Hot Posts

6/recent/ticker-posts

ଷ୍ଟାର୍ଟଅପ୍‌ ର୍ୟାଙ୍କିଂରେ ଓଡ଼ିଶାର ଅବନତି: ପୂର୍ବତନ ବିଜେଡି ସରକାରକୁ ଦାୟୀ କଲେ ଏମ୍ଏସ୍‌ଏମ୍‌ଇ ମନ୍ତ୍ରୀ

ଭୁବନେଶ୍ୱର, ୨୦/୦୧ ( ନବଦୂତ ) : ଓଡ଼ିଶାର ଷ୍ଟାର୍ଟଅପ୍‌ ପରିବେଶ ଓ ର୍ୟାଙ୍କିଂରେ ସମ୍ପ୍ରତି ଘଟିଥିବା ଅବନତିକୁ ନେଇ ରାଜ୍ୟ ଏମ୍ଏସ୍‌ଏମ୍‌ଇ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ପୂର୍ବତନ ବିଜୁ ଜନତା ଦଳ (ବିଜେଡି) ସରକାରଙ୍କୁ ସରାସରି ଦାୟୀ କରିଛନ୍ତି। ସେ କହିଛନ୍ତି, ଯେଉଁ ସମୟାବଧିକୁ ଆଧାର କରି ଡିପିଆଇଆଇଟି ପକ୍ଷରୁ ସଦ୍ୟତମ ଷ୍ଟାର୍ଟଅପ୍‌ ର୍ୟାଙ୍କିଂ ତିଆରି କରାଯାଇଛି, ସେ ସମୟରେ ରାଜ୍ୟରେ ବିଜେଡି ସରକାର ଶାସନରେ ଥିଲା। ମନ୍ତ୍ରୀ ଶ୍ରୀ ମଲ୍ଲିକ ଉଲ୍ଲେଖ କରିଛନ୍ତି ଯେ, ୨୦୨୩ ଜାନୁଆରୀ ୧ରୁ ୨୦୨୪ ନଭେମ୍ବର ୩୦ ପର୍ଯ୍ୟନ୍ତ ସମୟକୁ ବିଚାରକୁ ନେଇ ଏହି ର୍ୟାଙ୍କିଂ ପ୍ରସ୍ତୁତ ହୋଇଛି। ଏହି ସମୟରୁ ମାତ୍ର ୬ ମାସ ବିଜେପି ସରକାର ଶାସନ କରିଥିବା ବେଳେ, ସେତେ ସଂକ୍ଷିପ୍ତ ସମୟରେ ରାଜ୍ୟର ଷ୍ଟାର୍ଟଅପ୍‌ ର୍ୟାଙ୍କ ଖସିଯିବା ଅଭିଯୋଗ ସଂଗତିହୀନ ବୋଲି ସେ ପ୍ରଶ୍ନ ଉଠାଇଛନ୍ତି। ପୂର୍ବତନ ବିଜେଡି ସରକାରଙ୍କୁ ସମାଲୋଚନା କରି ମନ୍ତ୍ରୀ କହିଛନ୍ତି ଯେ, ସେମାନଙ୍କ ଶାସନକାଳରେ ଷ୍ଟାର୍ଟଅପ୍‌ ପ୍ରଣାଳୀ ମୂଳତଃ କାଗଜକଲମରେ ସୀମିତ ଥିଲା। ବିଜେପି ସରକାର ଶାସନରେ ଆସିବା ପରେ ଓ-ହବ୍‌ ସଂପୃକ୍ତ ଅନିୟମିତତା ଧରାପଡ଼ିଥିଲା ଏବଂ ତଦନ୍ତ ନିର୍ଦ୍ଦେଶ ଦିଆଯାଇଥିଲା। ଓ-ହବ୍‌କୁ ବିଜେଡିର ସୋସିଆଲ ମିଡିଆ ପ୍ରଚାର ପାଇଁ ବ୍ୟବହାର କରାଯାଉଥିଲା ଓ ଦଳୀୟ କର୍ମକର୍ତ୍ତାମାନେ ସେଠାରେ ବେତନ ନେଇ କାମ କରୁଥିଲେ ବୋଲି ସେ ଅଭିଯୋଗ କରିଛନ୍ତି। ମନ୍ତ୍ରୀଙ୍କ କହିବାନୁସାରେ, ୨୦୧୬ରୁ ୨୦୨୪ ମଧ୍ୟରେ ପୂର୍ବ ସରକାର ଅମଳରେ ରାଜ୍ୟରେ ପ୍ରାୟ ୧୧୦୦ ଷ୍ଟାର୍ଟଅପ୍‌ ଥିବାବେଳେ, ବିଜେପି ସରକାର ଶାସନ ଭାର ଗ୍ରହଣ କରିବା ପରେ ଏହି ସଂଖ୍ୟା ବୃଦ୍ଧି ପାଇ ୨୫୫୦ରେ ପହଞ୍ଚିଛି। ଦେଢ଼ ବର୍ଷ ଭିତରେ ଏତେ ସଂଖ୍ୟକ ଷ୍ଟାର୍ଟଅପ୍‌ ସୃଷ୍ଟି ହେବା ରାଜ୍ୟ ପାଇଁ ଏକ ରେକର୍ଡ ବୋଲି ସେ ଦାବି କରିଛନ୍ତି। ବିଜେଡି ପକ୍ଷରୁ ସୋସିଆଲ ମିଡିଆରେ ପ୍ରଚାର କରାଯାଉଥିବା ତଥ୍ୟ ପୂର୍ବ ସରକାର ଠାରୁ ଉତ୍ତରାଧିକାର ସୂତ୍ରରେ ମିଳିଥିବା ବୋଲି ସେ ସ୍ପଷ୍ଟ କରିଛନ୍ତି। ରାଜ୍ୟର ଷ୍ଟାର୍ଟଅପ୍‌ ବ୍ୟବସ୍ଥାକୁ ସୁଦୃଢ଼ କରିବା ଲାଗି ସରକାର ଗ୍ରହଣ କରୁଥିବା ପଦକ୍ଷେପ ଉପରେ ଆଲୋକପାତ କରି ମନ୍ତ୍ରୀ କହିଛନ୍ତି ଯେ, ଏମ୍ଏସ୍‌ଏମ୍‌ଇ, ଶିକ୍ଷା, ଶିଳ୍ପ ଓ ଭିତ୍ତିଭୂମି କ୍ଷେତ୍ରରେ ରାଜ୍ୟ ଦ୍ରୁତ ଗତିରେ ଆଗକୁ ବଢ଼ୁଛି। ପ୍ରତ୍ୟେକ ବ୍ଲକରେ ଯୁବମାନଙ୍କୁ ଏମ୍ଏସ୍‌ଏମ୍‌ଇ ସମ୍ବନ୍ଧୀୟ ତାଲିମ ଦିଆଯାଉଛି ବୋଲି ସେ କହିଛନ୍ତି। ଏହି ପ୍ରସଙ୍ଗରେ ବିତର୍କ ପାଇଁ ବିଜେଡିକୁ ଆହ୍ୱାନ ଜଣାଇ ମନ୍ତ୍ରୀ କହିଛନ୍ତି ଯେ, ଦେଢ଼ ବର୍ଷର ସରକାର ପୂର୍ବ ୨୪ ବର୍ଷର ଶାସନ ସହ ତୁଳନା କରିବାକୁ ପ୍ରସ୍ତୁତ। ଉଲ୍ଲେଖନୀୟ ଯେ, କେନ୍ଦ୍ର ସରକାରଙ୍କ ଶିଳ୍ପ ଓ ଆଭ୍ୟନ୍ତରୀଣ ବ୍ୟବସାୟ ପ୍ରସାର ବିଭାଗ (ଡିପିଆଇଆଇଟି) ପକ୍ଷରୁ ଜାରି ସଦ୍ୟତମ ଷ୍ଟାର୍ଟଅପ୍‌ ର୍ୟାଙ୍କିଂରେ ଓଡ଼ିଶା ‘ଆସ୍ପାୟାରିଂ ଲିଡର’ ବର୍ଗକୁ ଖସିଆସିଛି। ୨୦୨୨ ସଂସ୍କରଣରେ ରାଜ୍ୟ ‘ଟପ୍‌ ପରଫର୍ମର’ ବର୍ଗରେ ଥିଲା। ୨୦୧୮ରେ ର୍ୟାଙ୍କିଂ ଆରମ୍ଭ ହେବାବେଳେ ଓଡ଼ିଶା ଶ୍ରେଷ୍ଠ ଚାରିଟି ରାଜ୍ୟ ମଧ୍ୟରେ ଥିଲା ଓ ୨୦୧୯ ଏବଂ ୨୦୨୧ରେ ମଧ୍ୟ ଶ୍ରେଷ୍ଠ ପାଞ୍ଚ ପ୍ରଦର୍ଶନକାରୀ ରାଜ୍ୟମାନଙ୍କ ମଧ୍ୟରେ ସ୍ଥାନ ହାସଲ କରିଥିଲା।