Hot Posts

6/recent/ticker-posts

ନୂଆପଡାରେ ସିଏମ ଟ୍ରଫି ଜିଲ୍ଲାସ୍ତରୀୟ ଖୋ-ଖୋ ମୁକାବିଲା ଆରମ୍ଭ

ନୂଆପଡା, ୧୪/୦୪ ( ବନ ବିହାରୀ ମେହେର ) : ନୂଆପଡାରେ ସିଏମ ଟ୍ରଫି ଅନ୍ତର୍ଗତ ଜିଲ୍ଲାସ୍ତରୀୟ ୧୪ ବର୍ଷରୁ କମ ବାଳକ ଆଉ ବାଳିକା ଖୋ-ଖୋ ମୁକାବିଲା ଆଜି ଧୁମଧାମରେ ଆରମ୍ଭ ହେଇଛି। ସକାଳ ୯ଟାରେ ସ୍ଥାନୀୟ ସରକାରୀ ବାଳିକା ହାଇସ୍କୁଲ ଖୋ-ଖୋ ମାଇଦାନରେ ଏହାର ଶୁଭାରମ୍ଭ ହେଇଥିଲା। ବାଳକ ବିଭାଗରେ ୧୦ଟା ଦଳ ଆଉ ବାଳିକା ବିଭାଗରେ ୬ଟା ଦଳ ଭାଗ ନେଇଛନ୍ତି। ଜିଲ୍ଲାପାଳ ମଧୁସୂଦନ ଦାସ ଏହି ମୁକାବିଲାକୁ ଉଦଘାଟନ କରିଥିଲେ। “ପ୍ରତିଭା ଅନେକ, ଲକ୍ଷ୍ୟ ଏକ—ପଡ଼ିଆରୁ ପୋଡିଅମ” ନାରା ସହିତ ଆୟୋଜିତ ଏହି ଖେଳ ପ୍ରତିଯୋଗିତା ରାଜ୍ୟରେ ନୂଆ ଖେଳ ପ୍ରତିଭାକୁ ଆଗକୁ ଆଣିବାରେ ବଡ ଭୂମିକା ନେବ ବୋଲି ସେ କହିଥିଲେ। ନୂଆପଡା ଜିଲ୍ଲାର ଖେଳ ପରମ୍ପରା ଭଲ ଥିବା ସହିତ ଏଠାରୁ ଅନେକ ଖେଳାଳୀ ରାଜ୍ୟ ଆଉ ଜାତୀୟ ସ୍ତରରେ ନାଁ କମାଇଛନ୍ତି। ବିଗତ ବର୍ଷ ରୂପେନ୍ଦ୍ର ରାଉତ ଓଡିଶା କବାଡି ଟିମର କ୍ୟାପ୍ଟେନ୍ ଭାବେ ଜାତୀୟ ସ୍ତରରେ ଖେଳିଥିବା କଥା କହି ଯୁବ ଖେଳାଳୀମାନଙ୍କୁ ସେ ପ୍ରେରଣା ଦେଇଥିଲେ। ଏହି ମୁକାବିଲାରୁ ମଧ୍ୟ ନୂଆ ପ୍ରତିଭା ବାହାରିବ ବୋଲି ସେ ଆଶା ରଖିଥିଲେ। ସମ୍ମାନୀୟ ଅତିଥି ଭାବେ ଜିଲ୍ଲା ଫୁଟବଲ ସଂଘ ସମ୍ପାଦକ ସରୋଜ କୁମାର ସାହୁ ଯୋଗଦେଇ ଜିଲ୍ଲାରେ ଖେଳର ଉନ୍ନତି ଆଉ ଖେଳାଳୀମାନଙ୍କ କ୍ଷମତା ବିଷୟରେ କହିଥିଲେ। ରାଜ୍ୟ ସ୍ତରକୁ ଯାଉଥିବା ଖେଳାଳୀମାନଙ୍କୁ ସେ ପ୍ରଶଂସା କରିଥିଲେ। ଆଜି ବାଳକ ବିଭାଗରେ ୬ଟା ମ୍ୟାଚ୍ ହେଇଥିବା ବେଳେ ବାଳିକା ବିଭାଗରେ ଭଲ ଟକ୍କର ଦେଖିବାକୁ ମିଳିଥିଲା। ଆସନ୍ତାକାଲି ବାଳିକା ବିଭାଗରେ ନେଶନାଲ ହାଇସ୍କୁଲ ନୂଆପଡା ଆଉ ବାଞ୍ଜିବାହାଲ ଦଳ ମଧ୍ୟରେ ଫାଇନାଲ ମ୍ୟାଚ୍ ହେବ। ବାଳକ ବିଭାଗରେ ସେମିଫାଇନାଲ ଆଉ ଫାଇନାଲ ମ୍ୟାଚ୍ ମଧ୍ୟ ଆସନ୍ତାକାଲି ହେବାକୁ ଥିବା। ଅଭିଜ୍ଞ ଖେଳ ଶିକ୍ଷକ ଆଉ ରେଫେରୀମାନେ ସମସ୍ତ ମ୍ୟାଚ୍ ପରିଚାଳନା କରିଥିଲେ। ଉଭୟ ବିଭାଗରୁ ଭଲ ଖେଳାଳୀମାନଙ୍କୁ ବାଛି ଜିଲ୍ଲା ଟିମ ତିଆରି କରାଯିବ ଆଉ ସେମାନେ ଜୋନାଲ ସ୍ତରରେ ନୂଆପଡାକୁ ପ୍ରତିନିଧିତ୍ୱ କରିବେ ବୋଲି ଜିଲ୍ଲା କ୍ରୀଡା ଅଧିକାରୀ ରାଜେନ୍ଦ୍ର ପ୍ରସାଦ ବଢେଇ ସୂଚନା ଦେଇଛନ୍ତି।