ଅନ୍ଧାରେ ଆଲୋକର ଦୂତ: ସିନାପାଲି ରେଞ୍ଜରଙ୍କ ପଦକ୍ଷେପରେ ଉଜ୍ଜ୍ୱଳ ଝୋଲାପଡ଼ା ଗାଁ
ନୂଆପଡା, ୧୪/୦୪ ( ବନ ବିହାରୀ ମେହେର ) : ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଘାଟମାଳ ପଞ୍ଚାୟତ ଭିତରେ ଥିବା ଝୋଲାପଡ଼ା ଗାଁ ବହୁ ଦିନ ଧରି ଅନ୍ଧାର ଆଉ ଅବହେଳାରେ ରହୁଥିଲା। ଚାରିଦିଗରେ ଘନ ଜଙ୍ଗଲ ଘେରା ଏହି ଗାଁରେ ପହରୀୟ ଲୋକେ ରହୁଥିବା ସତେ, ଆଧୁନିକ ସୁବିଧାରୁ ବଞ୍ଚିତ ଥିଲେ। ବିଶେଷ କରି ବିଦ୍ୟୁତ୍ ନଥିବାରୁ ଗାଁର ଜୀବନ ବହୁତ କଷ୍ଟକର ହୋଇପଡ଼ିଥିଲା। ରାତି ହେଲେ ଗାଁ ପୁରା ଅନ୍ଧାରେ ଢାକିଯାଉଥିଲା। ଛୁଆମାନେ ପଢ଼ି ପାରୁନଥିଲେ, ବୁଢ଼ାମାନେ ଦିନଚର୍ଯ୍ୟା କାମ କରିବାରେ ଅସୁବିଧା ଭୋଗୁଥିଲେ। କୁଲା, ଟୋପା ଆଉ ବାଉଁଶର ସାମଗ୍ରୀ ବନାଇ ଜୀବିକା କମାଉଥିବା ଗାଁଲୋକଙ୍କ କାମ ମଧ୍ୟ ଅନ୍ଧାର ଲାଗି ସୀମିତ ରହିଯାଉଥିଲା। ଏହି ସମୟରେ ସିନାପାଲି ବନ ବିଭାଗର ରେଞ୍ଜର କାମେଶ୍ୱର ତାଣ୍ଡି ଗାଁକୁ ଯାଇ ଗାଁଲୋକଙ୍କ ସମସ୍ୟା ନିକଟରୁ ବୁଝିଥିଲେ। ବିଦ୍ୟୁତ୍ ନଥିବା କଥା ସୁନି ସେ ତୁରନ୍ତ ପଦକ୍ଷେପ ନେଇ ନିଜ ଉଦ୍ୟମରେ ଗାଁର ଅନେକ ଜାଗାରେ ସୋଲାର ଲାଇଟ୍ ଲଗାଇଥିଲେ। ଦିନେ ଦିନେ ଅନ୍ଧାରରେ ରହୁଥିବା ଗାଁରେ ଯେତେବେଳେ ପ୍ରଥମେ ସୋଲାର ଆଲୋକ ଜଳିଲା, ଗାଁଲୋକଙ୍କ ମୁହଁରେ ଖୁସି ଫୁଟିଉଠିଲା। ଏହି ଆଲୋକ କେବଳ ଅନ୍ଧାର ଦୂର କରିନାହିଁ, ବରଂ ଗାଁରେ ନୂଆ ଆଶା ଆଉ ସ୍ଵପ୍ନ ଜଗାଇଦେଇଛି। ଏବେ ଗାଁର ଲୋକେ ରାତିରେ ମଧ୍ୟ କାମ କରିପାରୁଛନ୍ତି। ବାଉଁଶ ଆଉ କୁଲା ସାମଗ୍ରୀ ବନାଇ ବଜାରରେ ବିକ୍ରି କରି ଅଧିକ ଆୟ କରୁଛନ୍ତି। ଛୁଆମାନେ ମଧ୍ୟ ରାତିରେ ପଢ଼ିବା ସୁଯୋଗ ପାଇ ନିଜର ଭବିଷ୍ୟତ ଗଢ଼ୁଛନ୍ତି। ଗାଁର ବୁଢ଼ା ଆଉ ମହିଳାମାନେ ଏହି ପଦକ୍ଷେପକୁ ବହୁତ ପ୍ରଶଂସା କରିଛନ୍ତି। ସେମାନେ କହିଛନ୍ତି ଯେ, ଏପର୍ଯ୍ୟନ୍ତ କେହି ଅଧିକାରୀ ଏଭଳି ଭାବରେ ଗାଁର ସମସ୍ୟାକୁ ନିଜର ଭାବି ସମାଧାନ କରିନଥିଲେ। ଏହି ପଦକ୍ଷେପ ଏବେ ସ୍ଥାନୀୟ ଅଞ୍ଚଳରେ ଏକ ଭଲ ଉଦାହରଣ ହେଇଯାଇଛି। ଜଙ୍ଗଲ ମଝିରେ ଥିବା ଏକ ଛୋଟ ଗାଁରେ ଏଭଳି କାମ ଅନ୍ୟ ଅଞ୍ଚଳ ପାଇଁ ପ୍ରେରଣା ହେବାର ଆଶା ରହିଛି। ସତରେ, ସିନାପାଲି ରେଞ୍ଜର କାମେଶ୍ୱର ତାଣ୍ଡି ଅନ୍ଧାରେ ଆଲୋକର ଦୂତ ହେଇ ଝୋଲାପଡ଼ା ଗାଁର ଜୀବନକୁ ବଦଳାଇଦେଇଛନ୍ତି।