ଲୋକମହୋତ୍ସବ–୨୦୨୬ ଭବ୍ୟ ସମାପନ: କୃତୀଙ୍କୁ ସମ୍ମାନ, ସାଂସ୍କୃତିକ ଝଲକରେ ମନୋମୁଗ୍ଧ ଦର୍ଶକ
ନୂଆପଡ଼ା, ୦୫/୦୪ ( ବନ ବିହାରୀ ମେହେର ) : ନୂଆପଡ଼ା ଜିଲ୍ଲାର ଐତିହ୍ୟବାହି “ମାରାଗୁଡା ଲୋକମହୋତ୍ସବ–୨୦୨୬”ର ପଞ୍ଚମ ଓ ଶେଷ ସନ୍ଧ୍ୟା ଉତ୍ସାହ ଓ ଆଡମ୍ବରମୟ ପରିବେଶରେ ଭବ୍ୟ ଭାବେ ସମାପ୍ତ ହୋଇଯାଇଛି। ସାଂସ୍କୃତିକ ସଭା ସହ ସମ୍ମାନ ସମାରୋହ ଏହି ଉତ୍ସବକୁ ଅଧିକ ଗରିମାମୟ କରିଥିଲା। କାର୍ଯ୍ୟକ୍ରମର ଆରମ୍ଭରେ ବରେଣ୍ୟ ଅତିଥିମାନଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ଜ୍ୱଳନ ଓ ପୂଜାର୍ଚ୍ଚନା କରାଯାଇଥିଲା। ପରେ ଅତିଥିମାନଙ୍କୁ ସମ୍ବର୍ଦ୍ଧନା ଜଣାଇ “ବନ୍ଦେ ଉତ୍କଳ ଜନନୀ” ସଙ୍ଗୀତରେ ସଭାର ଶୁଭାରମ୍ଭ ହୋଇଥିଲା। ସାଂସ୍କୃତିକ ସଭାରେ ମୁଖ୍ୟ ଅତିଥି ଭାବେ ଖଡିଆଳ ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ ଯୋଗଦେଇ ଆଞ୍ଚଳିକ ସଂସ୍କୃତିର ସୁରକ୍ଷା ଓ ପ୍ରଚାରରେ ଏପରି ମହୋତ୍ସବର ଗୁରୁତ୍ୱକୁ ଉଲ୍ଲେଖ କରିଥିଲେ। ସମ୍ମାନିତ ଅତିଥିମାନଙ୍କ ମଧ୍ୟରେ ସୁଜନେଶ୍ବର ମଲ୍ଲିକ (ବିଶିଷ୍ଟ ଶିକ୍ଷାବିତ୍), ପୁଷ୍ପାଞ୍ଜଳି ଗୁଆଳ (ଜିଲ୍ଲା ପରିଷଦ ସଭ୍ୟା), ଡ଼. ସୋନିଆ ଜୈନ (ଅଧ୍ୟକ୍ଷା, ଏନ.ଏ.ସି., ଖଡିଆଳ) ଓ ଏମ.ଡି. ଏଫ. ଅଜିଜ ଖାନ (ବନଖଣ୍ଡ ଅଧିକାରୀ) ଉପସ୍ଥିତ ରହି ମତାମତ ରଖିଥିଲେ। ସଭାପତି ଭାବେ ଜିଲ୍ଲାପାଳ ମଧୁସୂଦନ ଦାଶ ସ୍ବାଗତ ଅଭିଭାଷଣ ରଖି ମହୋତ୍ସବର ସଫଳ ଆୟୋଜନ ପାଇଁ ସମସ୍ତଙ୍କ ସହଯୋଗକୁ କୃତଜ୍ଞତା ଜଣାଇଥିଲେ। ମୁଖ୍ୟ ବକ୍ତା ଭାବେ ପଦ୍ମଶ୍ରୀ ମହେନ୍ଦ୍ର କୁମାର ମିଶ୍ର ଲୋକସାହିତ୍ୟ ଓ ସଂସ୍କୃତିର ମୂଲ୍ୟବୋଧ ଉପରେ ଗଭୀର ଆଲୋଚନା କରିଥିଲେ। ଏହି ଅବସରରେ ଜିଲ୍ଲାର ବିଭିନ୍ନ ବ୍ଲକ ଓ ଏନ.