Hot Posts

6/recent/ticker-posts

ରାୟଗଡ଼ ପୌରପରିଷଦ ଦ୍ୱାରା ‘ସଫେଇ କର୍ମଚାରୀ ସମ୍ବର୍ଦ୍ଧନା ଉତ୍ସବ’ ଅନୁଷ୍ଠିତ ସ୍ୱାସ୍ଥ୍ୟ ଶିବିର ସହ ଆୟୋଜିତ ହେଲା ‘ବଡ଼ଖାନା’

ରାୟଗଡ଼ା, ୧୮/୦୨ ( ଭି. ଗୌରି ଶଙ୍କର ରାଓ ) : ଆଜି ରାୟଗଡ଼ ପୌରପରିଷଦ ଅଡିଟରିୟମ ଠାରେ ସହରର ସ୍ୱଚ୍ଛତା ବଜାୟ ରଖୁଥିବା ସଫେଇ କର୍ମଚାରୀମାନଙ୍କୁ ସମ୍ମାନିତ କରିବା ଉଦ୍ଦେଶ୍ୟରେ ଏକ ଭବ୍ୟ ‘ସଫେଇ କର୍ମଚାରୀ ସମ୍ବର୍ଦ୍ଧନା ଉତ୍ସବ’ ଅନୁଷ୍ଠିତ ହୋଇଯାଇଛି । ନିଷ୍ଠାର ସହ କାର୍ଯ୍ୟ କରୁଥିବା କିଛି ଚୟନିତ ସଫେଇ କର୍ମଚାରୀଙ୍କୁ ସେମାନଙ୍କ ଉଲ୍ଲେଖନୀୟ ସେବା ପାଇଁ ପୁରସ୍କୃତ ଓ ସମ୍ବର୍ଦ୍ଧିତ କରାଯାଇଥିଲା । ପ୍ରାୟ ୪୦୦ ରୁ ଅଧିକ ସଫେଇ କର୍ମଚାରୀଙ୍କ ପାଇଁ ଏକ ସ୍ୱତନ୍ତ୍ର ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଆୟୋଜନ କରାଯାଇଥିଲା, ଯେଉଁଠାରେ ସେମାନଙ୍କର ସ୍ୱାସ୍ଥ୍ୟ ଯାଞ୍ଚ କରାଯିବା ସହ ଆବଶ୍ୟକୀୟ ପରାମର୍ଶ ଦିଆଯାଇଥିଲା। ପ୍ରତ୍ୟେକ ପରିମଳ କର୍ମଚାରୀଙ୍କ ପାଇଁ ଏକ ସ୍ବାସ୍ଥ୍ୟ ପୁସ୍ତିକା ପ୍ରସ୍ତୁତ କରାଯାଇଥିଲା । ଯେଉଁଥିରେ ସେମାନଙ୍କର ସମ୍ପୂର୍ଣ୍ଣ ସ୍ବାସ୍ଥ୍ୟ ବିବରଣୀ ଲିପିବଦ୍ଧ କରାଯିବାର ବ୍ୟବସ୍ଥା ରହିଅଛି । ଏହି ପୁସ୍ତିକା ଭବିଷ୍ୟତରେ ସେମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା ତଥା ଉପଚାର ପ୍ରଣାଳୀକୁ ଆହୁରି ସୁବିଧା ଜନକ କରିବା ସହିତ ଉନ୍ନତ ମାନର ସ୍ୱାସ୍ଥ୍ୟ ସେବା ଯୋଗାଇଦେବାରେ ସହାୟକ ହେବ । କାର୍ଯ୍ୟକ୍ରମ ଶେଷରେ ଏକ ‘ବଡ଼ଖାନା’ (ସାମୂହିକ ଭୋଜି) ର ଆୟୋଜନ ହୋଇଥିଲା। ଏଥିରେ ଉପସ୍ଥିତ ଅତିଥିମାନେ ନିଜେ ସଫେଇ କର୍ମଚାରୀଙ୍କୁ ଖାଦ୍ୟ ପରିଷଣ କରି ସେମାନଙ୍କ ପ୍ରତି ସମ୍ମାନ ପ୍ରଦର୍ଶନ କରିଥିଲେ। ଏହି କାର୍ଯ୍ୟକ୍ରମରେ ରାୟଗଡ଼ ଜିଲ୍ଲାପାଳ ଶ୍ରୀ ଆଶୁତୋଷ କୁଲକର୍ଣ୍ଣୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ପି.