ଷଣ୍ଢ, ମାଙ୍କଡ଼, ବଣୁଆ ଘୁଷୁରିଙ୍କ ଉପଦ୍ରବରେ ଉଜୁଡ଼ୁଛି ଫସଲ
ବରୀ, ୦୧/୦୧ ( ରଂଜିତ ମହାନ୍ତି ) : ବରୀ ଅଞ୍ଚଳରେ ଚାଷୀମାନେ ପ୍ରମାଦ ଗଣୁଛନ୍ତି। ହଜାର ହଜାର ଷଣ୍ଢ, ମାଙ୍କଡ ଓ ବଣୁଆ ଘୁସୁରୀଙ୍କ ଉପଦ୍ରବରେ ରବି, ଖରିଫ ଫସଲ ସହିତ ପନିପରିବା ମଧ୍ୟ ନଷ୍ଟ ହେଉଛି | ରାସ୍ତା ଘାଟରେ ଗାଈ ଗୋରୁ ବିକ୍ରି ଉପରେ କଟକଣା ଲାଗିବାରୁ ସାଧାରଣତଃ ବୁଲା ଷଣ୍ଢ ଗୁଡିକ ଅନ୍ୟତ୍ର ସ୍ଥାନାନ୍ତରିତ ହୋଇ ପାରୁନାହାନ୍ତି। ଫଳରେ ଯେତେ ଷଣ୍ଢ ବାହାରୁଛନ୍ତି ସବୁ ଗୁଡିକ ଅଞ୍ଚଳରେ ରହୁଥିବାର ଦେଖିବାକୁ ମିଳୁଛି। ସେହିପରି ବଣ ଜଙ୍ଗଲ ଅଧିକ ସୃଷ୍ଟି ନହେବା ଓ ପୁରୁଣା ଜଙ୍ଗଲ କ୍ଷୟ ହେବା ଯୋଗୁଁ ମାଙ୍କଡ ଗୁଡିକ ମଧ୍ୟ ଗାଁ ମୁହାଁ ହୋଇଛନ୍ତି। ଆଉ ସବୁଠାରୁ ବେଶି କ୍ଷୟ କ୍ଷତି କରୁଛନ୍ତି ବଣୁଆ ଘୁସୁରୀ ବା ବାର୍ହା | ଏ ଗୁଡିକ ପାଟ ମଝିରେ ଥିବା ଘଞ୍ଚ ବଣ ବୁଦା, ନଦୀ ବନ୍ଧ କଡରେ ଦିନ ସମୟରେ ଲୁଚି ରହୁଛନ୍ତି। ରାତି ହେଲେ ଏ ଗୁଡିକ ଦଳ ଦଳ ହୋଇ ବାହାରି ଚାଷ ଜମିରେ ଫସଲ ନଷ୍ଟ କରିବା ସହିତ ଘର ନିକଟରେ ହୋଇଥିବା ପନି ପରିବା ମଧ୍ୟ ନଷ୍ଟ କରୁଛନ୍ତି। ଫସଲ ନଷ୍ଟକାରୀ ଏହି ତିନି ପ୍ରଜାତିର ଜୀବଜନ୍ତୁଙ୍କ ବିଷୟରେ ବାରମ୍ବାର ଜିଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠରେ ଅଭିଯୋଗ ହୋଇଥିଲେ ମଧ୍ୟ ଏହାର କୌଣସି ସୁଫଳ ମିଳିପାରୁ ନାହିଁ | ବରୀ ଏଜ କୃଷି ପ୍ରଧାନ ଅଞ୍ଚଳ। ଏଠାରେ ୭୦ ପ୍ରତିଶତରୁ ଅଧିକ ବ୍ୟକ୍ତି କୃଷି କାର୍ଯ୍ୟ ଉପରେ ନିର୍ଭର କରିଥାନ୍ତି । ବ୍ରାହ୍ମଣୀ ନଦୀ ଶୁଷ୍କ ହୋଇଯିବା ପରେ ମାଛ ଧରି ଜୀବିକା ନିର୍ବାହ କରୁଥିବା କିଛି କିଛି ପରିବାର ମଧ୍ଯ କୃଷି କାର୍ଯ୍ୟକୁ ଆପଣାଇଛନ୍ତି । ପ୍ରତି ବର୍ଷ ପ୍ରାକୃତିକ ବିପର୍ଯ୍ୟୟ ଭାବେ ଝଡି, ବଢ଼ି ଏଠାରେ କୃଷି କାର୍ଯ୍ୟକୁ ପ୍ରଭାବିତ କରିଥାଏ। ମଝିରେ ମଝିରେ ମରୁଡ଼ି ବି ଏଠି ଚାଷୀଙ୍କ ଉପରେ କୁଠାରଘାତ କରୁଥିବାର ଦେଖିବାକୁ ମିଳୁଛି। ଏହା ସତ୍ତ୍ବେ ସବୁ ପ୍ରତିକୂଳ ଅବସ୍ଥାକୁ ମୁକାବିଲା କରି ଚାଷୀ ଟିକିଏ ଅଣ୍ଟା ସିଧା କଲା ବେଳକୁ ଏହି ତିନି ପ୍ରଜାତିର ଜୀବ ଜନ୍ତୁ ମୁଖ୍ୟ ଶତୃ ଭାବେ ଉଭା ହୋଇଛନ୍ତି। ପୂର୍ବରୁ ବାଡି ଘରରେ ହେଉଥିବା ପନିପରିବା ଯଥା ଭେଣ୍ଡି, ଜହ୍ନି, କଖାରୁ, ଲାଉ, ପାଣି କଖାରୁ, କାକୁଡି ଆଦି ମାଙ୍କଡଙ୍କ ଉପଦ୍ରବ ପାଇଁ ଆଉ ଦେଖିବାକୁ ମିଳୁନାହିଁ । ସେହିପରି ଚାଷ ଜମିରେ ହେଉଥିବା ଧାନ, ବିରି, କୋଳଥ ଓ ଚିନା ବାଦାମ ଫସଲ ଷଣ୍ଢ ଆଉ ବଣୁଆ ଘୁସୁରୀଙ୍କ ପାଇଁ ଉଜୁଡିବାକୁ ବସିଲାଣି। ତୁରନ୍ତ ଜିଲାପାଳ ଏ ଦିଗରେ ପଦକ୍ଷେପ ନେଇ ବନ ବିଭାଗ ଦ୍ଵାରା ଏହି ସବୁ ଜୀବଜନ୍ତୁ ମାନଙ୍କୁ ଅଞ୍ଚଳରୁ ହଟାଇ ଚାଷୀକୂଳକୁ ବଞ୍ଚାଇବା ପାଇଁ ଦାବି କରିଛନ୍ତି ।