ଆଦିବାସୀ ମହାସଂଘ ଓଡ଼ିଶା ଏପ୍ରିଲ ୬ ମହାସମାବେଶ ପାଇଁ କନ୍ଧମାଳରେ ପ୍ରସ୍ତୁତି ବୈଠକ
ଫୁଲବାଣୀ, ୨୨/୦୩ (ଅଚ୍ୟୁତ ଜାନୀ) : ଆସନ୍ତା ଏପ୍ରିଲ ୬ ତାରିଖରେ ଭୁବନେଶ୍ୱରରେ ଆୟୋଜିତ ହେବାକୁ ଥିବା ଆଦିବାସୀ ମହାରାଲି ଓ ମହାସମାବେଶକୁ ନେଇ କନ୍ଧମାଳ ଜିଲ୍ଲାରେ ପ୍ରସ୍ତୁତି ଜୋରଦାର ହୋଇଛି। ରାଜ୍ୟ ଆଦିବାସୀ ମହାସଂଘ, ଓଡ଼ିଶା ପକ୍ଷରୁ ଆଦିବାସୀମାନଙ୍କର ବିଭିନ୍ନ ସମସ୍ୟା ସମାଧାନ ଦାବିରେ ଏହି ମେଗା ସମାବେଶ ଆୟୋଜିତ ହେବାକୁ ଥିବା ବେଳେ, ଏଥିରେ ରାଜ୍ୟର ୩୦ଟି ଜିଲ୍ଲାରୁ ବିଭିନ୍ନ ଆଦିବାସୀ ସମ୍ପ୍ରଦାୟର ବ୍ୟାପକ ଯୋଗଦାନ ହେବ। ଏହାକୁ ସଫଳ କରିବା ପାଇଁ ଆଦିବାସୀ ମହାସଂଘ କନ୍ଧମାଳ ଶାଖା ପକ୍ଷରୁ ଆଜି ଫୁଲବାଣୀ ସ୍ଥିତ କୁଇ ସମାଜ ସେବା ସମିତି କାର୍ଯ୍ୟାଳୟରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ସଂଘର ସଭାପତି ଶ୍ରୀ ମନୋଜ କୁମାର ପ୍ରଧାନଙ୍କ ସଭାପତିତ୍ୱରେ ହୋଇଥିବା ଏହି ବୈଠକରେ ଆଗାମୀ ସମାବେଶରେ କନ୍ଧମାଳରୁ ବିପୁଳ ସଂଖ୍ୟକ ଲୋକଙ୍କ ଯୋଗଦାନ ସୁନିଶ୍ଚିତ କରିବାକୁ ଆଲୋଚନା ହୋଇଥିଲା।ବୈଠକରେ ସଂଘର ସମ୍ପାଦକ ଶ୍ରୀ ଜିତେନ୍ଦ୍ର କୁମାର ନାଏକ, କୋଷାଧ୍ୟକ୍ଷ ଜୟ ମଙ୍ଗଳ ପ୍ରଧାନ, ଉପସଭାପତି ପ୍ରେମାନନ୍ଦ ମାଝୀ,କୁଇ ସମାଜ ସେବା ସମିତିର ସାଧାରଣ ସମ୍ପାଦକ ଶ୍ରୀ ଅବନୀ କୁମାର କହଁର, ନାରୀ ନେତ୍ରୀ ସୌଦାମିନୀ କହଁର ଓ ସୁନିତୀ କହଁର , କୁଇ ସମାଜ ଯୁବ ପରିଷଦ ସୋସିଆଲ କୋଡିନେଟର ସହ ଆଦିବାସୀ ସରକାରୀ କର୍ମଚାରୀ କଲ୍ୟାଣ ସଂଘ କନ୍ଧମାଳ ସାଧାରଣ ସମ୍ପାଦକ ଶ୍ରୀ ଗଙ୍ଗାଧର କହଁର, ଅବସରପ୍ରାପ୍ତ ଶିକ୍ଷା ବିଭାଗ ଶ୍ରୀ କିଶୋର ଘଟାଲ, କୁଇ ସମାଜ ସେବା ସମିତି ପୂର୍ବତନ ସଭାପତି ଗୋବିନ୍ଦ ଚନ୍ଦ୍ର ଘଟାଲ, ଫିରିଙ୍ଗିଆ ଶାଖା କୁଇ ସମାଜ ସଭାପତି ମୁକୁନ୍ଦ କହଁର,କୋଟଗଡ ବ୍ଲକ କୁଇକୁଳ ସଂଗଠକ ମାଧବ ପ୍ରଧାନ ପ୍ରମୁଖ ଯୋଗଦେଇଥିଲେ। ଏଥିସହ କନ୍ଧ ଗୌଡ ସମାଜ,ଗଣ୍ଡ ସମାଜ,କନ୍ଧ କୁମ୍ଭାର ସମାଜ ସମେତ ବିଭିନ୍ନ ଆଦିବାସୀ ସମାଜର ନେତୃମଣ୍ଡଳୀ, ବ୍ଲକ, ଶାଖା ଓ ଉପଶାଖା କର୍ମକର୍ତ୍ତାମାନେ ଓ ବୁଦ୍ଧିଜୀବୀମାନଙ୍କର ସକ୍ରିୟ ସଦସ୍ୟ ସଦସ୍ୟା ମାନଙ୍କ ଉପସ୍ଥିତି ଦେଖାଯାଇଥିଲା ।ସମାବେଶ ମାଧ୍ୟମରେ ଆଦିବାସୀମାନଙ୍କର ଅଧିକାର, ଜମି, ଶିକ୍ଷା, ଚାକିରି ଓ ସାମାଜିକ ସୁରକ୍ଷା ସମ୍ପର୍କିତ ବିଭିନ୍ନ ଦାବି ରାଜ୍ୟ ସରକାରଙ୍କ ନିକଟରେ ଉଠାଯିବ ବୋଲି ସଂଘ ପକ୍ଷରୁ ସୂଚନା ମିଳିଛି।