ରାୟଗଡ଼ା, ୨୪/୦୧ ( ଭି. ଗୌରି ଶଙ୍କର ରାଓ ) : ରାୟଗଡ଼ା ଆଜାଦ ହିନ୍ଦ ୟୁଥ୍ ଆସୋସିଏସନ ପକ୍ଷରୁ ନେତାଜୀ ଜୟନ୍ତୀ ଏବଂ କ୍ଲବର ୩୬ତମ ବାର୍ଷିକ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ଏଥିରେ ସକାଳ କାର୍ଯ୍ୟକ୍ରମରେ ରାଜ୍ୟସଭା ପୂର୍ବତନ ସାଂସଦ ଏନ.ଭାସ୍କର ରାଓ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପତାକା ଉତୋଳନ କରିବା ସହିତ ସୁବାଷ ବୋଷଙ୍କ ପ୍ରତିମୂର୍ତିରେ ପୁଷ୍ପ ମାଲ୍ୟାର୍ପଣ ପୂର୍ବକ ନେତାଜୀଙ୍କ ବଳିଦାନ ଓ ବୀରତ୍ୱର ଗାଥା ସ୍ମୃତିଚାରଣ କରିଥିଲେ । ଏହାପରେ କାର୍ଯ୍ୟକ୍ରମରେ ଉପସ୍ଥିତ ଛାତ୍ରୀଛାତ୍ର ଓ ଅନ୍ୟମାନଙ୍କୁ ମିଷ୍ଟାନ୍ନ ବଂଟନ କରିଥିଲେ । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ଆଇନଜୀବୀ ବ୍ରଜସୁନ୍ଦର ନାୟକ, ସୁରେନ୍ଦ୍ର ସାହୁ, ସତ୍ୟବାଦୀ ପତି ଓ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ ଯୋଗଦେଇଥିଲେ । ଏହି ଅବସରରେ ଭାସ୍କର ରାଓ ଗଣମାଧ୍ୟମକୁ ସମ୍ବୋଧିତ କରି ମହାପୁରୁଷଙ୍କୁ ସ୍ମରଣ କରିବା ପାଇଁ ଆଜାଦ୍ ହିନ୍ଦ୍ ୟୁଥ୍ ଆସୋସିଏସନର ଏହା ଏକ ଉତମ ପଦକ୍ଷେପ ଏବଂ ଏହାଦ୍ୱାରା ଆଜିର ପିଢ଼ି ନିକଟରେ ସେମାନଙ୍କ ନିଷ୍ଠା, ବଳିଦାନ ଓ ବୀରତ୍ୱର ଗାଥା ସ୍ମରଣୀୟ ହୋଇ ରହିବ ବୋଲି କହିଥିଲେ । ଦ୍ୱିତୀୟାର୍ଦ୍ଧରେ ଅତିଥିଙ୍କ ଗହଣରେ ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ଜୀବନୀ ଓ ଲକ୍ଷ୍ୟ ଉପରେ ଆଲୋକପାତ କରିଥିଲେ । ଏହାପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ପୂର୍ବତନ ମନ୍ତ୍ରୀ ଲାଲ ବିହାରୀ ହିମରିକା, ରାଜ୍ୟସଭା ପୂର୍ବତନ ସାଂସଦ ଏନ୍ ଭାସ୍କର ରାଓ, ଅତିରିକ୍ତ ଜିଲ୍ଲାପାଳ ନବୀନ ନାଏକ ପ୍ରମୁଖ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମ ଶୁଭାରମ୍ଭ କରିଥିଲେ। ଶେଷରେ କୁନି କୁନି ପିଲା ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରଦର୍ଶନ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଆସୋସିଏସନ୍ ର ସଭାପତି ବିନାୟକ କରଙ୍କ ନେତୃତ୍ୱରେ ସଦସ୍ୟ ମିହିର ପଣ୍ଡା, ନୀଳମଣି ପାଟଯୋଶୀ, ଜିତେନ୍ଦ୍ର ରେଡ୍ଡୀ, ପ୍ରଶାନ୍ତ ବିଶୋଇ, ଶ୍ରୀକାନ୍ତ ଚୌଧୁରୀ, ସୁରଜ୍ ବିଶୋଇ, ତପନ ପେଦେଣ୍ଟି, ବିଶାଳ ସିଂ, ଅବିନାଶ ବିଶୋଇ ପ୍ରମୁଖ ପରିଚାଳନାରେ ସହଯୋଗ କରିଥଲେ। ଅନ୍ୟମାନଙ୍କ ମଧ୍ୟରେ ବ୍ଲକ ଉପାଧ୍ୟକ୍ଷ ହର ପ୍ରସାଦ ହେପୃଜା, ଜିଲ୍ଲା ପରିଷଦ ସଭ୍ୟା ସନ୍ଧ୍ୟା ପୁଲାକା ପ୍ରମୁଖ ଯୋଗଦେଇଥିଲେ।