ରାୟଗଡ଼ ପୌରପରିଷଦର ସ୍ୱଚ୍ଛତା ପରିଚାଳନା ଅନୁଧ୍ୟାନ କଲେ ଗୁଡାରି ବିଜ୍ଞାପିତ ଅଞ୍ଚଳ ପରିଷଦର ପ୍ରତିନିଧି ଦଳ
ରାୟଗଡ଼, ୧୦/୦୩ ( ଭି. ଗୌରି ଶଙ୍କର ରାଓ ) : ଆଜି ଗୁଡାରି ବିଜ୍ଞାପିତ ଅଞ୍ଚଳ ପରିଷଦର ଏକ ପ୍ରତିନିଧି ଦଳ ରାୟଗଡ଼ ପୌରପରିଷଦକୁ ଏକ ଜ୍ଞାନ ଆହରଣ ପରିଦର୍ଶନରେ ଆସି ପୌରପରିଷଦର ବିଭିନ୍ନ ସ୍ୱଚ୍ଛତା ପ୍ରକଳ୍ପ ଅନୁଧ୍ୟାନ କରିଛନ୍ତି। ଏହି ପ୍ରତିନିଧି ଦଳରେ ଗୁଡାରି ବିଜ୍ଞାପିତ ଅଞ୍ଚଳ ପରିଷଦର ନିର୍ବାହୀ ଅଧିକାରୀଙ୍କ ସମେତ ଉପାଧକ୍ଷ, ୱାର୍ଡ କାଉନସିଲର, ସାନିଟାରୀ ଇନ୍ସପେକ୍ଟର, ଜୁନିୟର ସାନିଟେସନ ଏକ୍ସପର୍ଟ, ସ୍ୱଚ୍ଛ ସାଥୀ, ସ୍ୱଚ୍ଛ ସୁପରଭାଇଜର ଓ ସଫେଇ କର୍ମଚାରୀମାନେ ସାମିଲ ଥିଲେ। ରାୟଗଡ଼ ପୌର କାର୍ଯ୍ୟାଳୟରେ ପହଞ୍ଚିବା ପରେ ସମସ୍ତ ଅତିଥିଙ୍କୁ ପରିଷଦର ଅଧକ୍ଷ୍ୟ, ଉପାଧକ୍ଷା, ୱାର୍ଡ କାଉନସିଲର ଏବଂ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଦ୍ଵାରା ଭବ୍ୟ ସ୍ୱାଗତ କରାଯାଇଥିଲା। ଏହାପରେ ପୌରପରିଷଦର ସମ୍ମିଳନୀ କକ୍ଷରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା, ଯେଉଁଠାରେ ସହରର ବର୍ଜ୍ୟବସ୍ତୁ ପରିଚାଳନା ଓ ସ୍ୱଚ୍ଛତା ବ୍ୟବସ୍ଥା ସମ୍ପର୍କରେ ମତ ବିନିମୟ କରାଯାଇଥିଲା। ଦଳ ପ୍ରଥମେ ସହରର ଆହାର କେନ୍ଦ୍ର ଓ ପୁନଃ ବ୍ୟବହାର କେନ୍ଦ୍ର ପରିଦର୍ଶନ କରି ଏହାର କାର୍ଯ୍ୟକାରିତା ବିଷୟରେ ବୁଝିଥିଲେ। ୱାର୍ଡ ନଂ ୩ ଠାରେ ଅବସ୍ଥିତ ସଂପଦ କେନ୍ଦ୍ର ଏବଂ ବର୍ଜ୍ୟବସ୍ତୁ ପୃଥକୀକରଣ କେନ୍ଦ୍ର ପରିଦର୍ଶନ କରି ଓଦା ଓ ଶୁଖିଲା ବର୍ଜ୍ୟବସ୍ତୁର ପୃଥକୀକରଣ ତଥା ଖତ ପ୍ରସ୍ତୁତି ପ୍ରଣାଳୀ ଅନୁଧ୍ୟାନ କରିଥିଲେ। ଶେଷରେ ସମସ୍ତ କର୍ମକର୍ତ୍ତା ଅଣ୍ଟାରିଗୁଡା ସ୍ଥିତ ମଳ ପଙ୍କ ପରିଚାଳନା ପ୍ଲାଣ୍ଟ ପରିଦର୍ଶନ କରିଥିଲେ। ସେଠାରେ ପ୍ଲାଣ୍ଟର କାର୍ଯ୍ୟଦକ୍ଷତା ଓ ବୈଷୟିକ ଜ୍ଞାନକୌଶଳ ସମ୍ପର୍କରେ ତାଲିମ ଗ୍ରହଣ କରିଥିଲେ।ରାୟଗଡ଼ ପୌରପରିଷଦର ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କ ସହଯୋଗ ଏବଂ ସୁସମନ୍ୱୟରେ ଗୁଡାରି ବିଜ୍ଞାପିତ ଅଞ୍ଚଳ ପରିଷଦର ପ୍ରତିନିଧି ଦଳ ଅତ୍ୟନ୍ତ ସନ୍ତୋଷ ପ୍ରକାଶ କରିଛନ୍ତି। ଏହି ପରିଦର୍ଶନ ଦ୍ୱାରା ସେମାନେ ଅନେକ ନୂତନ ଶିକ୍ଷା ଲାଭ କରିଥିବା ବେଳେ ଏହାକୁ ନିଜ ଅଞ୍ଚଳରେ କାର୍ଯ୍ୟକାରୀ କରିବାକୁ ଲକ୍ଷ୍ୟ ରଖିଛନ୍ତି। ଏହି ଅବସରରେ ଗୁଡାରି ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ରାୟଗଡ଼ା ପୌର କର୍ତ୍ତୃପକ୍ଷଙ୍କୁ ଧନ୍ୟବାଦ ଜ୍ଞାପନ କରାଯାଇଛି।