ବାଲିଆପାଳ ବ୍ଲକର ଅସ୍ତି ପଂଚାୟତର ବହୁ ପୁରାତନ ବାବା ଭୈରବ ପୀଠ : ବହୁ ଭାବରେ ଅବହେଳିତ ।
ବାଲିଆପାଳ, ୧୮/୦୪ ( ସନ୍ୟାସୀ ବେହେରା ) : ବାଲିଆପାଳ ବ୍ଲକ ଅସ୍ତି ପଞ୍ଚାୟତ କଣ୍ଟାଡିହା (ବଡ଼ କସବା ) ଗ୍ରାମରେ ବାବା ଭୈରବ ପୀଠ ରହିଛି। ଏହି ପୀଠ ସୁ ପ୍ରାଚୀନ ଓ ବୌଦ୍ଧ ଯୁଗୀୟ ବୋଲି କିମ୍ବଦନ୍ତୀରୁ ଜଣାଯାଏ। ସୋମବାର ଅକ୍ଷୟ ତୃତୀୟା ମେଳା ଏଠାରେ ବସୁଥିବାରୁ ଏହି ପୀଠ ଏବେ କିଛି ମାତ୍ରାରେ ଚଳ ଚଞ୍ଚଳ ହୋଇ ଉଠିଛି । ମାତ୍ର ଏହି ପୀଠ ବହୁ ଭାବରେ ଅବହେଳିତ। ପୀଠର ଚତୁଃ ପାର୍ଶ୍ୱ ରେ ଅଳିଆ ଆବର୍ଜନା ପରିପୂର୍ଣ୍ଣ ହୋଇଥିବା ବେଳେ କେତେକ ମୁଷ୍ଟିମେୟ ଲୋକ ଏହି ପୀଠକୁ ବେଆଇନ ଭାବେ କବ୍ଜାରେ ରଖି ଟ୍ରାକ୍ଟର ଷ୍ଟାଣ୍ଡ , ଟେଣ୍ଟ ବାଉଁଶ, ନଡା ଗଦା କରି ରଖିଛନ୍ତି। ଏପରିକି ମନ୍ଦିର ପାର୍ଶ୍ୱବର୍ତ୍ତୀ ଲୋକମାନେ ଧାନ ଗଦା କରିବା ସହିତ ମନ୍ଦିର ସମ୍ମୁଖ ଚଟାଣରେ ସିଝା ଧାନ ଶୁଖାଉଛନ୍ତି।ଏହା ଲୋକଙ୍କର ଚରମ ବିଶୃଙ୍ଖଳା ଓ ଅବହେଳାକୁ ସ୍ପଷ୍ଟ ଭାବେ ପ୍ରତିପାଦନ କରୁଛି। ସେଠିକାର କିଛି ଭଦ୍ରଲୋକ ଏସବୁ କୁ ତୀବ୍ର ଭାବେ ବିରୋଧ କରିଛନ୍ତି। ପ୍ରଶାସନ ଓ ଦେବୋତ୍ତର ବିଭାଗ ଏଥିପ୍ରତି ତୁରନ୍ତ ଦୃଷ୍ଟି ଦେବାକୁ ଭକ୍ତ ଓ ସେବକମାନେ ଦାବି କରିଛନ୍ତି। କିମ୍ବଦନ୍ତୀ ଅନୁସାରେ ବାବା ଭୈରବ ବହୁ ବର୍ଷ ପୂର୍ବେ ଝାଡ଼ଖଣ୍ଡରୁ ଏକ ଜାହାଜରେ କେତେକ ଦେବା ଦେବୀଙ୍କୁ ଧରି ଲୀଳା ଖେଳା କରିବା ଉଦ୍ଦେଶ୍ୟରେ ଏହିଠାରେ ସୁବର୍ଣ୍ଣ ରେଖା ନଦୀ ତଟରେ ପହଁଚି ଥିଲେ। ତେବେ ଜାହାଜରେ ଆଉ କେହି ନାବିକ ନ ଥିବାରୁ ଜାହାଜଟି ସେଇଠି ରହି ଯାଇଥିଲା ଯାହାର ମଙ୍ଗ ଏବେ ଉପରକୁ ରହିଥିବା ବେଳେ ଅନ୍ୟ ସମସ୍ତ ଅଂଶ ମାଟିରେ ପୋତି ହୋଇ ରହିଛି। ଭୈରବଙ୍କ ମନ୍ଦିର ନିର୍ମାଣ ସମ୍ପର୍କରେ ସଠିକ ତଥ୍ୟ ମିଳିପାରିନାହିଁ । ବାବା ଭୈରବ ଓ ସାଥି ଦେବା ଦେବୀ ଶହ ଶହ ବର୍ଷ ଖୋଲା ଆକାଶ ତଳେ ପୂଜା ପାଇବା ପରେ ସମ୍ଭବତଃ ଅଣଚାଷ ବାତ୍ୟା ପରେ ମିନ୍ଦିର ନିର୍ମାଣ ହୋଇଛି। ପୂର୍ବେ ମନ୍ଦିରରେ କଳା ମୁଗୁନି ପଥରର ଚତୁଃ ହସ୍ତ ବିଶିଷ୍ଟ ଭୈରବ, ପାର୍ଶ୍ୱ ଦେବତା ଭାବରେ ବୈଦ୍ୟନାଥ, ମହାବୀର, କାଳରୁହୀ , ଶୀତଳା, ଚଣ୍ଡୀ, ଦୁର୍ଗା ଆଦି ରହି ପୂଜା ପାଉଥିଲେ। କଳାପାହାଡ଼ ଏହି ମନ୍ଦିରକୁ ଭାଙ୍ଗିବା ସହିତ ଭୈରବ ମୂର୍ତ୍ତିକୁ ଭାଙ୍ଗିବାକୁ ଯାଇ ଅସଫଳ ହେବାରୁ ଭୈରବଙ୍କ ଗୋଟାଏ ପାଦକୁ ଭାଙ୍ଗି ପଳାଇ ଯାଇଥିଲେ।ତହିଁ ପରଠୁ ସେ ଏକ ପାଦ ଭୈରବ ଭାବେ ପୂଜା ପାଇ ଆସୁଛନ୍ତି। ଭୈରବ ନିଶାର୍ଦ୍ଧରେ ଘୋଡାରେ ଚଳ ପ୍ରଚଳ କରୁଥିବା କିମ୍ବଦନ୍ତୀ ମୂଳେ ତାଙ୍କୁ ରାଜା ଭୈରବ ବୋଲି ଭକ୍ତ ଓ ସେବକମାନେ ଡାକନ୍ତି। ଭୈରବ ପୀଠରେ ଅକ୍ଷୟ ତୃତୀୟା ଦିନ ବସେ ମେଳା। ପୂର୍ବରୁ ଏଠାରେ ସାତ ଦିନ ମେଳା ବସୁଥିବାବେଳେ ଏବେ କେବଳ ଗୋଟାଏ ଦିନ ବସୁଛି। ଭୈରବଙ୍କ ମହିମା ଅପାର। ଧବଳ କୁଷ୍ଠ ରୋଗରୁ ମୁକ୍ତି ପାଇବା ପାଇଁ ଲୋକମାନେ ଭୈରବଙ୍କୁ ଚୂନ ଦାନ କରିବାର ଵିଧି ରହିଛି। ଭୈରବଙ୍କ ନାମରୁ କଣ୍ଟାଡିହା, ଖାଳପାଖ, ମଇଁଷି ଆଡି,ଘଣ୍ଟିଆଡ଼ି, ବଡ଼ କସବା ଆଦି ଗ୍ରାମର ନାମ ପ୍ରତିପନ୍ନ ହୋଇଛି।ଏହି ପୀଠରେ ବାସନ୍ତୀ ଦୁର୍ଗା ପୂଜା ମଧ୍ୟ ଅନୁଷ୍ଠିତ ହୁଏ। ପୂର୍ବରୁ ଭୈରବଙ୍କ ଅନେକ ସମ୍ପତ୍ତି ବାଡ଼ି ଥିଲା। କେତେକ ମୁଷ୍ଟିମେୟ ଲୋକ ଏବେ ବେଆଇନ ଭାବେ ଭୈରବ ଜାଗାକୁ ଜବର ଦଖଲ କରି ନେଇଛନ୍ତି। ସେ ସବୁ ମୁକ୍ତ ହେଲେ ପୀଠର ଉନ୍ନତି ହୋଇ ପାରନ୍ତା। ଭୈରବ ପୀଠ କୁ ଏକ ପର୍ଯ୍ୟଟନ କେନ୍ଦ୍ରର ମାନ୍ୟତା ଦେବା ପାଇଁ ବରଂବାର ଦାବି ହୋଇ ଆସିଥିଲେ ମଧ୍ୟ ସରକାର ଉଦାସୀନ।ବାଲିଆପାଳ ବସ୍ତା ପୂର୍ତ୍ତ ବିଭାଗ ମୁଖ୍ୟ ରାସ୍ତାର ଗେଙ୍ଗୁଟିଆ ଛକରୁ ଦୁଇ କିଲୋମିଟର ଉତ୍ତରକୁ ଗଲେ ଏହି ପୀଠ ପଡେ।ପୀଠକୁ ଭଲ ରାସ୍ତା ଟିଏ ନାହିଁ। ପୂରାତନ ମନ୍ଦିରର ଉନ୍ନତି କରଣ ହୋଇ ନାହିଁ। ପଞ୍ଚାୟତ ପକ୍ଷରୁ ନିର୍ମିତ କମ୍ୟୁନିଷ୍ଟ ଗୃହଟି ଲୋକଙ୍କ କାମରେ ଆସୁ ନାହିଁ। ମନ୍ଦିର ସମ୍ମୁଖ ଭାଗ ପଡିଆ ପରିତ୍ୟକ୍ତ, ପାଚେରୀ ନାହିଁ କି ପାନୀୟ ଜଳର ସୁବିଧା ନାହିଁ। ଉଜ୍ୱଳ ଆଲୋକ ବ୍ୟବସ୍ଥା କାମ କରୁ ନାହିଁ।