Hot Posts

6/recent/ticker-posts

ରାଜ୍ୟ ବିକାଶକୁ ତ୍ୱରାନ୍ୱିତ କରିବା ଲକ୍ଷ୍ୟରେ ନିର୍ମାଣ ବିଭାଗର ସମୀକ୍ଷା ବୈଠକ, ଅନଲାଇନ୍‌ ଫାଇଲ କାର୍ଯ୍ୟ ଓ ସମୟବଦ୍ଧ ପ୍ରକଳ୍ପ ସମାପ୍ତିରେ ଗୁରୁତ୍ୱ

ଭୁବନେଶ୍ୱର, ୨୦/୦୧ ( ନବଦୂତ ) : ରାଜ୍ୟର ସାମଗ୍ରିକ ବିକାଶକୁ ଦ୍ରୁତ ଗତିରେ ଆଗେଇ ନେବା ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ସମସ୍ତ ବିଭାଗକୁ ଯେଉଁ ୧୫ ସୂତ୍ରୀ ଏଜେଣ୍ଡା ଉପରେ ଗୁରୁତ୍ୱ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି, ସେହି ନିର୍ଦ୍ଦେଶକୁ କାର୍ଯ୍ୟକର ଭାବେ ରୂପାୟଣ କରିବା ନେଇ ନିର୍ମାଣ ବିଭାଗ ପକ୍ଷରୁ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ସଂଜୟ କୁମାର ସିଂହଙ୍କ ଅଧ୍ୟକ୍ଷତାରେ ଏହି ବୈଠକରେ ବରିଷ୍ଠ ଅଧିକାରୀମାନେ ଅଂଶଗ୍ରହଣ କରିଥିଲେ। ବୈଠକରେ ଶ୍ରୀ ସିଂହ ନିର୍ମାଣ ବିଭାଗ ଦ୍ୱାରା ଗ୍ରହଣ କରାଯାଇଥିବା ବିଭିନ୍ନ କାର୍ଯ୍ୟ ଓ ପ୍ରକଳ୍ପର ସୂକ୍ଷ୍ମ ସମୀକ୍ଷା କରିଥିଲେ। ସରକାରୀ କାର୍ଯ୍ୟରେ ଓଡ଼ିଆ ଭାଷାର ବ୍ୟାପକ ବ୍ୟବହାରକୁ ଗୁରୁତ୍ୱ ଦେଇ ସମସ୍ତ ପ୍ରକାର ଚିଠିପତ୍ର, ନିର୍ଦ୍ଦେଶନାମା ଓ ଦଫ୍ତରୀ କାର୍ଯ୍ୟ ଓଡ଼ିଆରେ କରିବାକୁ ସେ ସ୍ପଷ୍ଟ ନିର୍ଦ୍ଦେଶ ଦେଇଥିଲେ। ରାଜ୍ୟ ସରକାରଙ୍କ ନିଯୁକ୍ତିମୁଖୀ ନୀତିକୁ ସ୍ମରଣ କରାଇ ଶ୍ରୀ ସିଂହ ଖାଲି ପଦଗୁଡ଼ିକୁ ଶୀଘ୍ର ପୂରଣ କରିବା ସହ ପଦୋନ୍ନତି ଅପେକ୍ଷାରେ ଥିବା ଯୋଗ୍ୟ ଅଧିକାରୀମାନଙ୍କୁ ତୁରନ୍ତ ପଦୋନ୍ନତି ଦେବା ପାଇଁ ଗୁରୁତ୍ୱ ଦେଇଥିଲେ। ବୈଠକରେ ପ୍ରମୁଖ ଶାସନ ସଚିବ କହିଥିଲେ ଯେ, ବର୍ତ୍ତମାନ ସମୟ ଟେକ୍ନୋଲୋଜିର ଯୁଗ ଓ ସମୟ ସହ ତାଳମେଳ ରଖି ଆଗକୁ ବଢ଼ିବା ଅତ୍ୟାବଶ୍ୟକ। ପାରମ୍ପରିକ ଫାଇଲ ପ୍ରଣାଳୀ କାରଣରୁ କାର୍ଯ୍ୟ ବିଳମ୍ବ ହେଉଥିବାରୁ ଏଣିକି ସମସ୍ତ ସରକାରୀ କାର୍ଯ୍ୟ ଏବଂ ଫାଇଲ ଅନଲାଇନ୍‌ ଓ ଓସ୍ୱାସ୍‌ ପ୍ରଣାଳୀ ମାଧ୍ୟମରେ କରିବାକୁ ସେ ନିର୍ଦ୍ଦେଶ ଦେଇଥିଲେ। ଏହାସହ ବୈଠକରେ ରାଜ୍ୟର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଚାଲୁଥିବା ଓ ପାଇପ୍‌ଲାଇନ୍‌ରେ ଥିବା ପ୍ରକଳ୍ପଗୁଡ଼ିକ—ଭୁବନେଶ୍ୱରର ଯାତାୟାତ ଭିଡ଼ ନିୟନ୍ତ୍ରଣ ପାଇଁ ଜୟଦେବ ବିହାର–ନନ୍ଦନକାନନ ସମେତ ୩୭ଟି ରାସ୍ତା ପ୍ରକଳ୍ପ, କୋରାପୁଟ–ଜୟପୁର, ବ୍ରହ୍ମପୁର–ଜୟପୁର ରାସ୍ତା, ନମୋ ଏକ୍ସପ୍ରେସ୍‌ ୱେ ଓ ଅଟଳ ଏକ୍ସପ୍ରେସ୍‌ ୱେ—କିଭଳି ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ସମାପ୍ତ କରାଯିବ, ସେନେଇ ଗଭୀର ଆଲୋଚନା ହୋଇଥିଲା। ପ୍ରକଳ୍ପ ରୂପାୟଣ ସମୟରେ ଜମି ଅଧିଗ୍ରହଣ, ଜଙ୍ଗଲ ଜମି ଅନୁମୋଦନ ଓ ୟୁଟିଲିଟି ସିଫ୍ଟିଂ ପ୍ରକ୍ରିୟାକୁ କିଭଳି ସହଜ ଓ ସମୟବଦ୍ଧ କରାଯିବ, ସେଥିରେ ମଧ୍ୟ ଗୁରୁତ୍ୱ ଦିଆଯାଇଥିଲା। ଏହି ସମୀକ୍ଷା ବୈଠକରେ ଇଆଇସି ତଥା ସ୍ୱତନ୍ତ୍ର ଶାସନ ସଚିବ ଇଂ. ଏଲ୍‌.କେ. ପାଢ଼ୀ, ଅତିରିକ୍ତ ଶାସନ ସଚିବ ଶ୍ରୀ ଦୀପକ ରଞ୍ଜନ ଦାସ ଓ ଶ୍ରୀ ପ୍ରଦୀପ ସାହୁ, ଇଆଇସି ଇଂ. ଧ୍ୟାନଚାନ୍ଦ ନାୟକ, ମୁଖ୍ୟଯନ୍ତ୍ରୀ (ବିଲ୍ଡିଂ) ଇଂ. ପ୍ରିୟବ୍ରତ ସାମନ୍ତରାୟ, ମୁଖ୍ୟଯନ୍ତ୍ରୀ ଏନ୍‌ଏଚ୍‌-୧ ଇଂ. ନାରାୟଣ ପଟେଲ, ଏନ୍‌ଏଚ୍‌-୨ ଇଂ. ଦୀପକ ପାଣିଗ୍ରାହୀ, ବ୍ରିଜ ମୁଖ୍ୟଯନ୍ତ୍ରୀ ଇଂ. ଅରବିନ୍ଦ ତ୍ରିପାଠୀ, ଯୁଗ୍ମ ଶାସନ ସଚିବ ଶ୍ରୀ ଦୀପ୍ତିରଞ୍ଜନ ବେହେରା ଓ ଅର୍ଥ ପରାମର୍ଶଦାତା ଶ୍ରୀ ରତୀକାନ୍ତ ମହାପାତ୍ରଙ୍କ ସହ ବିଭାଗର ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ।