ପାଠଶାଳାରେ ପାଠ ନୁହେଁ, ପାକଶାଳାର କାମ! କଲ୍ୟାଣସିଂହପୁରର ସରକାରୀ ବିଦ୍ୟାଳୟରୁ ଆସିଲା ଚିନ୍ତାଜନକ ଚିତ୍ର
କଲ୍ୟାଣସିଂହପୁର, ୦୪/୦୨ ( ଭି. ଗୌରି ଶଙ୍କର ରାଓ ) : ସରକାରୀ ବିଦ୍ୟାଳୟର ମୂଳ ଉଦ୍ଦେଶ୍ୟ—ଶିଶୁମାନଙ୍କ ହାତରେ ବହି ଓ କଲମ, ମନରେ ଜ୍ଞାନର ଆଲୋକ। କିନ୍ତୁ ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ଧାମୁଣିପଙ୍ଗା ସରକାରୀ ପ୍ରାଥମିକ ବିଦ୍ୟାଳୟରୁ ସାମ୍ନାକୁ ଆସିଥିବା ଦୃଶ୍ୟ ସେହି ଧାରଣାକୁ ପ୍ରଶ୍ନବିଦ୍ଧ କରିଦେଇଛି। ସାମ୍ନାକୁ ଆସିଥିବା ଭିଡିଓରେ ସ୍ପଷ୍ଟ ଦେଖାଯାଉଛି—ନୀଳ ୟୁନିଫର୍ମ ପିନ୍ଧିଥିବା କୁନି କୁନି ଛାତ୍ରଛାତ୍ରୀମାନଙ୍କ ହାତରେ ବହି-କଲମ ନୁହେଁ, ବରଂ ମଧ୍ୟାହ୍ନ ଭୋଜନର ହାଣ୍ଡି। ବିଦ୍ୟାଳୟ ସମୟରେ ପାଠ ପଢ଼ିବା ପରିବର୍ତ୍ତେ ଶିଶୁମାନଙ୍କୁ ରାନ୍ଧଣା ଓ ଭୋଜନ ବ୍ୟବସ୍ଥାର କାମରେ ଲଗାଯାଇଥିବା ଅଭିଯୋଗ ଉଠିଛି। ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ବିଦ୍ୟାଳୟରେ ନିୟମିତ ଭାବେ ପାଠ ପଢ଼ା ହେଉନଥିବା ବେଳେ ଛାତ୍ରଛାତ୍ରୀମାନେ ମଧ୍ୟାହ୍ନ ଭୋଜନ ସହ ଅନ୍ୟାନ୍ୟ କାମରେ ବ୍ୟସ୍ତ ରହୁଛନ୍ତି। ଏହା କେବଳ ଶିକ୍ଷା ବ୍ୟବସ୍ଥାର ଅବହେଳା ନୁହେଁ, ବରଂ ଶିଶୁ ଶ୍ରମର ଏକ ଚିନ୍ତାଜନକ ଚିତ୍ର ବୋଲି ମଧ୍ୟ ପ୍ରଶ୍ନ ଉଠୁଛି। ଶିଶୁମାନଙ୍କୁ ବିଦ୍ୟାଳୟମୁଖୀ କରିବା ପାଇଁ ସରକାର ‘ଶିକ୍ଷା ଅଧିକାର ଆଇନ’ ଓ ମଧ୍ୟାହ୍ନ ଭୋଜନ ଯୋଜନା ଭଳି ମହତ୍ତ୍ୱାକାଙ୍କ୍ଷୀ ପଦକ୍ଷେପ ନେଇଛନ୍ତି। କିନ୍ତୁ ଧାମୁଣିପଙ୍ଗା ବିଦ୍ୟାଳୟର ଏହି ଦୃଶ୍ୟ ସେହି ଯୋଜନାର ଉଦ୍ଦେଶ୍ୟକୁ ପୂରାପୂରି ବିପରୀତ ଦିଗକୁ ନେଇଯାଉଥିବା ଭାବ ପ୍ରକାଶ କରୁଛି।ଏବେ ସବୁଠୁ ବଡ଼ ପ୍ରଶ୍ନ—ପ୍ରଶାସନ କେବେ ଏହି ଘଟଣାକୁ ଗୁରୁତ୍ୱ ଦେଇ କାର୍ଯ୍ୟାନୁଷ୍ଠାନ ନେବେ? ଏବଂ ସରକାରୀ ବିଦ୍ୟାଳୟରେ ଶିଶୁମାନଙ୍କ ପାଇଁ ଗୁଣମାନ ସମ୍ପନ୍ନ ଶିକ୍ଷା କେବେ ସୁନିଶ୍ଚିତ ହେବ?
ରିପୋର୍ଟ: ବଲ୍ଲା ଗୌରୀ ଶଙ୍କର ରାଓ