ଗ୍ରୀଷ୍ମ ପୂର୍ବରୁ ପାଣି ସଂକଟ, ବରିକେଲରେ ଲକ୍ଷାଧିକ ଟଙ୍କାର ଟାଙ୍କି କାମ ନିମ୍ନମାନର—ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ଗ୍ରାମବାସୀ
ପଦ୍ମପୁର, ୧୯/୦୧ : ଗ୍ରୀଷ୍ମ ଋତୁ ଆସିବା ପୂର୍ବରୁ ହିଁ ପଦ୍ମପୁର ଉପଖଣ୍ଡରେ ପିଇବା ପାଣି ସମସ୍ୟା ମୁଣ୍ଡ ତୁଳିଲାଣି। ବିଶେଷକରି ରାଜବୋଡାସମ୍ବର ବ୍ଲକ ଅନ୍ତର୍ଗତ ବରିକେଲ ଗାଁରେ ପାନୀୟ ଜଳ ସଂକଟ ଏବେ ଚିନ୍ତାଜନକ ଆକାର ନେଇଛି। ଲୋକଙ୍କୁ ସୁରକ୍ଷିତ ପିଇବା ପାଣି ଯୋଗାଇବା ଉଦ୍ଦେଶ୍ୟରେ ଗ୍ରାମୀଣ ଜଳ ଯୋଗାଣ ଓ ପରିମଳ ବିଭାଗ ପକ୍ଷରୁ ଲକ୍ଷାଧିକ ଟଙ୍କା ବ୍ୟୟରେ ଦୁଇଟି ପାଣି ଟାଙ୍କି ନିର୍ମାଣ କରାଯାଇଥିଲେ ମଧ୍ୟ, ସେଗୁଡ଼ିକ ଏବେ ଲୋକଙ୍କ କୌଣସି କାମକୁ ଆସୁନାହିଁ। ଅଭିଯୋଗ ଅନୁସାରେ, ପାଣି ଟାଙ୍କିରୁ ଗ୍ରାମବାସୀଙ୍କ ଘର ପର୍ଯ୍ୟନ୍ତ ପାଣି ପହଞ୍ଚାଇବା ପାଇଁ ବିଛାଯାଇଥିବା ପାଇପ ଗୁଡ଼ିକ ଅତ୍ୟନ୍ତ ନିମ୍ନମାନର। ଫଳସ୍ୱରୂପ ଅନେକ ସ୍ଥାନରେ ପାଇପ ଫାଟି ରାସ୍ତା ଉପରେ ପାଣି ବୋହୁଛି। ଏହାସହ ଅନେକ ଜାଗାରେ ଟ୍ୟାପ ଲଗାଯାଇନଥିବାରୁ ପାଣି ଅକାରଣରେ ନଷ୍ଟ ହେଉଛି, ଯେଉଁଠାରେ ଗାଁ ଲୋକେ ପିଇବା ପାଣି ପାଇଁ ସଂଘର୍ଷ କରୁଛନ୍ତି। ଅଧିକ ଚିନ୍ତାର ବିଷୟ ହେଉଛି, ପାଇପ ବିଛାଇବା ପରେ ଯେଉଁଠାରେ କଂକ୍ରିଟ କାମ କରିବା କଥା ଥିଲା, ସେଠାରେ ଠିକାସଂସ୍ଥା କୌଣସି କଂକ୍ରିଟ କାମ କରିନଥିବା ଅଭିଯୋଗ ହେଉଛି। ଏହାର ଫଳରେ ରାସ୍ତା ଅବସ୍ଥା ମଧ୍ୟ ଖରାପ ହୋଇଯାଇଛି ଏବଂ ପାଇପ ଲାଇନ୍ ଆଉ ଅଧିକ କ୍ଷତିଗ୍ରସ୍ତ ହେବାର ଆଶଙ୍କା ରହିଛି। ଏହି ସମସ୍ୟା ସମ୍ପର୍କରେ ପଦ୍ମପୁର ଜଳ ଯୋଗାଣ ଓ ପରିମଳ ବିଭାଗର ଅଧିକାରୀମାନଙ୍କୁ ପୁନଃପୁନ ଅଭିଯୋଗ କରାଯାଇଥିଲେ ମଧ୍ୟ କୌଣସି ସଠିକ୍ ପଦକ୍ଷେପ ନିଆଯାଇନଥିବା ଗ୍ରାମବାସୀଙ୍କ ଅଭିଯୋଗ। ଶେଷରେ ସୋମବାର ବରିକେଲ ଗ୍ରାମବାସୀମାନେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣୀରେ ଲିଖିତ ଭାବରେ ଅଭିଯୋଗ ଦାଖଲ କରି, ନିମ୍ନମାନର କାମର ତଦନ୍ତ ସହ ଦୋଷୀଙ୍କ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ଓ ଶୀଘ୍ର ପିଇବା ପାଣି ସମସ୍ୟାର ସ୍ଥାୟୀ ସମାଧାନ ଦାବି କରିଛନ୍ତି।