ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ ରୋଜଗାରିଆ କାର୍ତ୍ତିକ ଶଯ୍ୟାଶାୟୀ
ଝରିଗାଁ, ୨୫/୦୩ (ନକୁଳ ଭତ୍ରା) : କୁଲି ମଜୁରୀ କରି ଯାହା ରୋଜଗାର ହୁଏ ସେଥିରେ ଚଲିଯାଉଥିଲେ ସ୍ବାମୀ-ସ୍ତ୍ରୀ ଦୁହିଁ ।ରୋଜଗାର କରି ଦାନ ସଂଗ୍ରହ କରୁଥିବା ସ୍ବାମୀ ଏବେ ଶଯ୍ୟାଶାୟୀ ହୋଇପଡିଛି । ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଚଚା ପଞ୍ଚାୟତ ତାରାବେଡ଼ା ଗ୍ରାମ ଟାଙ୍ଗିନିପରାର କାର୍ତ୍ତିକ ଜାନି (୬୧) ବର୍ଷେ ହେବ ଗୋଡ଼ ଭାଙ୍ଗି ଯାଇଥିବାରୁ ଶଯ୍ୟାଶାୟୀ ହୋଇପଡିଛନ୍ତି । କାର୍ତ୍ତିକ ଓ ତାଙ୍କ ସ୍ତ୍ରୀ ଚାନ୍ଦାଇ ଜାନି(୪୬) କୁଲି ମଜୁରୀ କରି ପେଟପାଟଣ କରନ୍ତି । କାର୍ତ୍ତିକ କାଠ ପାଇଁ ଜଙ୍ଗଲକୁ ଯାଇଥିଲା ଓ ଗଛ ଉପରୁ ତଳେ ପଡିଯିବାରୁ ତାଙ୍କ ଡାହାଣ ଗୋଡ଼ରେ ଗଭୀର ଆଘାତ ଲାଗିଥିଲା। ଚିକିତ୍ସା ପାଇଁ ସରକାରୀ ଓ ଘରୋଇ ମେଡ଼ିକାଲକୁ ଯାଇ ଚିକିତ୍ସା କରାଇଥିଲେ । ପାଖରେ ଯାହା ପଇସା ଥିଲା ସବୁ ଚିକିତ୍ସା ବାବଦରେ ସରିଯାଇଛି । କାର୍ତ୍ତିକକୁ ଏବେ ଉଚ୍ଚ ଚିକିତ୍ସା ଦରକାର ପଡ଼ୁଥିବାବେଳେ ତାଙ୍କ ପକ୍ଷେ ଅସମ୍ଭବ ହୋଇପଡିଛି । ଅର୍ଥ ଅଭାବ କାରଣରୁ କାର୍ତ୍ତିକ ୫ରୁ ୭ ମାସ ହେବ ଘରେ ଦେଶୀ ଜରିବୁଟି ଔଷଧ ବ୍ୟବହାର କରୁଥିବା କହିଛନ୍ତି । ହେଲେ ଗୋଡ଼ରେ କିଛି ସୁଧାର ଆସୁନାହିଁ, ସେ ଚଲାବୁଲା ବି କରି ପାରୁନାହାଁନ୍ତି । ଗୋଡ଼ ଭାଙ୍ଗି ଯାଇଥିବାରୁ ଅଚଳ ହୋଇ ଶଯ୍ୟାଶାୟୀ ହୋଇପଡିଛନ୍ତି । ସ୍ୱାମୀର ଏହିଭଳି ଅବସ୍ଥା ଦେଖି ସ୍ତ୍ରୀ ଭାଙ୍ଗି ପଡିଛନ୍ତି । ଘରେ ଏବେ ଗୋଟେ ଓଳି ଚୁଲି ଜଳିଲେ ଗୋଟେ ଓଲି କଷ୍ଟକର ହୋଇପଡ଼ୁଛି ବୋଲି ତାଙ୍କ ସ୍ତ୍ରୀ କହିଛନ୍ତି । କାର୍ତ୍ତିକକୁ ୬୦ବର୍ଷ ହୋଇଯାଇଥିଲେ ମଧ୍ୟ ଭତ୍ତା ଖଣ୍ଡେ ମିଳିନାହିଁ ।ଚିକିତ୍ସା ପାଇଁ ଅର୍ଥ ବାଧକ ସାଜିଥିବା ଏହି କାର୍ତ୍ତିକ ପ୍ରତି ପ୍ରଶାସନ ଦୃଷ୍ଟି ଦେଇ ସରକାରୀ ସହାୟତା ଯୋଗେଇ ଦେବାକୁ ସ୍ତ୍ରୀ ଗୁହାରି କରିବା ସହ ଗ୍ରାମବାସୀ ନିବେଦନ କରିଛନ୍ତି।