ଉପଜିଲ୍ଲାପାଳ ରାୟଗଡ଼ାଙ୍କ ନେତୃତ୍ୱରେ ଭାକୁରୁଗୁଡ଼ା ଇଟାଭାଟିରେ ଚଢ଼ାଉ, ୧୧ ଶିଶୁ ଶ୍ରମିକ ଉଦ୍ଧାର ଭାଟି ମାଲିକ ମାନଙ୍କ ମନ ରେ କୋକୁଆ ଭୟ
ରାୟଗଡ଼ା, ୧୦/୦୨ ( ଭି. ଗୌରି ଶଙ୍କର ରାଓ ) : ଶିଶୁ ଓ କିଶୋର ଶ୍ରମିକ ନିଯୁକ୍ତି ଅଭିଯୋଗ ଆଧାରରେ ଆଜି ଚାନ୍ଦିଲି ଥାନା ଅଧୀନ ଜେ.କେ.ପୁର ଅଞ୍ଚଳର ଭାକୁରୁଗୁଡ଼ାସ୍ଥିତ SSB ଇଟାଭାଟିରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଚଢ଼ାଉ କରାଯାଇଛି। ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣିଙ୍କ ନିର୍ଦ୍ଦେଶକ୍ରମେ ଉପଜିଲ୍ଲାପାଳ ରମେଶ କୁମାର ଜେନାଙ୍କ ନେତୃତ୍ୱରେ ସହାୟକ ଶ୍ରମ ଅଧିକାରୀ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଓ ଖଣି ବିଭାଗର ଏକ ଯୁକ୍ତ ଯାଞ୍ଚ ଦଳ ଚଢ଼ାଉ କରିଥିଲେ। ଯାଞ୍ଚ ସମୟରେ ଇଟାଭାଟି ପ୍ରାଙ୍ଗଣରେ ମୋଟ ୩୯ ଜଣ ଶ୍ରମିକ ବସବାସ କରୁଥିବା ଜଣାପଡ଼ିଥିଲା। ସେମାନଙ୍କ ମଧ୍ୟରୁ ୧୩ ଜଣ ଶିଶୁ ଥିବାବେଳେ ୧୧ ଜଣ ଶିଶୁ ଓ କିଶୋର ଶ୍ରମିକଙ୍କୁ କାମରେ ନିଯୁକ୍ତ କରାଯାଇଥିବା ଚିହ୍ନଟ ହୋଇଥିଲା। ତଦନ୍ତରେ ଇଟାଭାଟି ମାଲିକ ଶ୍ରୀ ଜି.ଏମ. କିନ୍ଦିଆ ଓ ଶ୍ରୀ ଟି. ଏଶ୍ୱର ରାଓ ଶ୍ରମିକମାନଙ୍କୁ ଅଗ୍ରିମ ଧନ ଦେଇ ବାଧ୍ୟ କରି କାମ କରାଉଥିବା ଅଭିଯୋଗ ଆସିଛି। ଶ୍ରମିକମାନେ ଦୀର୍ଘ ସମୟ କାମ, ଅସ୍ୱଚ୍ଛ ପରିବେଶ ଓ ଚିକିତ୍ସା ସୁବିଧା ଅଭାବ ନେଇ ଅଭିଯୋଗ କରିଛନ୍ତି। ଏ ସମ୍ପର୍କରେ ସହାୟକ ଶ୍ରମ ଅଧିକାରୀଙ୍କ ଦ୍ୱାରା ଚାନ୍ଦିଲି ଥାନାରେ ଅଭିଯୋଗ ଦାଖଲ ହୋଇଥିବାବେଳେ ପୋଲିସ ତଦନ୍ତ ଜାରି ରହିଛି।