କୃଷ୍ଣନଗର ଚିନିକଳ କାର୍ଯ୍ୟକ୍ଷମ ପାଇଁ ଉଦ୍ୟମ ଆରମ୍ଭ, ପରିଚୟ ରକ୍ଷା ପାଇଁ ବିଭିନ୍ନ ମହଲରେ ହେବ ଦାବି
ବରୀ, ୩୧/୦୩ ( ରଂଜିତ ମହାନ୍ତି ) : ବରୀ ବ୍ଳକର କୃଷ୍ଣନଗର ସ୍ଥିତ ଚିନିକଳ ଦିନେ ଏହି ଅଞ୍ଚଳର ଭିନ୍ନ ପରିଚୟ ଥିଲା । ଆଜି କିନ୍ତୁ ଏକ ପ୍ରକାର ଅସ୍ତିତ୍ୱ ହରାଇ ସାରିଛି ଏହି ଚିନି କଳ । ଆଖୁ ଉତ୍ପାଦନରେ ବରୀ ରାଜ୍ୟର ଦ୍ଵିତୀୟ ସ୍ଥାନରେ ଥିଲା ବେଳେ ଅତୀତର ସ୍ମୃତି ହୋଇ ଛିଡା ହୋଇଛି ଏହି ଚିନିକଳ । ରାଜ୍ୟର, ବରୀର ବିକାଶ ହୋଇଥିଲା ବେଳେ ଭଗ୍ନ ସ୍ତୁପରେ ପରିଣତ ହୋଇ ଅତୀତର ସ୍ମୃତି ହୋଇ ଛିଡା ହୋଇଛି ଏହି ଚିନିକଳ । ନିକଟରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଓଡ଼ିଶା ଗସ୍ତ କରିଥିଲା ବେଳେ ରାଜ୍ୟର ବନ୍ଦ ପଡିଥିବା ଚିନିକଳ ଚାଲୁ କରାଯିବାକୁ ପ୍ରତିଶ୍ରୁତି ଦେବା କୃଷ୍ଣ ନଗର ଅଞ୍ଚଳ ସହିତ ବରୀବାସୀଙ୍କ ମନରେ ଆଶା ସଞ୍ଚାର କରିଛି । ଏହା କିଭଳି ପୁଣି ଚାଲୁ କରାଯିବ ତାକୁ ନେଇ ବରୀ ଅଞ୍ଚଳର କିଛି ବୁଦ୍ଧିଜୀବି ବୈଠକ କରିଛନ୍ତି । ଆଗକୁ ଏ ନେଇ ବିଭିନ୍ନ ଫୋରମରେ ଦାବି କରିବାକୁ ମଧ୍ୟ ବୈଠକରେ ସ୍ଥିର ହୋଇଛି । ବ୍ରାହ୍ମଣୀ ଓ ବିରୂପା ନଦୀର ମଧ୍ୟବର୍ତ୍ତି ଅଞ୍ଚଳ କୃଷ୍ଣନଗର ଠାରେ ୧୯୬୦ ମସିହାରେ ଚିନିକଳ ପାଇଁ ତତ୍କାଳୀନ ଶିଳ୍ପମନ୍ତ୍ରୀ ସ୍ୱର୍ଗତ କାହ୍ନୁଚରଣ ଲେଙ୍କାଙ୍କ କରକମଳରେ ଏହି ଚିନିକଳର ଭିତ୍ତି ପ୍ରସ୍ତର ସ୍ଥାପନ କରାଯାଇଥିଲା। ଏହାର ୧୫ ବର୍ଷ ପରେ ଅର୍ଥାତ ୧୯୭୫ ମସିହାରେ ଚିନିକଳ ଉଦ୍ଘାଟନ ହୋଇ ଚିନି ଉତ୍ପାଦନ କରାଯାଇଥିଲା। ଗମୁ, ସେରପୁର, ଅଣିକଳା ପ୍ରଭୃତି ପଞ୍ଚାୟତର ୩ ହଜାରରୁ ଅଧିକ ଲୋକ ପ୍ରତ୍ୟେକ୍ଷ ଓ ପରୋକ୍ଷ ଭାବେ ଉପକୃତ ହେଉଥିଲେ। ମାତ୍ର ସେ ସମୟର ବନ୍ୟା ପ୍ରପୀଡ଼ିତ ବରୀ ଅଞ୍ଚଳର ଗମନା ଗମନା ବ୍ୟବସ୍ଥା, କଞ୍ଚାମାଲ, ଓ ବ୍ୟବସାୟୀକ ଭିତିଭୂମି ଅଭାବକୁ ନେଇ କିଛିବର୍ଷ ମଧ୍ୟରେ ଶିଳ୍ପଟି ବନ୍ଦ ହୋଇଯାଇଥିଲା। ଦୀର୍ଘଦିନ ବନ୍ଦ ପଡିବା ପରେ ଚିନିକଳର ଯନ୍ତ୍ରାଂଶ ମଧ୍ୟ ୧୯୮୫ ମସିହାରେ କଲିକତାର ଜଣେ ବ୍ୟକ୍ତିଙ୍କୁ ବିକ୍ରି ହୋଇଯାଇଥିଲା। ଏବେ ଇଟାକାନ୍ଥର ଭଗ୍ନାବଶେଷ, ତିନିଟି ଚିମିନି ଯାହା ପଡ଼ିରହିଛି। ସେ ସମୟରେ ପାଖାପାଖି ୨ ଏକର ଜମି ଉପରେ ନିର୍ମାଣ ହୋଇଥିବା ଏହି ଚିନିକଳର ଅନେକ ଜମି ଏବେ ବ୍ୟକ୍ତିଗତ ଦଖଲକୁ ଚାଲିଯାଇଛି। ସେତେବେଳର ବରୀ ଓ ଆଜିର ବରୀ ପରିସ୍ଥିତିରେ ଆକାଶ ପାତାଳ ପରିବର୍ତ୍ତନ ହୋଇଛି । ଗମନା ଗମନରେ ବ୍ୟାପକ ପରିବର୍ତ୍ତନ ହୋଇ ସାରିଛି । ଯାଜପୁର ସହିତ କେନ୍ଦ୍ରାପଡ଼ାର ସଂଯୋଗ ମଧ୍ୟ ହୋଇ ସାରିଛି । କୃଷି କ୍ଷେତ୍ରରେ ମଧ୍ୟ ବହୁ ପରିବର୍ତ୍ତନ ହେବା ସହିତ ବନ୍ୟା ନିୟନ୍ତ୍ରଣ ହୋଇଛି । ଏପରି ସୁଯୋଗ ଥିଲା ବେଳେ ଯଦି କୃଷ୍ଣନଗର ଚିନିକଳର ପୁର୍ନଉଦ୍ଧାର କରାଯାଇ କାର୍ଯ୍ୟକ୍ଷମ କରାଯାଇ ପାରନ୍ତା ତେବେ ବରୀ ସହିତ କେନ୍ଦ୍ରାପଡାର ଚାଷୀ ଉପକୃତ ହେବା ସହିତ ଆହୁରି ମଧ୍ୟ ବହୁଳ ଭାବେ ଆଖୁଚାଷ କରିବାକୁ ଆଗ୍ରହ ପ୍ରକାଶ ପାଇପାରନ୍ତା ବୋଲି କୃଷ୍ଣନଗରର ଚିନିକଳ ପୁର୍ନଉଦ୍ଧାର ପରିଷଦ ପକ୍ଷରୁ ଆହୁତ ଏକ ବୈଠକରେ ମତ ପ୍ରକାଶ ପାଇଛି। ଏହି ବୈଠକରେ କୁଳମଣି ଶୁକ୍ଳ, ଅକ୍ଷୟ କୁମାର ରାୟ, ସହଦେବ ରାୟ, ଗୁରୁଚରଣ ମହାନ୍ତି, ଉତ୍ତମ କୁମାର ମୁଦୁଲି, ବିବେକାନନ୍ଦ ନାଥ, ପ୍ରମୋଦ କୁମାର ରାଉତ, କୃଷ୍ଣ ଚନ୍ଦ୍ର ଜେନା ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।