କଳାହାଣ୍ଡି ରାୟଗଡା ଜିଲ୍ଲା ସୀମାନ୍ତ ରେ ଥିବା ବେଦାନ୍ତ କଂପାନୀ ସମୁଖ ରେ ବହୁଜନ ସମାଜ ପାର୍ଟି ର ବିକ୍ଷୋଭ
ରାୟଗଡ଼ା, ୩୧/୦୩ ( ଭି. ଗୌରି ଶଙ୍କର ରାଓ ) : କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ରେ ବକ୍ସାଇଟ୍ ଖଣି ଓ ଶିଳ୍ପ ପ୍ରସାରଣ ବିରୋଧରେ ବହୁଜନ ସମାଜ ପାର୍ଟି ପକ୍ଷରୁ ଏକ ବିଶାଳ ଆନ୍ଦୋଳନ ଦେଖିବାକୁ ମିଳିଛି। ନିୟମଗିରି ପାହାଡ଼ ସୁରକ୍ଷା ନେଇ ହଜାର ହଜାର ଡ଼ଙ୍ଗରିଆ କନ୍ଧ ଓ ଆଦିବାସୀ ଲୋକ ଏକଠିତ ହୋଇ ବେଦାନ୍ତ ବିରୋଧରେ ଗର୍ଜନ କରିଥିଲେ। କମ୍ପାନୀ ଓ ପ୍ରଶାସନ ବିରୋଧରେ ଲୋକମାନଙ୍କ ଅସନ୍ତୋଷ ଉତ୍କଟ ରୂପ ନେଇଥିବା ଦେଖାଯାଇଛି। ବେଦାନ୍ତ ଆଲୁମିନା କମ୍ପାନୀ ମୁଖ୍ୟ ଫାଟକ ସମ୍ମୁଖରେ ଆୟୋଜିତ ଏହି ସମାବେଶରେ ପାଖାପାଖି ପାଞ୍ଚ ହଜାରରୁ ଅଧିକ ଲୋକ ଯୋଗଦେଇଥିଲେ। ବିଏସପି ରାଜ୍ୟ ସଭାପତି ସରୋଜ ନାୟକଙ୍କ ନେତୃତ୍ୱରେ ଅନ୍ୟାନ୍ୟ ନେତାମାନେ ଯୋଗଦେଇ ବେଦାନ୍ତର ଖଣି କାର୍ଯ୍ୟକଳାପକୁ ଦୃଢ଼ ଭାବେ ବିରୋଧ କରିଥିଲେ। ସେମାନଙ୍କ ଅଭିଯୋଗ, ସୁପ୍ରିମକୋର୍ଟ ନିର୍ଦେଶ ସତ୍ୱେ ନିୟମଗିରିରେ ବକ୍ସାଇଟ୍ ଉତ୍ତୋଳନ ପାଇଁ ପରୋକ୍ଷ ଚେଷ୍ଟା ହେଉଛି, ଯାହା ଆଦିବାସୀଙ୍କ ଅସ୍ତିତ୍ୱ ଓ ପରିବେଶ ପାଇଁ ହାନିକାରକ। ଆନ୍ଦୋଳନକାରୀମାନେ ୨୭ ଦଫା ଦାବି ଉଠାଇ ଖଣି କାର୍ଯ୍ୟକଳାପ ବନ୍ଦ, ଗ୍ରାମସଭା ସମ୍ମତି ଲାଗୁ, ଏଫଆରଏ ଓ ପେସା ଆଇନ କାର୍ଯ୍ୟକାରୀ କରିବା ସହ ସ୍ଥାନୀୟଙ୍କୁ ଚାକିରୀ ଦେବାକୁ ଦାବି କରିଥିଲେ। “ଜଳ, ଜଙ୍ଗଲ, ଜମିନ” ନାରାରେ ଏହି ଆନ୍ଦୋଳନ ଆଗାମୀଦିନରେ ଆହୁରି ତୀବ୍ର ହେବାର ସଙ୍କେତ ମିଳିଛି। ନିୟମଗିରି ପୁଣିଥରେ ଏକ ନିର୍ଣ୍ଣାୟକ ସଂଘର୍ଷର କେନ୍ଦ୍ରବିନ୍ଦୁ ହେବାକୁ ଯାଉଛି।