Hot Posts

6/recent/ticker-posts

୧୭ତମ ଆଦିବାସୀ ଯୁବ ଭାବ ବିନିମୟ କାର୍ଯ୍ୟକ୍ରମ: କନ୍ଧମାଳରୁ ଜୟପୁର ଅଭିମୁଖେ ୨୦ ଜଣ ଯୁବ-ଯୁବତୀଙ୍କ ଦଳ

କନ୍ଧମାଳ, ୨୦/୦୧ : ଭାରତ ସରକାରଙ୍କ ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟ ଅଧୀନ ‘ମାଇ ଭାରତ’ (MY Bharat), ମାଇ ଭାରତ ଫୁଲବାଣୀ ଓ ୧୨୭ ସିଆରପିଏଫ୍‌ ବାଲିଗୁଡାର ମିଳିତ ଆନୁକୂଲ୍ୟରେ ଆୟୋଜିତ ୧୭ତମ ଆଦିବାସୀ ଯୁବ ଭାବ ବିନିମୟ କାର୍ଯ୍ୟକ୍ରମ ପାଇଁ କନ୍ଧମାଳ ଜିଲ୍ଲାର ଏକ ଯୁବ ଦଳ ରାଜସ୍ଥାନର ଜୟପୁର ଅଭିମୁଖେ ଯାତ୍ରା କରିଛି। ଏହି କାର୍ଯ୍ୟକ୍ରମ ଆଦିବାସୀ ଯୁବମାନଙ୍କ ମଧ୍ୟରେ ସାଂସ୍କୃତିକ ସମନ୍ୱୟ, ଜାତୀୟ ଏକତା ଓ ପରସ୍ପର ଅଭିଜ୍ଞତା ବିନିମୟକୁ ସୁଦୃଢ଼ କରିବା ଲକ୍ଷ୍ୟରେ ଆୟୋଜିତ ହେଉଛି। ଏହି ଉପଲକ୍ଷ୍ୟରେ ଫୁଲବାଣୀ ଜିଲ୍ଲା ନିଯୋଜନ କାର୍ଯ୍ୟାଳୟ ସଭାଗୃହରେ ଏକ ପୂର୍ବ-ଯାତ୍ରା ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ଜିଲ୍ଲା ନିଯୋଜନ ଅଧିକାରୀ ଶ୍ରୀ ପୁରୁଷତମ ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଯୁବ-ଯୁବତୀମାନଙ୍କୁ କାର୍ଯ୍ୟକ୍ରମର ଲକ୍ଷ୍ୟ, ଉଦ୍ଦେଶ୍ୟ ଓ ଶିକ୍ଷାମୂଳକ ଗୁରୁତ୍ୱ ବିଷୟରେ ଅବଗତ କରାଇଥିଲେ। ସମ୍ମାନିତ ଅତିଥି ଭାବେ ପୋଲିସ ହାଇସ୍କୁଲର ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଶ୍ରୀ ଦେବୀ ପ୍ରସାଦ ଶତପଥୀ, ପୂର୍ବତନ ବିଶ୍ୱାସ କଲେଜ ଅଧ୍ୟକ୍ଷ ପ୍ରଫେସର ପ୍ରସନ୍ନ ବିଶୋଇ, ଜିଲ୍ଲା ନିଯୋଜନ କାର୍ଯ୍ୟାଳୟର ଶ୍ରୀ ବିକ୍ରମ ଦାସ ଓ ମାଇ ଭାରତ ଫୁଲବାଣୀର ସହକର୍ମୀ ଶ୍ରୀ ସତ୍ୟବାନ ଦଳବେହେରା ପ୍ରମୁଖ ଉପସ୍ଥିତ ଥିଲେ। ଏହି ଯୁବ ଭାବ ବିନିମୟ କାର୍ଯ୍ୟକ୍ରମରେ କୋଟଗଡ଼ ବ୍ଲକରୁ ୨୦ ଜଣ ଆଦିବାସୀ ଭାଇ ଓ ଭଉଣୀ ଅଂଶଗ୍ରହଣ କରୁଥିବାବେଳେ, ସୁରକ୍ଷା ଏସକର୍ଟ ଭାବେ ୧୨୭ ସିଆରପିଏଫ୍‌ ବାଲିଗୁଡାର ଯବାନ ସୌଦାମିନୀ କୁମ୍ଭାର ଓ ଅନ୍ୟ ସହଯୋଗୀ ସଦସ୍ୟମାନେ ଦଳ ସହ ଯାତ୍ରା କରୁଛନ୍ତି। ଉଲ୍ଲେଖନୀୟ ଯେ, ରାଜସ୍ଥାନର ଜୟପୁରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଓଡ଼ିଶା ସହ ଛତିଶଗଡ଼, ଝାରଖଣ୍ଡ, ମହାରାଷ୍ଟ୍ର ଓ ରାଜସ୍ଥାନର ଆଦିବାସୀ ଯୁବ-ଯୁବତୀମାନେ ଅଂଶଗ୍ରହଣ କରୁଛନ୍ତି। ଏହି ଭାବ ବିନିମୟ କାର୍ଯ୍ୟକ୍ରମ ଯୁବପିଢ଼ି ମଧ୍ୟରେ ଜାତୀୟ ଏକତା, ସାଂସ୍କୃତିକ ଆଦାନ-ପ୍ରଦାନ ଓ ସାମାଜିକ ସଚେତନତାକୁ ନୂତନ ଦିଗ ଦେବ ବୋଲି ଆଶା କରାଯାଉଛି।