ବାଲିଆପାଳ ବ୍ଲକର ଅସ୍ତି ପଂଚାୟତ ସ୍ଥିତ ପାରୁଳେଶ୍ୱର ମହାଦେବଙ୍କ ପ୍ରସଦ୍ଧ ପାଟ ଯାତ୍ରା ।
ବାଲିଆପାଳ, ୧୯/୦୪ ( ସନ୍ୟାସୀ ବେହେରା ) : ବାଲିଆପାଳ ବ୍ଲକ ଅସ୍ତି ପଞ୍ଚାୟତ ସୁବର୍ଣ୍ଣ ରେଖା ନଦୀ ତଟ ପୂରାତନ ଶୈବ ପୀଠ ପାରୁଳେଶ୍ୱର ମହାଦେବ ଙ୍କ ରବିବାର ପାଟ ଯାତ୍ରା ଅନୁଷ୍ଠିତ ହୋଇଛି। ଏଥିପାଇଁ ପ୍ରତ୍ୟୁଷରୁ ମହାଦେବଙ୍କ ସମସ୍ତ ନୀତି କାନ୍ତି ସୁଚାରୁରୂପେ ସମ୍ପାଦିତ ହୋଇଛି। ପୂର୍ବରୁ ମହାଦେବ ଙ୍କ କାମିନୀ ବିବାହ, ନୀଳ ପର୍ବ ଯଥା ରୀତି ସମ୍ପନ୍ନ ହୋଇ ଥିଲା।ତେର ଭକ୍ତା ସୁବର୍ଣ୍ଣ ରେଖା ନଦୀ ହାକାଣ୍ଡ ଘାଟରୁ ମହାଦେବ ଙ୍କ ସ୍ନାନ ଉଦ୍ଦେଶ୍ୟ ରେ ପାଣି ଉଠାଇ ଥିଲେ। ଅପରାହ୍ନ କୁ ମଇଁଷି ଆଡି ଜଗନ୍ନାଥ ମନ୍ଦିର ପୋଖରୀ ହୁଡ଼ା ରୁ ଭକ୍ତମାନେ ଦେହରେ କଣ୍ଟା ଫୁଟାଇ ବାଦ୍ୟର ତାଳେ ତାଳେ ଭିନ୍ନ ଭିନ୍ନ ନୃତ୍ୟ ଭଙ୍ଗୀରେ ମନ୍ଦିର ପରିକ୍ରମା କରିଛନ୍ତି। ମହିଳା ଭକ୍ତମାନେ ଜଳୁଥିବା ସରାକୁ ମୁଣ୍ଡରେ ମୁଣ୍ଡାଇ ମନ୍ଦିର ପରିସରକୁ ଆସିଥିଲେ। ଚଳିତ ପାଟ ଯାତ୍ରାରେ ପାଟ ଭକ୍ତା ମିଶାଇ ପାଞ୍ଚ ଶହ ଭକ୍ତା ପଇତା ଉପବିତ ପକାଇ ଥିବା ବେଳେ ଦେଢ଼ ଶହ ମହିଳା ଭକ୍ତା ଏଥିରେ ସାମିଲ ହୋଇଥିଲେ। ପାଟ ଭକ୍ତା ସୁନୀଲ କୁମାର ପ୍ରଧାନ ପାଟ ଯାତ୍ରାକୁ ସୁ ପରିଚାଳନା କରିଥିବା ବେଳେ ଡାକ୍ତର ପୁରୁଷୋତ୍ତମ ପ୍ରଧାନ, ରାମ ନାରାୟଣ ପାତ୍ର, ସନ୍ୟାସୀ ପ୍ରଧାନ, ଅନୀଲ ପ୍ରଧାନ, କାର୍ତ୍ତିକ ପ୍ରଧାନ, ସନ୍ତୋଷ କୁମାର ପ୍ରଧାନ, ଟୁନା ଦାସ, ସୁଶାନ୍ତ କୁମାର କର, କୁନା ପାତ୍ର, ଟିକ ଜେନା, ନନ୍ଦ କିଶୋର ପ୍ରଧାନ ପ୍ରମୁଖ ଏଥିରେ ସହଯୋଗ କରିଥିଲେ। କିମ୍ବଦନ୍ତୀ ଅନୁସାରେ ପାରୁଳେଶ୍ୱରଙ୍କ ନାମ ଅନୁସାରେ ଗାଁ ନାଁ ପାରୁଳିଆ ପ୍ରତିପନ୍ନ ହୋଇଛି। ଡାକ୍ତର ପୁରୋଷୋତ୍ତମ ପ୍ରଧାନଙ୍କ ପୂର୍ବ ପୁରୁଷ ସ୍ୱପ୍ନା ଦେଶ ପାଇ ଜ୍ୟୋତିର୍ଲିଙ୍ଗକୁ ସ୍ଥାପନା କରିବା ସହିତ ମନ୍ଦିର ତୋଳାଇ ଥିଲେ। ବଡକସବା କଣ୍ଟାଡିହା ଭୈରବ ପୀଠ ସହିତ ପାରୁଳେଶ୍ୱର ମହାଦେବଙ୍କ ଅନେକ ସାମଞ୍ଜସ୍ୟ ରହିଛି। ଭୈରବ ପୀଠରୁ ସ୍ୱୟଂ ମହାଦେବ ଘୋଡାରେ ଚଢି ନିଶାର୍ଦ୍ଧରେ ଏହି ପୀଠକୁ ଆସି ଲୀନ ହୋଇ ଯାଆନ୍ତି। ଭୈରବ ଆସୁଥିବା ରାସ୍ତାରେ ଧୂପ, ଝୁଣା, କର୍ପୁର ର ବାସ୍ନା ଚତୁର୍ଦ୍ଦିଗକୁ ମହକାଇ ଦିଏ। ଲୋକେ ବାସ୍ନା ପାଇ ମହାଦେବଙ୍କ ଆଗମନର ସୂଚନା ପାଇଯାନ୍ତି। ନିଶାର୍ଦ୍ଧ ରେ କୌଣସି ଲୋକ ଶଙ୍କାରେ ସେହି ରାସ୍ତାରେ ଯାଅ ଆସ କରନ୍ତି ନାହିଁ। ପାରୁଳେଶ୍ୱରଙ୍କ ମହିମା ଅପାର। ସେଥିପାଇଁ ମହାଦେବଙ୍କ ଭକ୍ତ ସଂଖ୍ୟା କାହିଁ କେତେ। ତେବେ ପୀଠରେ ବିଶେଷ ଉନ୍ନତି ହେଲେ ଦୂର ଦୁରାନ୍ତର ଶୈବ ଭକ୍ତମାନଙ୍କୁ ଏହା ଆକୃଷ୍ଟ କରି ପାରନ୍ତା।