ଜିଲ୍ଲାର ଶ୍ରେଷ୍ଠ ସମାଜସେବୀ ଭାବେ ସମ୍ମାନିତ ହେଲେ ଆମନ ଚନ୍ଦ୍ର ନାୟକ ।
ଫୁଲବାଣୀ: ୦୮/୦୩ ( ବାଳକୃଷ୍ଣ କହଁର ) : କନ୍ଧମାଳ ଜିଲ୍ଲାର ଯୁବ ସମାଜସେବୀ ଅମନ ଚନ୍ଦ୍ର ନାୟକଙ୍କୁ ତାଙ୍କ ସମାଜସେବା କାର୍ଯ୍ୟ ପାଇଁ “ତୁଳସା ଦେବୀ ସ୍ମୃତି ସମ୍ମାନ” ପ୍ରଦାନ କରାଯାଇଛି। ଫୁଲବାଣୀ ରେ ଆୟୋଜିତ ଷୋଡ଼ଶ ବନଜ୍ୟୋସ୍ନା ସାହିତ୍ୟ ସଂସଦ କାର୍ଯ୍ୟକ୍ରମ ରେ କନ୍ଧମାଳ ଅତିରିକ୍ତ ଜିଲ୍ଲାପାଳ କୁଶଳ ଚନ୍ଦ୍ର ନାୟକ ମୁଖ୍ୟ ଅତିଥି ଭାବେ ଉପସ୍ଥିତ ରହି ତାଙ୍କୁ ଏହି ସମ୍ମାନ ପ୍ରଦାନ କରିଥିଲେ।ଅମନ ଚନ୍ଦ୍ର ନାୟକ କନ୍ଧମାଳ ଜିଲ୍ଲାର ଘୁ.ଉଦୟଗିରି ସହର ନିକଟସ୍ଥ କଳିଙ୍ଗା ଗ୍ରାମ ନିବାସୀ। ଗ୍ରାମରେ ପ୍ରାଥମିକ ଶିକ୍ଷା ଅର୍ଜନ ପରେ ସେ ଫୁଲବାଣୀରେ ଡିପ୍ଲୋମା ଇଞ୍ଜିନିୟରିଂ ପରେ ୨୦୧୫ ମସିହାରେ ଭୁବନେଶ୍ୱରରେ ବି.ଟେକ୍ ଏବଂ ୨୦୧୮ ମସିହାରେ ବ୍ରହ୍ମପୁରରେ ଏମ୍.ବି.ଏ ଶିକ୍ଷା ସମାପ୍ତ କରିଥିଲେ। ଉଚ୍ଚଶିକ୍ଷା ସମାପ୍ତ କରିବା ପରେ ଚାକିରି ପଛରେ ନ ଧାଇ ସେ ସମାଜସେବା ପ୍ରତି ନିଜକୁ ସମର୍ପିତ କରିଛନ୍ତି। ସେ ଅଞ୍ଚଳର ବିକାଶ, ପରିବେଶ ସୁରକ୍ଷା, ବୃକ୍ଷରୋପଣ, ଜଳବାୟୁ ପରିବର୍ତ୍ତନ ସଚେତନତା, ପଶୁପକ୍ଷୀ ସୁରକ୍ଷା, ଜଙ୍ଗଲ ଅଗ୍ନିକାଣ୍ଡ ପ୍ରତିରୋଧ, ବାଲ୍ୟ ବିବାହ ରୋକିବା, ପ୍ଲାଷ୍ଟିକ ବ୍ୟବହାର ବିରୋଧୀ ଅଭିଯାନ ଏବଂ ରକ୍ତଦାନ ଶିବିର ଭଳି ବିଭିନ୍ନ ସଚେତନତାମୂଳକ କାର୍ଯ୍ୟକ୍ରମ କରୁଛନ୍ତି। ସେ ଗ୍ରାମେ ଗ୍ରାମେ ବୁଲି ଲୋକମାନଙ୍କ ସମସ୍ୟା ବୁଝି ରାସ୍ତାଘାଟ, ବିଶୁଦ୍ଧ ପାନୀୟଜଳ, ବିଦ୍ୟୁତ୍, ଭତ୍ତା ଓ ଅନ୍ୟାନ୍ୟ ସମସ୍ୟା ସମାଧାନ ପାଇଁ ସରକାର ଓ ପ୍ରଶାସନଙ୍କୁ ପତ୍ର ମାଧ୍ୟମରେ ଅବଗତ କରୁଛନ୍ତି। ସୋସିଆଲ ମିଡିଆକୁ ସମାଜସେବାର ଏକ ମାଧ୍ୟମ କରି ସେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ପ୍ରାୟ ୬୫୦୦ ରୁ ଅଧିକ ଟ୍ୱିଟ୍, ୯୦୦ ରୁ ଅଧିକ ଅନଲାଇନ୍ ଅଭିଯୋଗ ଏବଂ ୩୦୦ ରୁ ଅଧିକ ଇ-ମେଲ୍ ପଠାଇ ସାରିଛନ୍ତି। ତାଙ୍କ ଟ୍ୱିଟ୍ ମାଧ୍ୟମରେ ଅନେକ ଗରିବ ବୃଦ୍ଧ, ଭିନ୍ନକ୍ଷମ ଓ ଅସହାୟ ଲୋକଙ୍କ ସମସ୍ୟା ସମାଧାନ ହେଉଥିବାରୁ ସେ “ଟ୍ୱିଟର ମ୍ୟାନ୍” ଭାବେ ଅଞ୍ଚଳରେ ପରିଚିତ ହୋଇଛନ୍ତି। ତାଙ୍କ ଏହି ସେବାମୂଳକ କାର୍ଯ୍ୟକୁ ଦେଖି ଜିଲ୍ଲାବାସୀ ପ୍ରଶଂସା କରୁଥିବା ବେଳେ ବନଜ୍ୟୋସ୍ନା ସାହିତ୍ୟ ସଂସଦ ପକ୍ଷରୁ ଶନିବାର ୭ ତାରିଖ ଦିନ ଜିଲ୍ଲାର ଶ୍ରେଷ୍ଠ ସମାଜସେବୀ ଭାବେ ସମ୍ମାନିତ କରାଯାଇଛି। ସେ ନିଜ ପ୍ରତିକ୍ରିୟାରେ ଏହି ସଫଳତା ପାଇଁ ସହକର୍ମୀ ତଥା ଗୁରୁ ମାନୁଥିବା ସମାଜସେବି ସାମ୍ୱାଦିକ ସମୀର କୁମାର ପାଢ଼ୀ,ସହଯୋଗୀ ସାମ୍ବାଦିକ ସାମନ୍ତ ଶେଖର ନାୟକ,ଚିନ୍ମୟ କୁମାର୍ ସେଠୀ, ସାମ୍ବାଦିକ ବଟକୃଷ୍ଣ ଦାସ , ସମାଜସେବୀ ହୃଷୀକେଶ ପ୍ରଧାନ,ସସ୍ମିତା ମଲ୍ଲିକ,ସଞ୍ଜୀବ ଦିଗାଲ ଙ୍କ ସମେତ ନିଜ ପରିବାର ତଥା ଆଞ୍ଚଳ ବାସି ଙ୍କୁ କୃତଜ୍ଞତା ଜଣାଇଛନ୍ତି ।
କନ୍ଧମାଳ ରୁ ଜିଲ୍ଲା ପ୍ରତିନିଧି ବାଳକୃଷ୍ଣ କହଁର ଙ୍କ ରିପୋର୍ଟ