Hot Posts

6/recent/ticker-posts

ରାୟଗଡାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା, ଜଣେ ମୃତ, ୨ ଜଣ ଆହତ

ରାୟଗଡ଼ା, ୧୮/୦୨ ( ଭି. ଗୌରି ଶଙ୍କର ରାଓ ) : ରାୟଗଡ଼ା ଜିଲ୍ଲାରେ ପ୍ରତିମାସ ସଡକ ଦୁର୍ଘଟଣା ବଢ଼ୁଥିବା ବେଳେ ଏହାର ମୂଳ କାରଣ ହେଉଛି ବେପରୁଆ ଗାଡ଼ି ଚାଳନା, ରାସ୍ତାର ଦୟନୀୟ ଅବସ୍ଥା, ଜାତୀୟ ରାଜପଥ ପାର୍ଶ୍ୱରେ ବେଆଇନ ଗାଡ଼ି ପାର୍କିଂ ଓ ଟ୍ରାଫିକ ସମସ୍ୟା। ଏହି ସବୁ କାରଣରୁ ପ୍ରତିନିୟତ ନିରିହ ଲୋକଙ୍କ ଜୀବନ ଚାଲିଯାଉଛି। ଆଜି ପୁଣି ଏଭଳି ଏକ ଦୁଃଖଦ ଘଟଣାରେ ଜଣେ ନାବାଳକଙ୍କ ଜୀବନ ନଷ୍ଟ ହୋଇଛି। ଘଟଣାଟି ରାୟଗଡା ଜିଲ୍ଲାର ୩୨୬ ନମ୍ବର ଜାତୀୟ ରାଜପଥରେ ଘଟିଛି। ରାୟଗଡା ସଦର ବ୍ଲକ କୋତାପେଟା ପଞ୍ଚାୟତ ଅନ୍ତର୍ଗତ ଜ୍ୟୋତି ଷ୍ଟିଲ ସମ୍ମୁଖରେ ଦୁଇଟି ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ଘଟିଥିଲା। ଧକ୍କାର ଜୋରରେ ଜଣେ ନାବାଳକ ରାସ୍ତା ଉପରେ ପଡିଯାଇଥିବା ବେଳେ ପଛରୁ ଆସୁଥିବା ଏକ ଟ୍ରାକ୍ଟର ତାଙ୍କୁ ଚକ ତଳେ ଦେଇଥିଲା। ଫଳରେ ସେ ଘଟଣାସ୍ଥଳରେ ପ୍ରାଣ ହରାଇଥିଲେ। ମୃତକ ହେଲେ କାଶୀପୁର ବ୍ଲକ ମାଣ୍ଡିବିଶି ଗ୍ରାମର କୁମାର ବାଘଙ୍କ ପୁଅ ରାଜେଶ ବାଘ (୧୫)। ସେ ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ଦେବାକୁ ଥିଲେ। ଘଟଣାରେ ଅନ୍ୟ ଦୁଇ ଜଣ ଯୁବକ ଗୁରୁତର ଆହତ ହୋଇଥିବା ବେଳେ ସ୍ଥାନୀୟ ଲୋକମାନେ ତୁରନ୍ତ ପୋଲିସକୁ ଖବର ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିବା ସହ ଆହତମାନଙ୍କୁ ଚିକିତ୍ସା ପାଇଁ ଭର୍ତ୍ତି କରାଇଛି। ଘଟଣାକୁ ନେଇ ସମଗ୍ର ଅଞ୍ଚଳରେ ଶୋକର ପରିବେଶ ଖେଳିଯାଇଛି ଓ ପୋଲିସ ତଦନ୍ତ ଜାରି ରଖିଛି।