ଡି. ଡୁଡା ଶ୍ରୀଯୁକ୍ତ ଅକ୍ଷୟ କୁମାର ଖେମୁଣ୍ଡ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିଲେ। ଏଥିସହ ପୌଇରପରିଷଦ ଅଧ୍ୟକ୍ଷ ଶ୍ରୀଯୁକ୍ତ ପି. ମହେଶ ପାଟନାୟକ, ଉପାଧ୍ୟକ୍ଷ, ସମସ୍ତ କାଉନସିଲର, ସ୍ୱଚ୍ଛତା ବିଶେଷଜ୍ଞ, ସ୍ୱଚ୍ଛ ସାଥୀ ଏବଂ ସ୍ୱଚ୍ଛ ସୁପରଭାଇଜର ପ୍ରମୁଖ ଯୋଗ ଦେଇଥିଲେ। ସମ୍ମାନନୀୟ ଜିଲ୍ଲାପାଳ ମହୋଦୟ ଆଜିର ଏହି କାର୍ଯ୍ୟକ୍ରମକୁ ପ୍ରସଂଶା କରିବା ସହିତ ଆଗାମୀ ସ୍ବଚ୍ଛ ସର୍ବେକ୍ଷଣ ୨୦୨୬ ରେ ରାୟଗଡ଼ ପୌରପରିଷଦର ସ୍ଥାନକୁ ଜାତୀୟ ସ୍ତରରେ ଉପରକୁ ଉଠାଇବା ଏବଂ ପୁରସ୍କୃତ ହେବାପାଇଁ ବିବେଚିତ କରିବାରେ ସହଯୋଗ କରିବା ପାଇଁ ସମସ୍ତଙ୍କୁ ଅନୁରୋଧ କରିଥିଲେ । ଏହାସହିତ ରାୟଗଡ ସହରରେ ଜମିରହିଥିବା ଆବର୍ଜନା ଗୁଡିକୁ ଖୁବଶୀଘ୍ର ପ୍ରକ୍ରିୟାକରଣ (ବାୟୋ ମାଇନିଙ୍ଗ) କରାଯାଇ ସହରକୁ ଆହୁରି ସୁନ୍ଦର ଏବଂ ଆବର୍ଜନା ମୁକ୍ତ କରାଯିବା ସହିତ ୱାର୍ଡ ନ - ୦୩ ଠାରେ ଏକ ବୃହତ ଆବର୍ଜନା ପରିଚାଳନା କେନ୍ଦ୍ର ପ୍ରତିଷ୍ଠା କରାଯାଇ ଉନ୍ନତମାନର ଯାନ୍ତ୍ରିକ ବ୍ୟବସ୍ଥା କରାଯିବ ବୋଲି ପ୍ରତିଶୃତି ଦେଇଥିଲେ । ରାୟଗଡ଼ ପୌରପରିଷଦର ସମସ୍ତ କର୍ମଚାରୀଙ୍କ ମିଳିତ ସହଯୋଗରେ ଏହି କାର୍ଯ୍ୟକ୍ରମ ସୁଚାରୁରୂପେ ସମ୍ପାଦିତ ହୋଇଥିଲା। ରାୟଗଡ଼ ପୌରପରିଷଦ ନିର୍ବାହୀ ଅଧିକାରୀ ସମଗ୍ର କାର୍ଯ୍ୟକ୍ରମକୁ ପରିଚାଳନା କରିବା ସହ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।ସହରକୁ ସ୍ୱଚ୍ଛ ଓ ସୁନ୍ଦର ରଖିବାରେ ସଫେଇ କର୍ମଚାରୀଙ୍କ ଅବଦାନ ଅତୁଳନୀୟ ବୋଲି ଅତିଥିମାନେ ନିଜ ଅଭିଭାଷଣରେ ମତ ରଖିଥିଲେ।