ରାୟଗଡ଼ାରେ ଧାନ କ୍ରୟ ସଙ୍କଟ ଓ ଆଇନ-ଶୃଙ୍ଖଳା ଅବନତି ନେଇ ରାଜ୍ୟପାଳଙ୍କୁ ବିଜେଡିର ସ୍ମାରକପତ୍ର
ରାୟଗଡ଼ା, ୧୦/୦୨ ( ଭି. ଗୌରି ଶଙ୍କର ରାଓ ) : ରାୟଗଡ଼ା ଜିଲ୍ଲାରେ ଚାଲିଥିବା ଗୁରୁତର ଧାନ କ୍ରୟ ସଙ୍କଟ ଏବଂ ଆଇନ-ଶୃଙ୍ଖଳା ପରିସ୍ଥିତିର ଅବନତିକୁ ନେଇ ବିଜୁ ଜନତା ଦଳ ପକ୍ଷରୁ ମାନ୍ୟବର ଓଡ଼ିଶା ରାଜ୍ୟପାଳଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି। ଏହି ସ୍ମାରକପତ୍ର ଜିଲ୍ଲାପାଳ ଓ ମ୍ୟାଜିଷ୍ଟ୍ରେଟ୍, ରାୟଗଡ଼ାଙ୍କ ମାଧ୍ୟମରେ ଦିଆଯାଇଛି। ବିଜେଡିର ବିଧାୟକ, ବରିଷ୍ଠ ନେତା ଓ କର୍ମକର୍ତ୍ତାମାନେ ଅଭିଯୋଗ କରିଛନ୍ତି ଯେ, ଚଳିତ ଖରିଫ ଋତୁରେ ଧାନ କ୍ରୟ ପ୍ରକ୍ରିୟା ଭୟଙ୍କର ଅବ୍ୟବସ୍ଥାରେ ଚାଲିଛି। ରାୟଗଡ଼ା ଏକ କୃଷିପ୍ରଧାନ ଜିଲ୍ଲା ହୋଇଥିବା ସତ୍ତ୍ୱେ ଅନେକ ଚାଷୀ ନାମ ନୋନ୍ଦଣୀ କରିଥିଲେ ମଧ୍ୟ ଏପର୍ଯ୍ୟନ୍ତ ଧାନ ବିକ୍ରି କରିପାରିନାହାନ୍ତି। ସମୟରେ ମଣ୍ଡି ଖୋଲା ଯାଉନଥିବା ଓ ଧୀର ଗତିରେ କ୍ରୟ ପ୍ରକ୍ରିୟା ଚାଲିଥିବାରୁ ଚାଷୀମାନେ ବାଧ୍ୟ ହୋଇ କମ୍ ଦାମରେ ଧାନ ବିକ୍ରି କରୁଛନ୍ତି। ରାଜ୍ୟ ସରକାର ୭୩ ଲକ୍ଷ ମେଟ୍ରିକ୍ ଟନ୍ ଧାନ କ୍ରୟ ଲକ୍ଷ୍ୟ ଧରିଥିବା ବେଳେ ଏପର୍ଯ୍ୟନ୍ତ କେବଳ ୩୦.୪୯ ଲକ୍ଷ ମେଟ୍ରିକ୍ ଟନ୍ ଧାନ କ୍ରୟ ହୋଇଥିବା ବିଜେଡି ଉଲ୍ଲେଖ କରିଛି। ଏହାକୁ ଚାଷୀ ବିରୋଧୀ ନୀତି ବୋଲି ଅଭିହିତ କରି, ତୁରନ୍ତ ହସ୍ତକ୍ଷେପ ପାଇଁ ରାଜ୍ୟପାଳଙ୍କୁ ଦାବି କରାଯାଇଛି।