ( ପରମେଶ୍ୱର ମେହେର ) : ନୂଆପଡ଼ା ନଗର ପାଳିକା ପରିଷଦ ଅଞ୍ଚଳରେ ସ୍ୱ-ଗଣନା (Self Enumeration) ସମ୍ବନ୍ଧୀୟ ସଚେତନତା ବୃଦ୍ଧି ପାଇଁ ଅତିରିକ୍ତ ଜିଲ୍ଲାପାଳ ସୁବାସ ଚନ୍ଦ୍ର ରଇତଙ୍କ ଅଧ୍ୟକ୍ଷତାରେ ଏକ ସଚେତନତା କାର୍ଯ୍ୟକ୍ରମ ସ୍ଥାନୀୟ କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି। ନୂଆପଡ଼ା କାର୍ଯ୍ୟନିର୍ବାହୀ ଅଧିକାରୀ ତଥା ଜନଗଣନା ଚାର୍ଜ ଅଫିସର ସନ୍ଦୀପ କୁମାର ଚନ୍ଦ୍ରକାରଙ୍କ ତତ୍ତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏଥିରେ ନଗର ପାଳିକା ପରିଷଦର ସମସ୍ତ ଗଣନାକାରୀ (Enumerator), ସୁପରଭାଇଜର, ସ୍ୱଚ୍ଛ ସାଥୀ, ଅଙ୍ଗନୱାଡ଼ି କର୍ମୀ, ଶିକ୍ଷକ ଓ ପରିଷଦର ଅନ୍ୟାନ୍ୟ କର୍ମଚାରୀମାନେ ସକ୍ରିୟ ଭାଗ ନେଇଥିଲେ। କାର୍ଯ୍ୟକ୍ରମରେ ସ୍ୱ-ଗଣନା ପ୍ରକ୍ରିୟା, ଏହାର ଗୁରୁତ୍ୱ ଓ ସଠିକ୍ ତଥ୍ୟ ସଂଗ୍ରହର ଆବଶ୍ୟକତା ବିଷୟରେ ସମସ୍ତଙ୍କୁ ବିସ୍ତୃତ ଅବଗତ କରାଯାଇଥିଲା। ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରଇତ ତୃଣମୂଳ ସ୍ତରରେ କାର୍ଯ୍ୟରତ ଗଣନାକାରୀମାନଙ୍କ ଭୂମିକାକୁ ପ୍ରଶଂସା କରି ସଠିକ୍ ଓ ସମୟୋପଯୋଗୀ ତଥ୍ୟ ସଂଗ୍ରହ ପାଇଁ ସମସ୍ତଙ୍କୁ ନିଷ୍ଠାପୂର୍ବକ କାମ କରିବାକୁ ଆହ୍ୱାନ ଦେଇଥିଲେ। ସ୍ୱ-ଗଣନା (SelfEnumeration) ହେଉଛି ଏକ ଆଧୁନିକ ଓ ସୁବିଧାଜନକ ପ୍ରକ୍ରିୟା, ଯାହାର ମାଧ୍ୟମରେ ନାଗରିକମାନେ ନିଜେ ନିଜ ପରିବାର ଓ ବ୍ୟକ୍ତିଗତ ସୂଚନାକୁ ଅନଲାଇନ୍ ମାଧ୍ୟମରେ ଜନଗଣନା ପୋର୍ଟାଲରେ ଦାଖଲ କରିପାରିବେ। ଓଡିଶାରେ ଜନଗଣନା–୨୦୨୭ ପାଇଁ ସ୍ୱ-ଗଣନା ସୁବିଧା ୦୧ ଏପ୍ରିଲ ୨୦୨୬ ରୁ ୧୫ ଏପ୍ରିଲ ୨୦୨୬ ପର୍ଯ୍ୟନ୍ତ ଖୋଲା ରହିଛି। ଏହି ସମୟ ମଧ୍ୟରେ ନାଗରିକମାନେ ଅଧିକୃତ ଜନଗଣନା ପୋର୍ଟାଲ (http://www.se.census.gov.in) ରେ ଯାଇ ନିଜ ପରିବାର ସମ୍ବନ୍ଧୀୟ ସମସ୍ତ ତଥ୍ୟ ପ୍ରଦାନ କରିପାରିବେ। ପରବର୍ତ୍ତୀ ପର୍ଯ୍ୟାୟରେ ଘର ତାଲିକାକରଣ (House Listing) କାର୍ଯ୍ୟକ୍ରମ ୧୬ ଏପ୍ରିଲ ୨୦୨୬ ରୁ ୧୫ ମେ ୨୦୨୬ ପର୍ଯ୍ୟନ୍ତ ରାଜ୍ୟରେ ଚାଲିବ।