Hot Posts

6/recent/ticker-posts

ନୂଆପଡା ବିଡିଓଙ୍କ ଉପରେ ହୋଇଥିବା ଆକ୍ରମଣର ନିନ୍ଦା କଲା ଜିଲ୍ଲାର ଓ ଏ ଏସ୍ ଏଵଂ ଓ ଆର୍ ଏସ୍ ସଂଘ l ଜିଲ୍ଲାପାଳ ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କୁ ଦାବୀ ପତ୍ର ପ୍ରଦାନ l ସମସ୍ତ ଅଭିଯୁକ୍ତ ଗିରଫ ନହେବାଯାଏ କଳା ବ୍ୟାଚ୍ ପରିଧାନ କରିବେ l

ନୂଆପଡା, ୨୦/୦୧ ( ସୁରେଶ ମହାନନ୍ଦ ) : ନୂଆପଡା ବ୍ଲକ୍ ଗୋଷ୍ଠୀ ଉନ୍ନୟନ ଅଧିକାରୀ ରୋହିତ ଭୋଇଙ୍କ ଉପରେ ଘଟିଥିବା ଆକ୍ରମଣ ଘଟଣାର ତୀବ୍ର ନିନ୍ଦା କରିଛି ଜିଲ୍ଲାର ଓ ଏ ଏସ୍ ଏଵଂ ଓ ଆର୍ ଏସ୍ ସଂଘ l ଜିଲ୍ଲାପାଳ ମଧୁସୂଦନ ଦାଶ ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅମ୍ରିତପାଲ୍ ସିଂ ଙ୍କୁ ଭେଟି ଦାବୀପତ୍ର ପ୍ରଦାନ କରି ଏହି ବର୍ବର ଘଟଣାରେ ସଂପୃକ୍ତ ସମସ୍ତ ଦୋଷୀଙ୍କ ବିରୋଧରେ ଆଇନଗତ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଅନୁରୋଧ କରିଛି ସଂଘ l ଏହା ସହିତ ସମସ୍ତ ଅଭିଯୁକ୍ତ ଗିରଫ ନହେବାଯାଏ ସମସ୍ତ ସଦସ୍ୟ କଳା ବ୍ୟାଚ୍ ପରିଧାନ କରିବେ ବୋଲି ନିଷ୍ପତ୍ତି ଗ୍ରହଣ କରିଛନ୍ତି l ସଂଘ ତାର ଦାବୀପତ୍ର ରେ ଜଣାଇଛି ଯେ ,ନୂଆପଡା ବିଡ଼ିଓ ନିଜ କର୍ତ୍ତବ୍ୟ ସମ୍ପାଦନ ପାଇଁ ଯାଉଥିବା ସମୟରେ ତାଙ୍କ ଉପରେ ଘଟିଥିବା ଶାରୀରିକ ଆକ୍ରମଣ, ଆପରାଧିକ ଧମକ ଏବଂ କର୍ତ୍ତବ୍ୟରେ ବାଧା ସୃଷ୍ଟି କରାଯାଇଥିବା ଦୁଃଖଦ ଓ ଅତ୍ୟନ୍ତ ନିନ୍ଦନୀୟ ଘଟଣାକୁ ସଂଘ ଦୃଢ଼ ଭାବେ ନିନ୍ଦା କରୁଛି। ଏହି ଘଟଣା ସମ୍ପର୍କରେ ଗଭୀର ଚିନ୍ତା ଓ ବେଦନା ପ୍ରକାଶ କରୁଛି। କିଛି ଖଳ ପ୍ରକୃତି ବ୍ୟକ୍ତିଙ୍କ ନେତୃତ୍ୱରେ ଏକ ଅସାମାଜିକ ଦଳ ଅବୈଧ ଭାବେ ବିଡ଼ିଓଙ୍କୁ ତାଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅଟକାଇ, ଶାରୀରିକ ଆକ୍ରମଣ କରିଥିଲେ, ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିଲେ l
ଭୟଭୀତ କରିବା ପାଇଁ ମରଣାନ୍ତକ ଧମକ ଦେଇଥିଲେ ଏବଂ ଜଣେ ସରକାରୀ କର୍ମଚାରୀ ଭାବେ ତାଙ୍କ ଆଇନସମ୍ମତ କର୍ତ୍ତବ୍ୟ ପାଳନରେ ଇଚ୍ଛାପୂର୍ବକ ବାଧା ସୃଷ୍ଟି କରିଥିଲେ। ଏପରି କାର୍ଯ୍ୟ କେବଳ ଆଇନର ଗୁରୁତର ଉଲ୍ଲଂଘନ ନୁହେଁ, ବରଂ ସରକାରୀ ଅଧିକାରୀଙ୍କ ମର୍ଯ୍ୟାଦା, ଅଧିକାର ଓ ସୁରକ୍ଷା ଉପରେ ସିଧାସଳଖ ଆକ୍ରମଣ। ସଂଘ ଏହି ଘଟଣାକୁ ଆଇନର ଶାସନ ଏବଂ ପ୍ରଶାସନିକ ବ୍ୟବସ୍ଥା ପାଇଁ ଗଭୀର ଚ୍ୟାଲେଞ୍ଜ ଭାବେ ଦେଖୁଛି। କାର୍ଯ୍ୟରତ ଅବସ୍ଥାରେ ଜଣେ ସରକାରୀ କର୍ମଚାରୀଙ୍କ ଉପରେ ଆକ୍ରମଣ ଏକ ଘୃଣିତ ଅପରାଧ ଏବଂ କୌଣସି ପରିସ୍ଥିତିରେ ଏହା ସହ୍ୟ କରାଯିବ ନାହିଁ। ଏପରି ଅବୈଧ କାର୍ଯ୍ୟ ଯଦି ଅନିୟନ୍ତ୍ରିତ ରହିଯାଏ, ତେବେ ଅଧିକାରୀମାନଙ୍କ ମନୋବଳ ଗଭୀର ଭାବେ ହ୍ରାସ ପାଇବ ଏବଂ ସାଧାରଣ ଜନସେବା ପ୍ରଦାନରେ ଗୁରୁତର ବାଧା ସୃଷ୍ଟି ହେବ। ଏହି ଘଟଣାରେ ସଂପୃକ୍ତ ସମସ୍ତ ଦୋଷୀଙ୍କ ବିରୋଧରେ ଭାରତୀୟ ନ୍ୟାୟ ସଂହିତା ଓ ଅନ୍ୟାନ୍ୟ ପ୍ରାସଙ୍ଗିକ ଆଇନ ଅନୁଯାୟୀ ତତ୍କାଳ, କଠୋର ଓ ଉଦାହରଣମୂଳକ କାନୁନଗତ କାର୍ଯ୍ୟାନୁଷ୍ଠାନ ନେବାକୁ ଦୃଢ଼ ଦାବି କରୁଛି। ଏହାସହିତ, ସମସ୍ତ ପ୍ରଶାସନିକ ଅଧିକାରୀମାନେ ଯେପରି ଭୟମୁକ୍ତ ଓ ସ୍ୱାଧୀନ ଭାବେ ନିଜ କର୍ତ୍ତବ୍ୟ ପାଳନ କରିପାରିବେ, ସେଥିପାଇଁ ପର୍ଯ୍ୟାପ୍ତ ସୁରକ୍ଷା ବ୍ୟବସ୍ଥା ନିଶ୍ଚିତ କରିବାକୁ ଜିଲ୍ଲା ପ୍ରଶାସନ ଓ ପୁଲିସ ପ୍ରଶାସନଙ୍କୁ ଅନୁରୋଧ କରୁଛି। ଜିଲ୍ଲା ପ୍ରଶାସନ ନ୍ୟାୟର ସ୍ୱାର୍ଥରେ ସମସ୍ତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରି ସରକାରୀ ସେବାର ମର୍ଯ୍ୟାଦା ଅତୁଟ ରଖିବେ ଏବଂ ସମସ୍ତ ଦୋଷୀଙ୍କୁ ତତ୍କାଳ ଗିରଫ କରିବେ। ଏହା ନ ହେଲେ, ସଂଘ ୨୭.୦୧.୨୦୨୬ ତାରିଖରୁ “ପେନ୍ ଡାଉନ୍” ଆନ୍ଦୋଳନରେ ଯିବ ଏବଂ ଦାବି ପୂରଣ ହେବା ପର୍ଯ୍ୟନ୍ତ ସଂଘର ସଦସ୍ୟମାନେ କଳା ବ୍ୟାଜ୍ ପିନ୍ଧି ପ୍ରତିବାଦ କରିବେ। ଜିଲ୍ଲାପାଳ ଅଧିକାରୀ ମାନଙ୍କୁ ଆଶ୍ଵାସନା ଦେଇ କହିଲେ ଯେ ସେ ପ୍ରଶାସନିକ ଓ ରାଜସ୍ୱ ଅଧିକାରୀ ମାନଙ୍କ ପ୍ରତି ସମବେଦନା ଜଣାଉଛନ୍ତି l ଏହା ମଧ୍ୟରେ ଆକ୍ରମଣ ଘଟଣାର କିଛି ଅପରାଧୀ ଗିରଫ ହୋଇଛନ୍ତି ଏବଂ ସମସ୍ତଙ୍କୁ ତତ୍କାଳ ଗିରଫ କରିବା ପାଇଁ ପୋଲିସ୍ ପ୍ରଶାସନ କୁ ଅନୁରୋଧ କରାଯାଇଛି l ଅଧିକାରୀ ମାନେ ଜନସାଧାରଣଙ୍କ ପ୍ରତି ସମ୍ବେଦନଶୀଳ ହୋଇ ନିଜନିଜ କର୍ତ୍ତବ୍ୟ ନିର୍ବାହ କରନ୍ତୁ l ସମସ୍ୟାର ଶୀଘ୍ର ସମାଧାନ ନିଶ୍ଚିତ ହେବ ବୋଲି ଜିଲ୍ଲାପାଳ ଆଶା ପ୍ରକାଶ କରିଛନ୍ତି l ଆଜି ଜିଲ୍ଲାପାଳଙ୍କୁ ଏହି ଦାବୀପତ୍ର ପ୍ରଦାନ ସମୟରେ ଅତିରିକ୍ତ ଜିଲ୍ଲାପାଳ ସୁବାଷ ଚନ୍ଦ୍ର ରଇତ, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ, ଏ ପି ଡି କ୍ଷମାନିଧି ଭୋଇ,ଉପ ଜିଲ୍ଲାପାଳ ସୂର୍ମି ସୋରେନ୍, ସମସ୍ତ ବିଡିଓ, ତହସିଲଦାର ଓ ଜିଲ୍ଲାର ସମସ୍ତ ଓ ଏ ଏସ ଏବଂ ଓ ଆର୍ ଏସ ଅଧିକାରୀ ଉପସ୍ଥିତ ଥିଲେ l