ଖଜୁରୀପଡ଼ା, ୦୯/୦୩ ( ବାଳକୃଷ୍ଣ କହଁର ) : କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ବ୍ଲକ ପକ୍ଷରୁ ସମାଜକୁ ନିଶାମୁକ୍ତ କରିବା ଓ ଲୋକମାନଙ୍କ ମଧ୍ୟରେ ସଚେତନତା ବୃଦ୍ଧି ପାଇଁ ଏକ ନିଶା ନିବାରଣ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏହି କାର୍ଯ୍ୟକ୍ରମ ଖଜୁରୀପଡ଼ା ବିଡିଓ ଶୁଭ ଦତ୍ତାତ୍ରେୟ ବାହିନୀପତିଙ୍କ ନେତୃତ୍ୱରେ ଆୟୋଜିତ ହୋଇଥିଲା। କାର୍ଯ୍ୟକ୍ରମରେ ଗୋଷ୍ଠୀ ସାମାଜିକ ସୁରକ୍ଷା ଅଧିକାରୀ ମନୋଜ କୁମାର ସାହୁ ମଧ୍ୟ ଉପସ୍ଥିତ ରହି ନିଶାଦ୍ରବ୍ୟର କୁପ୍ରଭାବ ସମ୍ପର୍କରେ ଲୋକମାନଙ୍କୁ ସଚେତନ କରିଥିଲେ। ବ୍ଲକ କାର୍ଯ୍ୟାଳୟ ପ୍ରାଙ୍ଗଣରୁ ଆରମ୍ଭ ହୋଇଥିବା ପଦଯାତ୍ରାରେ ଅଂଶ ଗ୍ରହଣକାରୀ ମାନେ ହାତରେ ପ୍ଲାକାର୍ଡ ଧରି ବିଭିନ୍ନ ସ୍ଲୋଗାନ ଦେଇ ଖଜୁରୀପଡ଼ା ବଜାର ପରିକ୍ରମା କରିଥିଲେ। ଏହି ସଚେତନତା ପଦଯାତ୍ରାରେ ଉତ୍କଳମଣି ଯୁବକ ସଂଘ ଦୁତୀମେଣ୍ଡି, ମାଁ ସୁରାଦେଇ ଫ୍ରେଣ୍ଡସ କ୍ଲବ ଖଜୁରୀପଡ଼ା, ମାଁ ଦୁର୍ଗା କ୍ଲବ ପିଣ୍ଡାବାଡି ସଦସ୍ୟ ଯୋଗ ଦେବା ସହିତ ବିଭିନ୍ନ ପଞ୍ଚାୟତ ର ଗାଁ ସାଥି ଓ ସ୍ଥାନୀୟ ଜନସାଧାରଣ ଓ ଶିକ୍ଷକ,ଶିକ୍ଷୟତ୍ରୀ,ଛାତ୍ରଛାତ୍ରୀ ଯୋଗ ଦେଇଥିଲେ। କଳାକାର ମାନଙ୍କ ଦ୍ବାରା ପାଲା ନୃତ୍ୟ ମାଧ୍ୟମରେ ନିଶା ନିବାରଣ ପାଇଁ ସଚେତନତା ବିଷୟର ପରିବେଷଣ କରିଥିଲେ । କାର୍ଯ୍ୟକ୍ରମ ମାଧ୍ୟମରେ ନିଶାଦ୍ରବ୍ୟର କୁପ୍ରଭାବ ବିଷୟରେ ଲୋକମାନଙ୍କୁ ସଚେତନ କରାଯାଇଥିବା ବେଳେ ସମାଜକୁ ନିଶାମୁକ୍ତ କରିବା ପାଇଁ ସମସ୍ତଙ୍କ ସାମୁହିକ ପ୍ରୟାସ ଆବଶ୍ୟକ ବୋଲି ମତ ପ୍ରକାଶ ପାଇଥିଲା।
କନ୍ଧମାଳ ରୁ ଜିଲ୍ଲା ପ୍ରତିନିଧି ବାଳକୃଷ୍ଣ କହଁର ଙ୍କ ରିପୋର୍ଟ।