ଏ.ସି.ରୁ ଆସିଥିବା ବିଭିନ୍ନ କ୍ଷେତ୍ରର କୃତୀ ବ୍ୟକ୍ତିବିଶେଷଙ୍କୁ ମଞ୍ଚରେ ସମ୍ମାନିତ କରାଯାଇଥିଲା। ସେମାନଙ୍କ ମଧ୍ୟରେ ସୁଜନେଶ୍ବର ମଲ୍ଲିକ, ପଦ୍ମଶ୍ରୀ ମହେନ୍ଦ୍ର କୁମାର ମିଶ୍ର, ଭୂପେନ୍ଦ୍ର ରାଉତ (ଜାତୀୟ କବାଡି ଖେଳାଳି), ମୁକେଶ ଚନ୍ଦ୍ରକାର (କୃଷକ), ବଳରାମ ସୋନି (ଗାୟକ), ହରି ସିଂ ମାଝୀ (ସମାଜସେବୀ), ଲୋକନାଥ ଖରସେଲ (କୃଷକ), ଜଗବନ୍ଧୁ ବାରିକ (କଳାପ୍ରେମୀ), ବଳଭଦ୍ର ମାହୂତି (ଶିକ୍ଷାବିତ୍) ଓ ଛବି ସାଗର (କ୍ରୀଡାବିତ୍) ଅନ୍ତର୍ଭୁକ୍ତ ଥିଲେ। ବରେଣ୍ୟ ଅତିଥିମାନଙ୍କୁ ମଧ୍ୟ ସ୍ମୃତିଚିହ୍ନ ପ୍ରଦାନ କରାଯାଇଥିଲା। ଶେଷରେ କୋମନା ପଞ୍ଚାୟତ ସମିତି ଅଧ୍ୟକ୍ଷା ଅନୁସୂୟା କୁମ୍ଭାର ଧନ୍ୟବାଦ ଅର୍ପଣ କରିଥିଲେ। ସାଂସ୍କୃତିକ କାର୍ଯ୍ୟକ୍ରମରେ ନଟରାଜ ଡାନ୍ସ ଏକାଡେମୀ, ସ୍ବର ଶୃଙ୍ଗାର ସାଂସ୍କୃତିକ ଅନୁଷ୍ଠାନ, ଜେନ ଜୀ ପବ୍ଲିକ୍ ସ୍କୁଲ, ବାପୁଜୀ ସାଂସ୍କୃତିକ ଦଳ ଓ ପଞ୍ଚମୀ ଡାନ୍ସ ଏକାଡେମୀ ପକ୍ଷରୁ ଚମତ୍କାର ପ୍ରଦର୍ଶନ ହୋଇଥିଲା। ବିଶେଷ ଆକର୍ଷଣ ଭାବେ ଉମାକାନ୍ତ ବାରିକ ଓ ସାଥୀମାନଙ୍କ ସଙ୍ଗୀତାନୁଷ୍ଠାନ ଦର୍ଶକମାନଙ୍କୁ ମନୋମୁଗ୍ଧ କରିଥିଲା। ବିପୁଳ ସଂଖ୍ୟକ ଦର୍ଶକଙ୍କ ଉପସ୍ଥିତିରେ ସମଗ୍ର ପରିବେଶ ଉତ୍ସବମୟ ହୋଇଯାଇଥିଲା ଏବଂ ଏହା ସହିତ ମାରାଗୁଡା ଲୋକମହୋତ୍ସବ–୨୦୨୬ର ସଫଳ ସମାପନ ଘଟିଥିଲା।