ଟେଣ୍ଡର ପ୍ରକ୍ରିୟାରେ ଅନିୟମିତତା କୁ ନେଇ ଅଧିକ୍ଷଣ ଯନ୍ତ୍ରୀଙ୍କ ଘେରିଲେ ଠିକାଦାର ସଂଘ।
ରାୟଗଡ଼ା, ୦୯/୦୩ ( ଭି. ଗୌରି ଶଙ୍କର ରାଓ ) : ରାୟଗଡା କ୍ଷୁଦ୍ର ଜଳସେଚନ ବିଭାଗର ଅଧିକ୍ଷଣ ଯନ୍ତ୍ରୀ ଜଗନ୍ନାଥ ମଲ୍ଲିକ ଙ୍କୁ ଆଜି ଠିକାଦାର ମାନେ ଦୀର୍ଘ 2ଘଣ୍ଟାକାଳ ଅଫିସ ଗୃହରେ ଘେରିଥିଲେ। ପରିସ୍ଥିତି ଏପରି ହୋଇଥିଲା ଯେ ଟାଉନ୍ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଠିକାଦାର ମାନଙ୍କୁ ବୁଝାସୁଝା କରିଥିଲେ। ଆଜି କ୍ଷୁଦ୍ର ଜଳସେଚନ ବିଭାଗର 15ଟି ଠିକା କାମକୁ ନେଇ ଲଟେରୀ ବ୍ଯବସ୍ଥା ଥିଲା। ହେଲେ ଅଧିକ୍ଷଣ ଯନ୍ତ୍ରୀ ତାଙ୍କ ସଂପର୍କିୟ ଠିକାଦାର ଜ୍ଯାତିର୍ମୟୀ ମଲ୍ଲିକଙ୍କୁ ଅହେତୁକ ଅନୁକମ୍ପା ଦେଖାଇ 5ଟି କାମର ଟେଣ୍ଡର ଯୋଗାଇଦେବାକୁ ଉଦ୍ଯମ କରୁଛନ୍ତି ବୋଲି ଅଭିଯୋଗ ହୋଇଥିଲା। ପୂର୍ବରୁ ଉକ୍ତ ଠିକାଦାର ଏକ କାମର ଏଗ୍ରିମେଣ୍ଟ ବାବଦକୁ 15ଲକ୍ଷ ଟଙ୍କା 7 ଦିନ ମଧ୍ଯରେ ପୈଠ କରିବାକୁ ନିୟମ ଥିଲେ ସୁଦ୍ଧା ଏକ ମାସରୁ ଉର୍ଦ୍ଧ ସମୟ ହେଲା ସେ ପୈଠ କରିନାହାଁନ୍ତି। ତେବେ ବିଭାଗୀୟ ଅଧିକାରୀ ଜଗନ୍ନାଥ ମଲ୍ଲିକ ନିଜ ଜିଲ୍ଲାର ସଂପର୍କିୟ ଠିକାଦରଙ୍କୁ କାହିଁକି ଏତେ ଅନୁକମ୍ପା ଦେଖାଉଛନ୍ତି ବୋଲି ସଂଘ ପକ୍ଷରୁ ଅଭିଯୋଗ ହୋଇଛି। ଏନେଇ ଅଧିକ୍ଷଣ ଯନ୍ତ୍ରୀ ଗଣମାଧ୍ୟମ ଆଗରେ ସ୍ପଷ୍ଟ ସୂଚନ ଦେଇନଥିବା ବେଳେ ଅଧିକ୍ଷଣ ଯନ୍ତ୍ରୀଙ୍କ ବିରୋଧରେ ଥାନାରେ ଅଭିଯୋଗ କରାଯାଇଛି।