ଅନାଥ କୁନି ଝିଅ ପାଇଁ ସହାୟତା ଦାବୀ, ନିରବ ପ୍ରଶାସନ ଉପରେ ପ୍ରଶ୍ନ
ସିନାପାଲି, ୧୯/୦୪ ( ବନ ବିହାରୀ ମେହେର ) : ନୂଆପଡା ଜିଲ୍ଲା ସିନାପାଲି ଥାନା ଅନ୍ତର୍ଗତ ଭରୁଆମୁଣ୍ଡା ଗ୍ରାମପଞ୍ଚାୟତର ଚଚରାଭଟା ଗ୍ରାମର ଏକ କୁନି ଝିଅ ରିଆ ଛତ୍ରିଆଙ୍କ ଜୀବନ ଆଜି ଦୁଃଖ ଓ ଅସହାୟତାର ଜୀବନ୍ତ ଚିତ୍ର ପ୍ରସ୍ତୁତ କରୁଛି। କମ୍ ବୟସରେ ଜୀବନର କଠୋର ସତ୍ୟ ସହ ମୁହାଁମୁହିଁ ହୋଇଥିବା ଏହି ନିର୍ଦୋଷ ଝିଅଟି ଏବେ ସମାଜ ଓ ପ୍ରଶାସନର ସହାନୁଭୂତି ଓ ସହଯୋଗ ଅପେକ୍ଷାରେ ଅଛନ୍ତି। ସୂଚନା ଅନୁଯାୟୀ, ରିଆଙ୍କ ପିତାଙ୍କ ବିଷୟରେ ସ୍ପଷ୍ଟ ତଥ୍ୟ ମିଳୁନି। ତାପରେ ଗତ ବର୍ଷ ତାଙ୍କ ମାଆ ଯମୁନା ଛତ୍ରିଆଙ୍କ ଦେହାନ୍ତ ହେବା ପରେ ସେ ସଂପୂର୍ଣ୍ଣ ଭାବେ ଅନାଥ ହୋଇପଡିଛନ୍ତି। ବର୍ତ୍ତମାନ ସେ ତାଙ୍କ ମାମୁଁ ଫୁଳଚନ ଛତ୍ରିଆଙ୍କ ଆଶ୍ରୟରେ ରହୁଥିବା ବେଳେ, ମାମୁଁଙ୍କ ପରିବାର ମଧ୍ୟ ଦରିଦ୍ର ସୀମାରେଖା ତଳେ ଥିବାରୁ ଝିଅଟିଙ୍କ ଜୀବନ ଗୁରୁତର ସମସ୍ୟାରେ ପଡିଛି। ରିଆଙ୍କ ପାଇଁ ନିୟମିତ ଭାବେ ଖାଦ୍ୟ, ଶିକ୍ଷା ଓ ନିବାସ ବ୍ୟବସ୍ଥା କରିବା ଦୁର୍ଲଭ ହୋଇପଡିଛି। ତାଙ୍କ ଭବିଷ୍ୟତ ଅନିଶ୍ଚିତତାର ଅନ୍ଧକାରରେ ଢାକିଯାଉଥିବାରୁ ସ୍ଥାନୀୟ ଲୋକମାନେ ଗଭୀର ଚିନ୍ତା ବ୍ୟକ୍ତ କରିଛନ୍ତି। ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ପ୍ରଶାସନ ପକ୍ଷରୁ ସମୟୋଚିତ ସହାୟତା ମିଳିଲେ ଏହି କୁନି ଝିଅଟି ଶିକ୍ଷା ଓ ଜୀବନରେ ଆଗକୁ ବଢ଼ିପାରିବ। କିନ୍ତୁ ଦୁଃଖର କଥା, ଏପର୍ଯ୍ୟନ୍ତ ତାଙ୍କୁ କୌଣସି ସରକାରୀ ସହାୟତା ମିଳିନାହିଁ। ଏହାକୁ ନେଇ ଅଞ୍ଚଳରେ ଅସନ୍ତୋଷ ବଢ଼ୁଥିବା ବେଳେ, ସାଧାରଣ ଜନତା ଓ ସଚେତନ ମହଳର ଦାବୀ ହେଉଛି—ପ୍ରଶାସନ ତୁରନ୍ତ ଏହି ଘଟଣାରେ ହସ୍ତକ୍ଷେପ କରି ରିଆଙ୍କ ପାଇଁ ଶିକ୍ଷା, ଖାଦ୍ୟ, ନିବାସ ଓ ଆବଶ୍ୟକ ଅନ୍ୟାନ୍ୟ ସୁବିଧା ସୁନିଶ୍ଚିତ କରୁନ୍ତୁ। ଏହାସହିତ, ଶିଶୁ କଳ୍ୟାଣ ଯୋଜନା ମାଧ୍ୟମରେ ତାଙ୍କୁ ସୁରକ୍ଷା ଓ ଉଜ୍ଜ୍ୱଳ ଭବିଷ୍ୟତ ଦେବା ପାଇଁ ଶୀଘ୍ର ପଦକ୍ଷେପ ନିଆଯିବାକୁ ଜୋର ଦିଆଯାଇଛି। ଯଦି ପ୍ରଶାସନ ସମୟରେ ଦୃଷ୍ଟି ଦେଉଛି, ତେବେ ରିଆ ଭଳି ଏକ ନିର୍ଦୋଷ ଜୀବନ ଅନ୍ଧକାରରୁ ଆଲୋକ ଦିଗକୁ ଗତି କରିପାରିବ।