ଦଳ ସଫା ନାଁରେ୧କୋଟି ୩୦ଲକ୍ଷ ଚଳୁ ଉଦ୍ୟମ
ବରୀ, ୧୦/୦୪ ( ରଂଜିତ ମହାନ୍ତି ) : ଯାଜପୁର ଡ୍ରେନେଜ ବିଭାଗ ପକ୍ଷରୁ ‘ରିନୋଭେସନ ଅଫ ରତ୍ନଗିରି ଡ୍ରେନ ଉଇଥ ଲିଙ୍କ୍ ଡ୍ରେନ' ସଫା ନାମରେ ୪କୋଟି ୧୫ଲକ୍ଷ ଟଙ୍କାର ବ୍ୟୟ ଅଟକଳ ରହିଥିଲା। ଏହାକୁ ୧୪.୯୯% କମ୍ ଟେଣ୍ଡର ଆଧାରରେ ଏହାର ଚୁକ୍ତି ମୁଲ୍ୟ ୩କୋଟି ୫୨ଲକ୍ଷ ୮୨ହଜାର ରହିଛି। ଏହା ମଧ୍ୟରେ ନାଳ ଭିତରୁ ମାଟି ଖୋଲା ଯାଇ ନାଳକୁ ଜଳ ଧାରଣ କରାଇବାକୁ ୧କୋଟି ୩୦ଲକ୍ଷ ଟଙ୍କା ବ୍ୟୟ ଅଟକଳ ରହିଛି। ଜଳ ଧାରଣ କ୍ଷମତା ବଢ଼ାଇବା ପାଇଁ ନାଳର ପେଟ ବା ଭିତର ଅଂଶରୁ ମାଟି ଖୋଳିବା ପରିବର୍ତ୍ତେ ଦଳ, ଦୁଇ କଡ଼ରେ ଥିବା ଅନାବନା ଘାସ ସବୁ ସଫା କରି ଦିଆ ଯାଉଥିବାର ଦେଖିବାକୁ ମିଳୁଛି। ବ୍ୟୟ ଅଟକଳ ଅନୁଯାୟୀ କ୍ୟୁବିକ ମିଟର ପିଛା ମାଟିର ମୂଲ୍ୟ ୩୫ଟଙ୍କା ରହିଥିବାବେଳେ କୋଟିଏରୁ ଊଦ୍ଧ ଟଙ୍କାର ମାଟି ଯଦି ଦୁଇ କଡ଼ରେ ପକା ଯାଏ ତେବେ ନାଳ କଡ଼େ କଡ଼େ ଗୋଟିଏ ନୂଆ ରାସ୍ତା ଫିଟିଯିବ । ରତ୍ନଗିରି ମୁଖ୍ୟ ବଜାର କଡ଼ରେ ଲୋକ ଦେଖାଣିଆ ୨ଶହ ମିଟର ଭଲ ଭାବେ ଦୁଇ କଡ଼ା ସଫା କରି ଦିଆଯାଇଛି। ତା'ପରେ ଚାଷ ଜମି ପାଖରେ କେବଳ ଘାସ ସଫା କରାଯାଇ ଦୁଇ କଡ଼କୁ ମଧ୍ୟ ସମାନ କରିବାରେ ଅଣଦେଖା କରାଯାଇଛି। ଏହି ପ୍ରକଳ୍ପ ମଧ୍ୟରେ ଛୋଟ ବଡ଼ ୭ଟି, ପାଦ ଚଲା ପୋଲ ମଧ୍ଯ ରହିଛି । ପ୍ରତି ବର୍ଷ ଏହି ନାଳ ସଫା ନାଁରେ କୋଟି କୋଟି ଟଙ୍କା ଚଳୁ କରାଯାଉଛି। ଗତ ଯଦି ଠିକ୍ ଭାବରେ ଏହି ନାଳ ସଫା କରାଯାଇଥାନ୍ତା ଚଳିତ ବର୍ଷ ସରକାରଙ୍କ ଏହି ଅର୍ଥ ଏଠାରେ ଖର୍ଚ୍ଚ କରିବାରେ ଆବଶ୍ୟକତା ପଡ଼ି ନଥାନ୍ତା I ବିନା ଟେଣ୍ଡରରେ ତିନି ପତରିଆ କାଗଜ ମାଧ୍ୟମରେ ଏକାଧିକ ୫ଲକ୍ଷ ଲେଖାଏ ଅର୍ଥ ମଧ୍ୟ ଏଠାରେ ଦୁରୁପଯୋଗ କରାଯାଉଥିବାର ଅଭିଯୋଗ ହୋଇଆସୁଛି। ନାଳର ଜଳଧାରଣ କ୍ଷମତା ନରହିଲେ ସରକାରୀ ଅର୍ଥ ବିନିଯୋଗ ବେକାର ହେବ ବୋଲି ସ୍ଥାନୀୟ ବାସିନ୍ଦା ପୁରୁଷୋତ୍ତମ ସାମଲ, ବ୍ରଜବିହାରୀ ଭଞ୍ଜ, ପ୍ରଭାସ ଚନ୍ଦ୍ର ପରିଡ଼ା, ପୂର୍ବତନ ସରପଞ୍ଚ ସଂରମ ସାମଲ, ସମବାୟ ସଭାପତି କେଦାର ନାୟକ ପ୍ରମୁଖ ଅଭିଯୋଗ କରିଛନ୍ତି। ଏହାର ଏକ ଉଚ୍ଚ ସ୍ତରୀୟ ତଦନ୍ତ ପାଇଁ ସ୍ଥାନୀୟ ବାସିନ୍ଦା ଦାବି କରିଛନ୍ତି । ଘଟଣା ସମ୍ପର୍କରେ ଦାୟିତ୍ବରେ ଥିବା ଯନ୍ତ୍ରୀ ଶମ୍ଭୁନାଥ ବେହେରାଙ୍କୁ ପଚାରିବାରୁ କାମ କୋଉଠି କମ୍ ଥିଲେ ସେହି ଅନୁଯାଇ ବିଲ ହେବ ବୋଲି କହିଥିଲେ।