ଡୁଙ୍ଗୁରିପାଲିରେ ବନ୍ଦେ ମାତାରମର ୧୫୦ତମ ବାର୍ଷିକ ପାଳନ, ସାମୁହିକ ଗାନରେ ଉଜାଗର ଦେଶଭକ୍ତିର ଭାବନା
ଡୁଙ୍ଗୁରିପାଲି, ୨୦/୦୧ ( ମୋତିଲାଲ ସାହୁ ) : ଡୁଙ୍ଗୁରିପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ‘ବନ୍ଦେ ମାତାରମ’ ଗାନର ୧୫୦ତମ ବାର୍ଷିକ ଅବସରକୁ ଉପଲକ୍ଷ୍ୟ କରି ଏକ ଭବ୍ୟ ସାମୁହିକ ଗାନ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ଦେଶଭକ୍ତି ଓ ଜାତୀୟ ଚେତନାରେ ଭରିଥିବା ଏହି କାର୍ଯ୍ୟକ୍ରମରେ ଡୁଙ୍ଗୁରିପାଲି ବ୍ଲକ ଅନ୍ତର୍ଗତ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ, ଶିକ୍ଷକ ଓ ବ୍ଲକ କାର୍ଯ୍ୟାଳୟର କର୍ମଚାରୀମାନେ ଉପସ୍ଥିତ ରହି ସାମୁହିକ ଭାବେ ‘ବନ୍ଦେ ମାତାରମ’ ଗାନ କରିଥିଲେ। ଡୁଙ୍ଗୁରିପାଲି ପଞ୍ଚାୟତ ସମିତି ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବ୍ଲକ ଉପାଧ୍ୟାକ୍ଷା ଶ୍ରୀମତୀ ଅହଲ୍ୟା ସାହୁ ଓ ବ୍ଲକ ଉପାଧ୍ୟାକ୍ଷ ଶ୍ରୀ ମକରଧଜ ସାହୁ ମୁଖ୍ୟ ଅତିଥି ଭାବେ ଉପସ୍ଥିତ ଥିଲେ। ସେମାନଙ୍କ ସହ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ଦିଲୀପ କୁମାର ବାଡ଼ା, ବ୍ଲକ ଶିକ୍ଷା ଅଧିକାରୀ ଶ୍ରୀ ଗଣେଶ କିଷାନ ଓ ସହାୟକ ବିଡିଓ ଶ୍ରୀ ମହେଶ ପଧାନ ପ୍ରମୁଖ ଅଧିକାରୀମାନେ ମଞ୍ଚାସୀନ ଥିଲେ। ଅତିଥିମାନେ ନିଜ ଉଦ୍ବୋଧନରେ ‘ବନ୍ଦେ ମାତାରମ’ ଗୀତର ଐତିହାସିକ ଓ ଦେଶଭକ୍ତିମୂଳକ ଗୁରୁତ୍ୱ ଉପରେ ଆଲୋକପାତ କରି, ଯୁବ ପିଢ଼ି ମଧ୍ୟରେ ଜାତୀୟତା ଓ ଦେଶପ୍ରେମର ଭାବନାକୁ ସୁଦୃଢ଼ କରିବାରେ ଏପରି କାର୍ଯ୍ୟକ୍ରମର ଆବଶ୍ୟକତା ଉପରେ ଜୋର ଦେଇଥିଲେ। କାର୍ଯ୍ୟକ୍ରମର ଶେଷ ପର୍ଯ୍ୟାୟରେ, ବିଭିନ୍ନ ବିଦ୍ୟାଳୟ ସ୍ତରରେ ଆୟୋଜିତ କାର୍ଯ୍ୟକ୍ରମରେ ଉତ୍କୃଷ୍ଟ ପ୍ରଦର୍ଶନ କରିଥିବା ଛାତ୍ରଛାତ୍ରୀମାନଙ୍କୁ ଅତିଥିମାନେ ସାର୍ଟିଫିକେଟ ପ୍ରଦାନ କରି ସମ୍ମାନିତ କରିଥିଲେ। ଦେଶଭକ୍ତିର ଗମ୍ଭୀର ପରିବେଶ ମଧ୍ୟରେ ଏହି କାର୍ଯ୍ୟକ୍ରମ ସଫଳତାର ସହ ସମାପ୍ତ ହୋଇଥିଲା।