Hot Posts

6/recent/ticker-posts

ଜିଲ୍ଲାସ୍ତରୀୟ ୭୭ତମ ସାଧାରଣତନ୍ତ୍ର ଦିବସ -୨୦୨୬ ପାଳିତ ।

କନ୍ଧମାଳ ୨୭/୧ (ଅଚ୍ୟୁତ ଜାନୀ) : କନ୍ଧମାଳ ଜିଲ୍ଲାର ସ୍ଥାନୀୟ ଫୁଲବାଣୀ ପୋଲିସ ରିଜର୍ଭ ପଡ଼ିଆଠାରେ ଜିଲ୍ଲା ସ୍ତରୀୟ ୭୭ ତମ ସାଧାରଣତନ୍ତ୍ର ଦିବସ -୨୦୨୬ ପାଳିତ ହୋଇଯାଇଛି । ମାନ୍ୟବର ମନ୍ତ୍ରୀ, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ, ସଂସଦୀୟ ବ୍ୟାପାର, ଇଲୋକଟ୍ରୋନିସ ଓ ସୂଚନା ପ୍ରଯୁକ୍ତି ବିଦ୍ୟା ଡଃ ମୁକେଶ ମହାଲିଙ୍ଗ ମୁଖ୍ୟ ଅତିଥିଭାବରେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରି ସମ୍ମିଳିତ ପ୍ୟାରେଡର ଅଭିବାଦନ ଗ୍ରହଣ କରିଥିଲେ । ମୁକ୍ତି ସଂଗ୍ରାମ ଏବଂ ଦେଶର ସୁରକ୍ଷାରେ ଶହୀଦ ହୋଇଥିବା ଦେଶଭକ୍ତମାନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହିତ ସମ୍ବିଧାନ ସଭାର ଅଧ୍ୟକ୍ଷ ଡଃ ଭୀମରାଓ ଆମ୍ବେଦକର ଏବଂ ସମ୍ବିଧାନ ପ୍ରଣୟନ ସଭାର ସଦସ୍ୟସଦସ୍ୟାମାନଙ୍କୁ ଭକ୍ତିପୂତ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରି ଜାତି ଉଦ୍ଦେଶ୍ୟରେ ଉଦବୋଧନ ପ୍ରଦାନ କରିଥିଲେ । ସାଧାରଣତନ୍ତ୍ର ଦିବସ ୨୦୨୬ ଅବସରରେ ୩୧ଗୋଟି ପ୍ଲାଟୁନ ପ୍ୟାରେଡ ପରିବେଷଣ କରିଥିଲେ ଓ ୮ ଗୋଟି ବିଭାଗ/ସଂସ୍ଥା ସେମାନଙ୍କ ପ୍ରଜ୍ଞାପନ ମେଢ ପ୍ରଦର୍ଶନ କରିଥିଲେ ଏବଂ ତିନିଗୋଟି ଦଳ ମାସ୍ ଡ୍ରିଲ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ମାଓ ଦମନରେ ଉଲ୍ଲେଖନୀୟ ସଫଳତା ପାଇଁ ୭ ଜନ ସୁରକ୍ଷାକର୍ମୀ ଏବଂ ଗଞ୍ଜେଇ ଚୋରା ଚଲାଣ ଓ ବେଆଇନ ଗଞ୍ଜେଇ ଚାଷ ନଷ୍ଟ ଦିଗରେ ସଫଳତା ପାଇଁ ୩ ଜଣ ପୋଲିସ ଅଧିକାରୀଙ୍କୁ ମୁଖ୍ୟ ଅତିଥି ପୁରସ୍କୃତ କରିଥିଲେ । ସେହିପରି ଭାବରେ ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀ, ଶ୍ରେଷ୍ଠ ପ୍ୟାରେଡ ଦଳ ଓ ମାସ୍ ଡ୍ରିଲ ଦଳକୁ ମାନ୍ୟବର ମନ୍ତ୍ରୀ ମାନପତ୍ର ଓ ମେମେଣ୍ଟୋ ପ୍ରଦାନ କରି ପୁରସ୍କୃତ କରିଥିଲେ । ଏହି ଅବସରରେ ମାନ୍ୟବର ବିଧାୟକ, ଫୁଲବାଣୀ ଶ୍ରୀ ଉମା ଚରଣ ମଲ୍ଲିକ, ଜିଲ୍ଲାପାଳ ଶ୍ରୀ ବେଦଭୂଷଣ, ଆରକ୍ଷୀ ଅଧୀକ୍ଷକ ଶ୍ରୀ ହରିଶ ବି.ସି, ବରିଷ୍ଠ ପ୍ରଶାସନିକ ଅଧିକାରୀ, ବରିଷ୍ଠ ପୋଲିସ ଅଧିକାରୀ, ବିଭିନ୍ନ ବିଭାଗୀୟ ଅଧିକାରୀ, ଲୋକ ପ୍ରତିନିଧି, ଗଣମାଧ୍ୟମର ପ୍ରତିନିଧି ଆଦି ଉପସ୍ଥିତ ଥିଲେ ।
ଫୁଲବାଣୀ ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରଶାସକ ତଥା ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ଗଦାଧର ପାତ୍ର ପରିଚାଳନା କରିଥିଲେ ଏବଂ ଜିଲ୍ଲା ପ୍ରଶାସନର ମିଳିତ ସହଯୋଗରେ ଏହା ସୁଚାରୁ ରୂପେ ସମ୍ପାଦନ ହୋଇଥିଲା ।ପ୍ୟାରେଡ ପରେ ପରେ ମାନ୍ୟବର ମନ୍ତ୍ରୀ ଜିଲ୍ଲା କାରାଗାରରେ ମିଷ୍ଟାନ୍ନ ବଣ୍ଟନ, ବାଲ୍ୟ ବିବାହ ମୁକ୍ତ ଭାରତ ଅଭିଯାନର ସାଇକେଲ ରାଲି , ରକ୍ତ ଭଣ୍ଡାରଠାରେ ରକ୍ତଦାନ ଶିବିର ଉଦ୍ଘାଟନ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ରୋଗୀଙ୍କୁ ଫଳ ବଣ୍ଟନ, ସାର୍ତ୍ତାଗୁଡା ବୃଦ୍ଧାଶ୍ରମର ଅନ୍ତେବାସୀଙ୍କୁ ଫଳ ବଣ୍ଟନ, ଉତ୍କଳ ବାଳାଶ୍ରମର ଅନ୍ତେ ବାସୀଙ୍କୁ ମିଷ୍ଟାନ୍ନ, ପାଠ୍ୟ ଓ କ୍ରୀଡା ଉପକରଣ ଏବଂ ଅନ୍ୟାନ୍ୟ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ବଣ୍ଟନ ଏବଂ ସ୍ଵଧାର ଗୃହର ଅନ୍ତେବାସୀଙ୍କୁ ମିଷ୍ଟାନ୍ନ ଓ ଫଳ ବଣ୍ଟନ ଆଦି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ ଏବଂ ମାନ୍ୟବର ମନ୍ତ୍ରୀଙ୍କ ସହିତ ମାନ୍ୟବର ବିଧାୟକ ଫୁଲବାଣୀ ଶ୍ରୀ ଉମା ଚରଣ ମଲ୍ଲିକ , ଜିଲ୍ଲାପାଳ ଶ୍ରୀ ବେଦଭୂଷଣ, ଆରକ୍ଷୀ ଅଧୀକ୍ଷକ ଶ୍ରୀ ହରିଶ ବିସି ଓ ବରିଷ୍ଠ ଅଧିକାରୀ ଆଦି ଉପସ୍ଥିତ ଥିଲେ । ପୋଲିସ ରିଜର୍ଭ ପଡ଼ିଆଠାରେ ଜିଲ୍ଲା ପ୍ରଶାସନ, ପୋଲିସ ପ୍ରଶାସନ, ବାର ଆସୋସିଏସନ ଓ ପ୍ରେସ ଏକାଦଶ ମଧ୍ୟରେ ସଦଭାବନା କପ୍ କ୍ରିକେଟ ମ୍ୟାଚ ଆୟୋଜନ ହୋଇଥିଲା । ସନ୍ଧ୍ୟାରେ ଜିଲ୍ଲା ସଂସ୍କୃତି ପରିଷଦ ତରଫରୁ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଏହି ସାଂସ୍କୃତିକ କାର୍ଯ୍ୟକ୍ରମରେ ବିଭିନ୍ନ ଶିକ୍ଷା ଓ ନୃତ୍ୟ ଅନୁଷ୍ଠାନର ଛାତ୍ରଛାତ୍ରୀ ଅଂଶଗ୍ରହଣ କରି ଚିତାକର୍ଷକ ସାଂସ୍କୃତିକ ନୃତ୍ୟ ଓ ଅଭିନୟ ମାଧ୍ୟମରେ ଦର୍ଶକଙ୍କ ମନ ଜିଣି ପାରିଥିଲେ ।