ରାୟଗଡ଼ା ଜିଲ୍ଲାରେ ଇମ୍ଫା କମ୍ପାନୀ ବିରୋଧରେ ଜମିହରା ଆଦିବାସୀ ଜନଜାତି ଙ୍କ ଅବହେଳା ଅଭିଯୋଗ
ରାୟଗଡ଼ା, ୨୪/୦୨ ( ଭି. ଗୌରି ଶଙ୍କର ରାଓ ) : ରାୟଗଡ଼ା ଜିଲ୍ଲା କୋଲନରା ବ୍ଲକ ଥେରୁବାଲି ପଞ୍ଚାୟତ ଅଧୀନରେ ଥିବା ବୁର୍ଜିଗୁଡ଼ା ସହ ୮ଟି ଗାଁର ଜମିହରା ଆଦିବାସୀ ଜନଜାତି ଲୋକମାନେ Indian Metals and Ferro Alloys Limited (ଇମ୍ଫା) କମ୍ପାନୀ ବିରୋଧରେ ଘୋର ଅବହେଳା ଅଭିଯୋଗ ଆଣିଛନ୍ତି। ଗ୍ରାମବାସୀଙ୍କ ଅଭିଯୋଗ ଅନୁସାରେ, କମ୍ପାନୀ ସ୍ଥାପନ ସମୟରେ ଜମି ହରାଇଥିବା ପରିବାରମାନଙ୍କୁ ଚାକିରି, ପାନୀୟ ଜଳ, ରାସ୍ତା, ଅଙ୍ଗନବାଡ଼ି ଓ ଅନ୍ୟାନ୍ୟ ମୌଳିକ ସୁବିଧା ଯୋଗାଇବାକୁ ପ୍ରତିଶ୍ରୁତି ଦେଇଥିଲା। କିନ୍ତୁ ବର୍ଷ କଟିଗଲେ ମଧ୍ୟ ସେହି ପ୍ରତିଶ୍ରୁତି ପୂରଣ ହୋଇନାହିଁ। ସ୍ଥାନୀୟ ଯୁବକମାନେ ଯୋଗ୍ୟ ଥିଲେ ମଧ୍ୟ ସ୍ଥାୟୀ ଚାକିରି ପାଇ ପାରୁନାହାନ୍ତି, ଫଳରେ ପରିବାର ଚଳାଇବା ପାଇଁ ଆନ୍ଧ୍ର ପ୍ରଦେଶର ବିଶାଖାପଟ୍ଟଣମ ଓ କେରଳକୁ ଦାଦନ ଶ୍ରମିକ ଭାବେ ପ୍ରବାସ କରିବାକୁ ବାଧ୍ୟ ହେଉଛନ୍ତି। ଗାଁରେ ଅଙ୍ଗନବାଡ଼ି ଘର ନଥିବା ସହିତ ପାନୀୟ ଜଳ ଓ ଭଲ ରାସ୍ତା ସୁବିଧା ମଧ୍ୟ ନାହିଁ। କମ୍ପାନୀ ପକ୍ଷରୁ ପାଇପ ଯୋଗେ ପାଣି ଯୋଗାଣ ପ୍ରତିଶ୍ରୁତି ମଧ୍ୟ ପୂରଣ ହୋଇନାହିଁ। ଏହାସହ ଗ୍ରାମବାସୀଙ୍କ ଅଭିଯୋଗ ଯେ, ପ୍ରାୟ ୩୫ ଏକର ଜମି ଜୋରଜବରଦସ୍ତ ନିଆଯାଇଥିବା ସତ୍ତ୍ୱେ ପଟ୍ଟା ମଧ୍ୟ ଦିଆଯାଇନାହିଁ। ଏନେଇ ଗ୍ରାମବାସୀମାନେ କମ୍ପାନୀ ଅଧିକାରୀ ଓ ଜିଲ୍ଲା ପ୍ରଶାସନଙ୍କୁ ଅଭିଯୋଗ କରିଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି ସମାଧାନ ହୋଇନଥିବାରୁ ସ୍ଥାନୀୟ ଲୋକମାନଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଦେଖିବାକୁ ମିଳିଛି.