ଚକାପାଦ ବ୍ଲକରେ ସଂଯୁକ୍ତ ଜନଶୁଣାଣି: ୮୨ ଅଭିଯୋଗ ଗ୍ରହଣ, ବିଭିନ୍ନ ସ୍ଥାନରେ ଜିଲ୍ଲାପାଳଙ୍କ ପରିଦର୍ଶନ
ଚକାପାଦ, ୧୬/୦୩ (ଅଚ୍ୟୁତ ଜାନୀ) : କନ୍ଧମାଳ ଜିଲ୍ଲାର ଚକାପାଦ ବ୍ଲକ କାର୍ଯ୍ୟାଳୟ ପରିସରରେ ସୋମବାର ସଂଯୁକ୍ତ ଜନଶୁଣାଣି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। କାର୍ଯ୍ୟକ୍ରମରେ କନ୍ଧମାଳ ଜିଲ୍ଲାପାଳ ଶ୍ରୀ ବେଦଭୂଷଣ ଉପସ୍ଥିତ ରହି ସାଧାରଣ ଲୋକଙ୍କ ନିଜସ୍ୱ ସମସ୍ୟା ଓ ଅଭିଯୋଗ ଶୁଣିଥିଲେ। ଏହି ଜନଶୁଣାଣିରେ ବାଲିଗୁଡ଼ା ଉପଜିଲ୍ଲାପାଳ ପ୍ରଣିତା ଦାଶ, ମୁଖ୍ୟ ଉନ୍ନୟନ ଅଧିକାରୀ-ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଶମ୍ଭୁନାଥ ନନ୍ଦୀ, ଆଇଟିଡିଏ ବାଲିଗୁଡ଼ାର ପିଏ କୃପାସିନ୍ଧୁ ବେହେରା ,ଏସ୍ ପି ହରିଶ ବିଶି ସହିତ ବିଭିନ୍ନ ଜିଲ୍ଲାସ୍ତରୀୟ ବିଭାଗର ଅଧିକାରୀମାନେ ଯୋଗଦେଇଥିଲେ।ଜନଶୁଣାଣି ସମୟରେ ମୋଟ ୮୨ଟି ଅଭିଯୋଗ ଗ୍ରହଣ କରାଯାଇଥିବାବେଳେ କିଛି ଅଭିଯୋଗର ସ୍ଥଳରେ ହିଁ ସମାଧାନ କରାଯାଇଥିଲା। ଅନ୍ୟାନ୍ୟ ଅଭିଯୋଗଗୁଡ଼ିକୁ ସମ୍ପର୍କିତ ବିଭାଗଙ୍କ ପାଖକୁ ଶୀଘ୍ର ସମାଧାନ ପାଇଁ ପଠାଯାଇଥିବା ସୂଚନା ମିଳିଛି।ଜନଶୁଣାଣି ପରେ ଜିଲ୍ଲାପାଳ ଶ୍ରୀ ବେଦଭୂଷଣ ଚକାପାଦ ବ୍ଲକ ଅନ୍ତର୍ଗତ କୁସୁମେଣ୍ଡି ପଞ୍ଚାୟତର ନୂତନ ପଞ୍ଚାୟତ ଭବନ ପରିଦର୍ଶନ କରିଥିଲେ। ଏହା ସହିତ ଶ୍ରୀ ଶ୍ରୀ ବରଡା ବାଲୁଙ୍କେଶ୍ୱର ପ୍ରି-ଏମ୍ ଶ୍ରୀ ଉଚ୍ଚ ବିଦ୍ୟାଳୟର ଛାତ୍ରୀନିବାସ ଓ ଖେଳ ପଡ଼ିଆ ମଧ୍ୟ ଦେଖିଥିଲେ। ବିଦ୍ୟାଳୟର ବିଭିନ୍ନ ସମସ୍ୟା ସମ୍ପର୍କରେ ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଥିଲେ।ବିଦ୍ୟାଳୟରେ ଛାତ୍ର ସଂଖ୍ୟା ଅଧିକ ଥିବା ସହ ଦୂର ଦୂରାନ୍ତରୁ ଛାତ୍ରଛାତ୍ରୀମାନେ ପଢ଼ିବାକୁ ଆସୁଥିବାରୁ ଏଠାରେ ଏକ ଛାତ୍ରାବାସ ସ୍ଥାପନ କରିବା ପାଇଁ ବିଦ୍ୟାଳୟ ପକ୍ଷରୁ ଅନୁରୋଧ କରାଯାଇଥିଲା। ଏହାସହିତ (ଲା)ବପଲମେଣ୍ଡି ଗ୍ରାମପଞ୍ଚାୟତ ଅନ୍ତର୍ଗତ ସଲାଗୁଡା ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ବିଦ୍ୟାଳୟର ଜମି ସମସ୍ୟା ସମ୍ପର୍କରେ ମଧ୍ୟ ଜିଲ୍ଲାପାଳ ସ୍ଥଳ ପରିଦର୍ଶନ କରିଥିଲେ। ସମସ୍ୟାର ସମାଧାନ ପାଇଁ ସମ୍ପର୍କିତ ତହସିଲଦାରଙ୍କୁ ଆବଶ୍ୟକ ନିର୍ଦ୍ଦେଶ ଦେଇଥିଲେ।ଏହି ସମୟରେ ଚକାପାଦ ବଡିଓ ହୃଦାନନ୍ଦ ସାହୁ ସମେତ ଅଞ୍ଚଳର ସରପଞ୍ଚ, ଜନପ୍ରତିନିଧି ଓ ସମ୍ବନ୍ଧିତ ବିଭାଗର ଅଧିକାରୀ ମାନେ ମଧ୍ୟ ଉପସ୍ଥିତ ଥିଲେ।