Hot Posts

6/recent/ticker-posts

ସମ୍ବାଦ ସାହିତ୍ୟ ଘର ରାୟଗଡ଼ ବାର୍ଷିକ ଉତ୍ସବ।

ରାୟଗଡ଼, ୨୩/୦୨ ( ଭି. ଗୌରି ଶଙ୍କର ରାଓ ) : ପ୍ରକୃତି ଯେତେବେଳେ ପର୍ଯ୍ୟନ୍ତ ଥିବ ସେତେଦିନ ପର୍ଯ୍ୟନ୍ତ ସାହିତ୍ୟ ବଂଚିଥିବ। ସମାଜରୁ ମାନବିକତା ଲିଭି ଗଲେ ସାହିତ୍ୟ ସୃଷ୍ଟି ହୁଏ। ସମସ୍ତ ମଣିଷର ସକଳ ଦୁଃଖକୁ ପିଇଦିଏ ଯିଏ ସେ ହେଉଛି ଲେଖକ। ଲେଖକ ଭାବଗର୍ଭକ ହେବା ପୂର୍ବରୁ ମାନବବାଦୀ ହେବା ଆବଶ୍ୟକ। ସମ୍ବାଦ ସାହିତ୍ୟ ଘର ରାୟଗଡ଼ର ବାର୍ଷିକ ଉତ୍ସବ ଅବସରରେ ବିଶିଷ୍ଟ ଵକ୍ତାମାନେ ମତବ୍ୟକ୍ତ କରିଛନ୍ତି। ରାୟଗଡ଼ର ସଭାପତି ସୁଶାନ୍ତ କୁମାର ନାୟକଙ୍କ ସଭାପତିତ୍ୱରେ ସ୍ଥାନୀୟ ୟୁଜିଏମ ଆଇଟି ସମ୍ମିଳନୀ କକ୍ଷରେ ଆୟୋଜିତ ସମାରୋହରେ ବିଶିଷ୍ଟ ଗବେଷକ ଓ ନାଟ୍ୟକର ଶ୍ରୀରଙ୍ଗ ନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ବିଶେଷ ଅତିଥି ଭାବେ ଶିକ୍ଷାବିତ୍ ଡ଼ ଦୁଷ୍ମନ୍ତ କୁମାର ମହାନ୍ତି, ମୁଖ୍ୟଵକ୍ତା ଭାବେ ବିଶିଷ୍ଟ ସମାଲୋଚକ ତଥା ପ୍ରାବନ୍ଧିକ ଡ଼ ନାରାୟଣ ପଣ୍ଡା ଯୋଗ ଦେଇଥିଲେ। ସାହିତ୍ୟ ସବୁବେଳେ ମଣିଷପଣିଆର କଥା କହେ ଓ ହୃଦୟ ଥିବା ମଣିଷଙ୍କୁ ଖୋଜିବାର ସାହିତ୍ୟ ହିଁ ସହାୟକ ହୋଇଥାଏ। ରାୟଗଡ଼ ସମ୍ବାଦ ସାହିତ୍ୟ ଘରର ସଭାପତି ଶ୍ରୀ ନାୟକ ସ୍ଵାଗତ ଅଭିଭାଷଣ ପ୍ରଦାନ କରିଥିବାବେଳେ, ସମ୍ପାଦକ ଆଶୁତୋଷ ପାତ୍ର ସମ୍ପାଦକୀୟ ବିବରଣୀ ପାଠ କରିଥିଲେ। ଏହି ଅବସରରେ ସାହିତ୍ୟ ପାଇଁ ଜୀବନବ୍ୟାପୀ ଅବଦାନ ଲାଗି ଗବେଷକ ଶ୍ରୀରଙ୍ଗ ନାୟକଙ୍କୁ ସ୍ମାରକୀ, ଉପଢୌକନ ପ୍ରଦାନପୂର୍ବକ ସମ୍ବାଦ ସାହିତ୍ୟ ଘର ସମ୍ମାନ ପ୍ରଦାନ କରାଯାଇଥିଲା। ମୁଖ୍ୟଵକ୍ତା ଡ଼ ପଣ୍ଡାଙ୍କୁ ସମ୍ବାଦ ସାହିତ୍ୟ ଘର, ରାୟଗଡ଼ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା। ସଂସ୍କୃତିର ପ୍ରଚାର ପ୍ରସାର ଦିଗରେ ଅବଦାନ ଲାଗି କାଶୀପୁର ସମ୍ବାଦ ସାହିତ୍ୟ ଘର, ମୁନିଗୁଡା ଓ ଗୁଣୁପୁର ସମ୍ବାଦ ସାହିତ୍ୟ ଘରକୁ ସ୍ମାରକୀ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା। କାର୍ଯ୍ୟକ୍ରମକୁ ସମ୍ବାଦ ସାହିତ୍ୟ ଘର ସମ୍ପାଦକ ତଥା ବିଶିଷ୍ଟ ସ୍ତମ୍ଭକାର ଡ଼ ଦ୍ବିତୀ ଚନ୍ଦ୍ର ସାହୁ ପରିଚାଳନା କରିଥିଲେ। ଉପସଭାପତି ନୀଳମଣି ପାଟ୍ଟଯୋଶୀ ଧନ୍ୟବାଦ ଅର୍ପଣ କରିଥିଲେ।